ଆଖିଏ ସ୍ୱପ୍ନ ନେଇ ଶାଶୂ ଘରକୁ ଗଲା ମାଣିକ…

କୋରାପୁଟ:ନୂଆ ଦୁନିଆରେ ପାଦ ଥାପିଛି ମାଣିକ।  ତାର ହାତକୁ ଦି ହାତ ହୋଇଯାଇଛି ମାଣିକ। ଭୋଜିଭାତ, ଢମ୍‌ସା ନାଚରେ ବେଶ ଖୁସି ମନେଇଥିଲେ ସାହିପଡ଼ିଶା। ଅଜାଡ଼ି ଦେଇଥିଲେ ଆଶୀର୍ବାଦ। ‘ଅନେକ କଷ୍ଟ ସହିଛି, ଭାଇ, ଭଉଣୀଙ୍କ ପାଇଁ ଅନେକ କିଛି କରିଛି। ଭଗବାନ ତା’ର ଅବଶିଷ୍ଟ ଜୀବନକୁ ସୁଖମୟ କରନ୍ତୁ…’ ସମସ୍ତଙ୍କ ତୁଣ୍ଡରେ ଥିଲା ଏମିତି ଆଶୀର୍ବାଦ।

ଇଏ ସେଇ  ଅନାଥ ଝିଅ ମାଣିକ ମୁଦୁଲି। କୋରାପୁଟ ଜିଲ୍ଲା ଦଶମନ୍ତପୁର ଡାକ୍ତରଖାନାରେ ଦିନେ ଯିଏ ମୃତ୍ୟୁ ସହ ସଂଘର୍ଷ କରୁଥିବା ଭାଇଭଉଣୀକୁ ଧରି ଏକୁଟିଆ ଜଗି ବସିଥିଲା।   ହତାଶ ଆଖିରେ କେବଳ ଭାଗ୍ୟକୁ ଅନାଇ ବସିଥିଲା, ଭଗବାନଙ୍କୁ ଡାକୁଥିଲା। ଗଣମାଧ୍ୟମରୁ ଅସହାୟ ମାଣିକର ସଂଘର୍ଷର କାହାଣୀ ଶୁଣି ଜିଲ୍ଲା ପ୍ରଶାସନ ବଢାଇଥିଲା ସହାୟତାର ହାତ। ଦଶମନ୍ତପୁର ମେଡିକାଲରୁ ବ୍ରହ୍ମପୁର ଓ ସେଠାରୁ କଟକ ବଡ ଡାକ୍ତରଖାନ- ଦୀର୍ଘ ୮ ମାସର ଏଇ ଲମ୍ବା ରାସ୍ତା  ମାଣିକ ପାଇଁ ଥିଲା ଖୁବ୍‌ ସଂଘର୍ଷପୂର୍ଣ୍ଣ। ହେଲେ ମାଣିକକୁ ସମସ୍ତେ କରିଥିଲେ ସାହାଯ୍ୟ। ସାରା ରାଜ୍ୟରୁ ତା’ ପାଇଁ ଅଜାଡ଼ି ହୋଇପଡ଼ିଥିଲଶ ଆଶୀର୍ବାଦ। ଭାଇ ରାଧା ଓ ଭଉଣୀ କମଳା କେମିତି ଭଲ ହୋଇ ଯାଆନ୍ତୁ। ଆଉ ସତରେ ମାଣିକ ତା’ର ତପସ୍ୟା ଫଳ ପାଇଲା। ଭାଇ ଭଉଣୀ ଭଲ ହୋଇ ଫେରିଲେ।  ତା’ ପରଠାରୁ ମାଣିକ ଭାଇ ଭଉଣୀଙ୍କ ସହ ଥିଲା ଶିଶୁ ଯତ୍ନ କେନ୍ଦ୍ରରେ।

ଗତକାଲି ତା’ର ବାହାଘର ଅନୁଷ୍ଠିତ ହୋଇଯାଇଛି। ମାଣିକର ବାହାଘରର ପୁରା ବ୍ୟବସ୍ଥା କରାଇଛନ୍ତି  କୋରାପୁଟ ଜିଲ୍ଲା ପ୍ରଶାସନ। ବାପାମା’  ଭଳି ମାଣିକକୁ ହାତରୁ ଦିହାତ କରିବା ସହ ସାଧ୍ୟ ମୁତାବକ ଜିନିଷପତ୍ର ଦେଇ କର୍ତ୍ତବ୍ୟ ତୁଲାଇଛି ପ୍ରଶାସନ।  ଜିଲ୍ଲା ପ୍ରଶାସନର ଏଭଳି ଅଭିନବ ପଦକ୍ଷେପକୁ ନେଇ ସବୁଆଡେ ପ୍ରଶଂସା।


କନ୍ୟା ବେଶରେ ସଜ ହୋଇଥିଲା ମାଣିକ। ହାତରେ ମେହେନ୍ଦୀ, ନାଲି ଶାଢୀ ସହ ଆଖିରେ ଥିଲା ତା’ର ଆଖିଏ ସ୍ୱପ୍ନ। କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଏହି ବାହାଘର ଅନୁଷ୍ଠିତ ହୋଇଥିବାବେଳେ ଏହି ବାହାଘରର ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ। ଅନାଥ ମାଣିକଙ୍କୁ ବାପାମା‘ଭଳି ସ୍ନେହ ଦେଇ ହାତକୁ ଦିହାତ କରିଥିଲେ।

ଏଥିପାଇଁ ଦଶମନ୍ତପୁର ଥାନାରୁ ଆସିଥିଲା ବରଯାତ୍ରୀ।  ବାଜା, ରୋଷଣୀ, ଆତସବାଜି  ସହ ବିରାଟ ପଟୁଆରରେ କୋରାପୁଟ ଏସଡିପିଓ ମାମୁଁଘର ଭାର ନେଇ ଆସିଥିଲେ। ସାଙ୍ଗରେ ଥିଲେ ବର ଶ୍ରୀନିବାସ ମୁଦୁଲି । ଏଭଳି ବାହାଘରକୁ ନେଇ ବେଶ୍ ଖୁସି ଅନାଥାଶ୍ରମର ପରିଚାଳକ ।

ସୂଚନା ଥାଉ କି,  ଇଟାଭାଟିରେ କାମ କରୁଥିବାବେଳେ ମାଣିକ ଓ ତାର ୩ ଭାଇଭଉଣୀଙ୍କୁ ଉଦ୍ଧାର କରି ପ୍ରଶାସନ ଦଶମନ୍ତପୁରରେ ଥିବା ଆଇଡିଏସ ସେଲଟର୍ ହୋମ୍‌ରେ ରଖିଥିଲେ।  ତେବେ ଅନାଥ ମାଣିକଙ୍କୁ ଏକ ନୂଆ ପରିବାର ଭେଟି ଦେଇଥିବାରୁ ପ୍ରଶାସନର ଏହି କାଯ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

You might also like