ବଦଳିବ ବ୍ଲାକ୍ ପାଗୋଡ଼ାର ସହର କୋଣାର୍କର ରୂପରେଖ

ଭୁବନେଶ୍ୱର: ବଦଳିବ ବ୍ଲାକ୍ ପାଗୋଡ଼ାର ସହର କୋଣାର୍କର ରୂପରେଖ। ସହରର ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରାଯିବାକୁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ନେଇ ଏକ ଚିଠା ଯୋଜନା ପ୍ରସ୍ତୁତ ହୋଇଛି। ଆଜି ଏହାର ବିଭିନ୍ନ ଦିଗ ଉପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଜଣାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଉପସ୍ଥାପନା କରାଯାଇଛି।

ଆସନ୍ତା ୨୧ ଦିନ ମଧ୍ୟରେ ଏହି ଚିଠା ଯୋଜନା ଉପରେ ସୁଚିନ୍ତିତ ମତାମତ ଦେବାକୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ଅନୁଯାୟୀ, କୋଣାର୍କର ସାଢ଼େ ୩ କିଲୋମିଟର ବାହ୍ୟ ରିଙ୍ଗ ରୋଡ୍‌କୁ ୬ ଥାକିଆ କରାଯିବ। ମନ୍ଦିରକୁ ଯାଇଥିବା ସବୁ ରାସ୍ତାର ବିକାଶ କରାଯିବା ସହ ଭୁବନେଶ୍ୱରରୁ କୋଣାର୍କ ଯାଏଁ ଯାତ୍ରୀ ପରିବହନ ବ୍ୟବସ୍ଥା କରାଯିବ ବୋଲି ଯୋଜନା କରାଯାଇଛି।

କେବଳ ସେତିକି ନୁହେଁ, ଫେରିବାଲାଙ୍କୁ ପୁନଃ ଥଇଥାନ କରାଯିବା ସହିତ ସୂର୍ଯ୍ୟ ମନ୍ଦିର ସାମ୍ନାର ୩୦ ଏକର ଜମିକୁ ସମ୍ପୂର୍ଣ୍ଣ ଖୋଲା ରଖି ଲ୍ୟାଣ୍ଡସ୍କେପିଂ କରାଯିବ। ସେହିପରି ସୁଦୃଶ୍ୟ କୋଣାର୍କ ଏଣ୍ଟ୍ରି ପ୍ଲାଜା ଏବଂ ଯାନବାହନ ପାର୍କିଂ ପାଇଁ ମଲ୍‌ଟି ମୋଡାଲ୍ ହବ୍ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି।

ଏହାବ୍ୟତୀତ କୋଣାର୍କ ମୁକ୍ତାକାଶ ରଂଗମଞ୍ଚର ପୁନର୍ବିନ୍ୟାସ ସହ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯିବ ବୋଲି ଆଜି ଅନୁଷ୍ଠିତ ବୈଠକରେ ସୂଚନା ଦିଆଯାଇଛି।

ମହାମାରୀ କରୋନା ପାଇଁ ୫ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିର। ଗତବର୍ଷ ସେପ୍ଟେମ୍ବର ପହିଲାରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା ସୂର୍ଯ୍ୟମନ୍ଦିରର ଦ୍ୱାର। କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ସ ଅନୁସାରେ ସୂର୍ଯ୍ୟ ମନ୍ଦିର ଖୋଲାଯାଇଥିଲା

ଦିନକୁ ଅଢେଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦିର ଦର୍ଶନ କରିବାକୁ ଅନୁମତି ଦିଆଯାଇଥିଲା। ସକାଳୁ ଦିନ ୧ଟା ମଧ୍ୟରେ ୧,୫୦୦ ଏବଂ ଅପରାହ୍ନରେ ୧,୦୦୦ ପର୍ଯ୍ୟଟକଙ୍କୁ ଦର୍ଶନ କରିବାକୁ ଅନୁମତି ଥିଲା।

ତେବେ କରୋନା କଟକଣା ଦୃଷ୍ଟିରୁ ଟିକେଟ୍‌ରେ‌ ବାର୍‌କୋଡ୍‌ ବ୍ୟବସ୍ଥା କରାଯାଇଛି। ମନ୍ଦିରକୁ ପ୍ରବେଶ କରୁଥିବା ସମସ୍ତ ପର୍ଯ୍ୟଟକଙ୍କ ସ୍କ୍ରିନିଂ ସହ କେନ୍ଦ୍ର ସରକାରଙ୍କ ଏସ୍ଓପିକୁ କଡ଼ାକଡ଼ି ପାଳନ କରାଯାଉଛି।

You might also like