ଦେଶରେ କେମିତି ଅଛି କରୋନା ସ୍ଥିତି ? ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ  ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶକୁ କରୋନା ଦାଉରୁ ରକ୍ଷା କରିବା ପାଇଁ  ସାମାଜିକ ଦୂରତ୍ୱ ଗୋଟିଏ ମାତ୍ର ରାସ୍ତା। ଏଥିପାଇଁ ଲକ୍‌ ଡାଉନ୍‌ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରମାନେ ମଧ୍ୟ କରୋନା ମୁକାବିଲା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୬କୁ ବଢିଥିବାବେଳେ ମୃତ୍ୟୁ ସଂଖ୍ୟା ୧୧ ରେ ପହଞ୍ଚିଛି।

ତା’ହେଲେ ଆସନ୍ତୁ ଜାଣିବା ଦେଶରେ କେମିତି ଅଛି କରୋନା ସ୍ଥିତି…

  • ମହାରାଷ୍ଟ୍ର ଓ କେରଳ ସର୍ବାଧିକ କରୋନା ଆକ୍ରାନ୍ତରେ ପ୍ରଭାବିତ ହୋଇଛନ୍ତି।
  • ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫କୁ ବଢିଛି।
  • ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ପଞ୍ଜାବ, ଜମ୍ମୁ ଓ କାଶ୍ମୀର ଏବଂ  ପଞ୍ଜାବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବି ବଢିଛି।
  • ସଂକ୍ରମଣ ରୋକିବା ଲାଗି ସମସ୍ତ ୩୦ ରାଜ୍ୟ କଠୋରରୁ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି।ଲକ ଡାଉନ ଗାଇଡଲାଇନ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦିଆଯାଇଛି
  • ଆବଶ୍ୟକ ପଡ଼ିଲେ କର୍ଫ୍ୟୁ ଲାଗୁ ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ କହିଛି।
  • କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ହସ୍ପିଟାଲ ପ୍ରସ୍ତୁତ ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି।
  • ଗୁଜରାଟ, ଆସାମ, ରାଜସ୍ଥାନ, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ଅନେକ ରାଜ୍ୟରେ କାମ ଆରମ୍ଭ ହୋଇଯାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ  ସୂଚନା ଦେଇଛନ୍ତି।
  • ମୁମ୍ବାଇରେ ରିଲାଏନ୍ସ ସହଯୋଗରେ କରୋନା ମୁକାବିଲା ଲାଗି ହସ୍ପିଟାଲ ନିର୍ମାଣ କାମ ଆରମ୍ଭ ହୋଇ ଥିବାବେଳେ ମଧ୍ୟପ୍ରଦେଶରେ ଭୋପାଳ ମେମୋରିଆଲ ହସ୍ପିଟାଲ ଓ ଜମ୍ମୁର ସରକାରୀ ମେଡିକାଲ କଲେଜକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ।
  • କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ନିୟମିିତ ସ୍ଥିତିର ସମୀକ୍ଷା କରୁଛନ୍ତି। ଗତ ୩/୪ ଦିନ ମଧ୍ୟରେ ବିଦେଶରୁ ୬୪ ହଜାର ଯାତ୍ରୀ ଭାରତ ଆସିଥିବା ସେ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୮ହଜାର ଯାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ୫୬ ହଜାର ଯାତ୍ରୀ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି।ହୋମ୍ କ୍ୱାରେଣ୍ଟାଇନରେ ଥିବାବେଳେ ସମସ୍ତେ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅପିଲ କରିଛନ୍ତି।
  • ଦେଶରେ ଏବେ ୧୧୮ ସରକାରୀ ଓ ୨୨ଟି ଘରୋଇ ଲାବ୍ରେ କରୋନା ନମୁନା ପରୀକ୍ଷଣ ବ୍ୟବସ୍ଥା ରହିଛି। ଏସବୁ କେନ୍ଦ୍ରରେ ଦୈନିକ ପ୍ରାୟ ୧୨ ହଜାର ନମୁନା ପରୀକ୍ଷା କରାଯାଇପାରିବ ବୋଲି ICMR ପକ୍ଷରୁ କୁହାଯାଇଛି।
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରିଣ୍ଟ ମିଡିଆ  ପ୍ରତିନିଧିଙ୍କ ସହ ଭିଡିଓ କନ୍‌ଫରେନସିଂରେ କଥା ହୋଇଛନ୍ତି। ଲୋକଙ୍କୁ ସଚେତନ କରିବାରେ ପ୍ରିଣ୍ଟ ମିଡିଆର ଭୁମିକାକୁ ସେ ପ୍ରଶଂସା କରିଥିବା ବେଳେ ନକାରାତ୍ମକ, ନିରାଶଜନକ ଓ ଭ୍ରମାତ୍ମକ ଖବର ନ ଛାପିବାକୁ ପରାମର୍ଶ ପ୍ରଧାନମନ୍ତ୍ରୀ ଦେଇଛନ୍ତି।
You might also like