ଲକ୍ ଡାଉନ୍: ନିୟମ ଉଲ୍ଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କରୋନା ଭାଇରସ ଯେପରି ନ ବ୍ୟାପେ ସେନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦେଶର ୮୦ଟି ସହରକୁ ଲକ ଡାଉନ ଘୋଷଣା କରାଯାଇଛି। ମାର୍ଚ୍ଚ ୩୧ ଯାଏ ଏହି ଲକ ଡାଉନ ଘୋଷଣା ହୋଇଛି।

ଲକ୍‌ ଡାଉନ୍‌କୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଲକ୍‌ ଡାଉନ୍‌କୁ କିଛି ଲୋକ ହାଲୁକା ଭାବରେ ଗ୍ରହଣ କରୁଥିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ୱିଟ କରିଥିଲେ। ଏହାପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଲକ୍ ଡାଉନ୍ ବେଳେ ନିୟମ ଖିଲାପକାରୀଙ୍କ ବିରୋଧରେ ଆଇନଗତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଗତକାଲି ସାରା ଦେଶ ଏକାଠି ହୋଇ ଜନତା କର୍ଫ୍ୟୁ ପାଳନ କରିଥିଲା। କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବାକୁ ଯାଇ ଦେଶର ୮୦ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି, ‘ ଲକ୍ ଡାଉନକୁ ଅନେକ ଲୋକ ହାଲୁକା ଭାବରେ ଗ୍ରହଣ କରୁଛନ୍ତି। ଦୟାକରି ନିଜକୁ ସୁରକ୍ଷିତ ରଖିବା ସହିତ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ, କରୋନା ମୁକାବିଲା ପାଇଁ ସମସ୍ତ ଗାଇଡ୍ ଲାଇନ୍ ପାଳନ କରନ୍ତୁ। ମୁଁ ସମସ୍ତ ରାଜ୍ୟ ସରକାରଙ୍କୁ ଆହ୍ୱାନ କରୁଛି ସମସ୍ତ ନିୟମ ଏବଂ ଆଇନ ଯେପରି ପାଳନ ହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।

ଏବେ ଦେଶର ଅଧିକାଂଶ ରାଜ୍ୟରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଲୋକମାନଙ୍କୁ ଘରୁ ବାହାରିବା ନେଇ କଟକଣା ଲଗାଯାଇଛି। କେବଳ ଜରୁରୀକାଳୀନ ସ୍ଥିତି ଓ ଆବଶ୍ୟକ ଥିଲେ ବାହାରିବାକୁ କୁହାଯାଇଛି।

ଅନ୍ୟପକ୍ଷରେ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।

You might also like