ଶୀତକୁ ଆପଣେଇ ନେଇଛି କୋରାପୁଟ । ଅଳସୀ କ୍ଷେତ ଭରା ଯୌବନରେ ଉଛୁଳିଛି

ପ୍ରକୃତି ଏଠାରେ ନିଆରା

ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ  ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା । ଶୀତ କୋରାପୁଟରେ ପ୍ରବେଶ କଲେ ସୁଲୁସୁଲିଆ ପବନ ସାଙ୍ଗକୁ ଦେଖିବାକୁ ମିଳେ କୁହୁଡିର ଆସ୍ତରଣ। ଅଳସୀକ୍ଷେତ ଯେତେବେଳେ  ଭରା ଯୌବନ ର ଗୀତ ଗାଏ, ସୁଆଁ, ମାଣ୍ଡିଆ,କାଙ୍ଗୁ,କାନ୍ଦୁଲ ଯେବେ ଫୁଲ ଉଡ଼ା ଦିଏ, ଠିକ୍ ସେତିକି ବେଳେ ତ କୋରାପୁଟ ରେ ଜମିଯାଏ ଶୀତ ର ମିନାବଜାର। ବଦଳି ଯାଏ କୋରାପୁଟ ର ରୂପ ଲାବଣ୍ୟ,  ସତେ ଅବା ମାୟା ନଗରୀ । ତାଆରି ଭିତରେ ଦିଶୁଛି କୁହୁଡ଼ିର ମାୟା ଦର୍ପଣ।  ଫୁଲେଇ ଝରଣା, ଅଳସୀନଈ, ବେଫିକର ମଥା ଟେକିଥିବା ଦେଓମାଳି, ଝୁମି ଯାଉଥିବା ଜଙ୍ଗଲ,ଏ ସବୁଠିକି ଶୀତ ତାର ଯାଦୁ ସ୍ପର୍ଶ ଦେଇଯାଏ।

କୋରାପୁଟ ବି ଶୀତ କୁ ବେଶ ଅନୁଭବ କରିନିଏ, ଆବୋରି ନିଏ, ଆପଣେଇ ନିଏ… ଡୁଙ୍ଗଡୁଙ୍ଗା ବାଜିଉଠେ, ସାଇଲୋଡି ଗୀତ ଜମେ, ଗାଁ ଦାଣ୍ଡରେ ଅଂଟା ହଲେଇ ଢେମ୍ସା ନାଚ କରିବାକୁ ବାଧ୍ୟ କରିଦିଏ ଶୀତ । ପାହାଡ଼ ତଳର ଧୂଆଁ ଉଠା ଗାଁ ରେ ଶୀତ ବି ଅଟକି ଯାଏ ନିଆଁ ପୋଇଁବାକୁ।

ସହର ଯାଏଁ ଖେଦିଯାଏ କୁହୁଡ଼ି ର ମଶାଲ, ଧୂଆଁ ଧୂଆଁ ସକାଳ, ଝାପ୍ସା ଝାପ୍ସା ସଞ୍ଜ… ଓଃ ମନକଲବଲ ହୁଏ କପେ ଗରମ ଚା ପାଇଁ। ଚା’ କପ ରୁ ଉଠୁଥିବା ବାମ୍ଫ ରେ ହିଁ ସକାଳ ସରଗରମ ହୋଇ ଉଠେ। ବୟସ ମାନେନା ସୀମାରେଖା, ସମସ୍ତେ ଫେଣ୍ଟି ହେଇଯା’ନ୍ତି ଶୀତ ସାଙ୍ଗରେ ମିତ ବସିବାକୁ। ଶୀତ ସହ କସରତ ହୁଏ, ସକାଳ ବୁଲା ରେ ଇଶାରା ଇଶାରା ରେ ଅନେକ କଥା ଆଖି କୁହେ-ଆଉ ସାମ୍ନା ବାଲାର ଆଖି ବି ପରିଭାଷାକୁ ଠଉରାଇ ନିଏ।

ଶୀତର ଲହରୀରେ ଜୀବନ ର କାଗଜ ଡଙ୍ଗା ଅଳ୍ପ ଥରି ଯାଏ ସତ କିନ୍ତୁ ଜୀବନ କୁ ଆଉଟିକେ ଜିଇଁ ଯିବାର ଇଚ୍ଛାରେ କୋରାପୁଟିଆ ଶୀତ ଦେଇଥାଏ ଅସରନ୍ତି ପ୍ରେରଣା ଆଉ ନବ ଉନ୍ମାଦନା । ଏଇଟା ହିଁ କୋରାପୁଟ ଶୀତ ର ନିଆରାପଣ ।

You might also like