ଖୁବ୍ ଶୀଘ୍ର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ ଆରବ ସାଗରରେ ସୃଷ୍ଟ ଲଘୁଚାପ: ଆଇଏମ୍ଡି
ନୂଆଦିଲ୍ଲୀ: ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟ ଲଘୁଚାପ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଆସନ୍ତା ସପ୍ତାହରେ ମହାରାଷ୍ଟ୍ର ଓ ଗୁଜରାଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଡିପ୍ରେସନ୍ ଓ କ୍ରମଶଃ ଘନୀଭୂତ ହୋଇ ଏହାର ୨୪ ଘଣ୍ଟା ମଧ୍ୟରେ ଏହା ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି।
ଏହା ଉତ୍ତରଦିଗକୁ ଗତି କରି ଜୁନ୍ ୩ ସୁଦ୍ଧା ଉତ୍ତର ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ୱେଦର୍ ବ୍ୟୁରୋ ପକ୍ଷରୁ କୁହାଯାଇଛି ଯେ, ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି। ତେଣୁ ଜୁନ୍ ୪ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଜୁନ୍ ୨ରୁ-୪ ଯାଏ ଦକ୍ଷିଣ ମହାରାଷ୍ଟ୍ର ଉପକୂଳ, ଜୁନ୍୨ରୁ-୩ ଯାଏ ଉତ୍ତର ଉପକୂଳ ଓ ଜୁନ୍ ୩ରୁ-୫ ଯାଏ ଗୁଜରାଟ, ଡାମନ୍ ଓ ଡିୟୁ ଏବଂ ଦାଦର ଓ ନାଗର ହାଭେଲିରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ଲଘୁଚାପ ପ୍ରଭାବରେ କେରଳରେ ମୌସୁମୀ ବାୟୁ ପହଞ୍ଚିବା ପାଇଁ ଜୁନ୍ ୧ରୁ ପାଗ ଆହୁରି ଅନୁକୂଳ ହେବ। ଏନେଇ ଆଇଏମ୍ଡି ପୂର୍ବାନୁମାନ କରିଛି।
ପ୍ରତିବର୍ଷ ଜୁନ୍ ୧ ଆଡ଼କୁ କେରଳରେ ମୌସୁମୀ ବାୟୁ ପହଞ୍ଚିଥାଏ ଓ ଜୁନ୍ ୧୦ ଆଡ଼କୁ ମହରାଷ୍ଟ୍ରରେ ପହଞ୍ଚିଥାଏ।
ନିକଟରେ ବାତ୍ୟା ‘ଅମ୍ପନ୍’ ଯୋଗୁ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷ କରି ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ‘ଅମ୍ପନ୍’ ୮୬ ଜଣଙ୍କ ପ୍ରାଣ ନେଇଥିବାବେଳେ ୧୦ ମିଲିୟନ୍ ଲୋକ ବାସହରା ହୋଇଥିଲେ।