ଘାସ ଚାଷ ବ୍ୟବସାୟୀଙ୍କୁ କରୁଛି ମାଲାମାଲ୍‌ 

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ଘାସ କରିଦେଲା କୋଟିପତି। ଘାସକୁ ଅନାବନା କହି କିଏ କାଟି ଫିଙ୍ଗି ଦେଉଛି। ଅଥଚ ଏହି ବେପାରୀମାନେ ଘାସ ପାଇଁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।  କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗିପାରେ । କିନ୍ତୁ ଏକଦମ୍‌ ସତକଥା । ପାମାରୋସା ଓ ଲେମନ ନାମକ ଦୁଇ ପ୍ରକାରର ଘାସ କିଛି ବ୍ୟବସାୟୀଙ୍କୁ କରିପାରିଛି ମାଲାମାଲ୍‌  ।

ପାମାରୋସା ଓ ଲେମନ ଘାସ ସାଧାରଣ ଘାସଠାରୁ ଭିନ୍ନ। ଏହି ବହୁମୂଲ୍ୟ ଘାସକୁ ଗନ୍ଧଯୁକ୍ତ ଘାସ ବୋଲି ମଧ୍ୟ କୁହାଯାଇଥାଏ। ଏହି ଘାସରୁ ପ୍ରସ୍ତୁତ ହେଉଛି ବହୁମୂଲ୍ୟ ସୁଗନ୍ଧିତ ତେଲ। ଏହି ତେଲରୁ ଅତର, ବାସ୍ନା ସାବୁନ, ରୁମ ସ୍ପ୍ରେୟର ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏପରିକି ଔଷଧ ପ୍ରସ୍ତୁତିରେ ମଧ୍ୟ ଏହି ତେଲକୁ ବ୍ୟବହାର କରାଯାଇଥାଏ। ଦେହହାତ ବିନ୍ଧା, ଦରଜ ହେଲେ ଏହି ତେଲକୁ ଲଗାଇଲେ ମଧ୍ୟ ଉପଶମ ମିଳିଥାଏ। ରୁମାଟିଜିମ ରୋଗ ପାଇଁ ଏହା ମହୌଷଧୀ କହିଲେ ଚଳିବ।

 

ଏହି ଘାସକୁ  ପାତନ ପ୍ରକ୍ରିୟାରେ ତେଲ ବାହାର କରାଯାଇଥାଏ।  ଆସନ୍ତୁ ଦେଖିବା ଏକର ଏକର ଚାଷ ଜମିରେ କିପରି ତେଲ ପ୍ରସ୍ତୁତ ହେଉଛି ।

ଭାରତରେ ଏକ ବହୁମୂଲ୍ୟ ଏବଂ ବିରଳ ଚାଷ ହେଉଛି ପାମାରୋସା ଏବଂ ଲେମନ ଗ୍ରାସ୍ ଚାଷ । ଏହି ଚାଷ ଏବେ ଆରମ୍ଭ ହୋଇଛି ବୌଦ୍ଧ ଜିଲ୍ଲା ମନୁପାଲି ଓ ବାଉଁଶୁଣି ପଞ୍ଚାୟତରେ । ପ୍ରାୟ ୧୦୦ ଏକର ଚାଷ ଜମିରେ ଲଗାଯାଇଛି ଏହି ବିରଳ ଗନ୍ଧଯୁକ୍ତ ଘାସ । ପାମାରୋସା ଘାସକୁ ଉଦ୍ଭିଦ ବିଜ୍ଞାନ ଭାଷାରେ ସିମ୍ବୋପୋଗୋନ ମାରଟିନି ମୋଟିଆ ବୋଲି କୁହାଯାଇଥାଏ। ସେହିପରି ଲେମନ୍ ଗ୍ରାସ୍ ଭଳି ପ୍ରଜାତିକୁ କେବଳ ସିମ୍ବୋପୋଗୋନ କୁହାଯାଇଥାଏ ।

ଏହି ଘାସକୁ ଚାଷ କରି ପାତନ ପ୍ରକ୍ରିୟା ଦ୍ୱାରା ଉତ୍ପାଦିତ କରି ବାଷ୍ପଶୀଳ ତୈଳ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଇଂରାଜୀରେ ଷ୍ଟିମ୍ ଡ଼ିଷ୍ଟିଲେସନ୍ ପ୍ରକ୍ରିୟା କୁହାଯାଏ । ଲେମନଗ୍ରାସରୁ ବାହାର କରାଯାଉଥିବା ତେଳର ମୂଲ୍ୟ ଅଧିକ ଥିବା ବେଳେ ବିଭିନ୍ନ ରୋଗର ନିରାକରଣ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଏ । ସେହିପରି ପାମୋରୋସା ଘାସକୁ ସୁଗନ୍ଧ ଅତର, ବାସନା ସାବୁନ, ରୁମ ସ୍ପ୍ରେ ତିଆରି ପାଇଁ ବ୍ୟବହାର କରାଯାଏ ।

ଗତ ତିନି ବର୍ଷ ହେଲା ଏହି ଚାଷ ବୌଦ୍ଧରେ ଆରମ୍ଭ ହୋଇଛି। ତେବେ ଦୁଃଖର କଥା ଏହି ଚାଷ ପାଇଁ ସରକାରୀ ପ୍ରୋତ୍ସାହନ, ସହଯୋଗ କିଛି ନାହିଁ। ଏପରିକି ଓଡ଼ିଶାରେ ଯେ ଏପରି ଚାଷ ହୋଇପାରିବ ସେ କଥା ପ୍ରାୟ ଜାଣି ନାହାନ୍ତି। ଆନ୍ଧ୍ରରୁ କିଛି ବେପାରୀ ଆସି ଏଠାରେ ୧୦୦ ଏକର ଜମି ଲିଜ୍‌ ନେଇ ଏହି ଚାଷ କରୁଛନ୍ତି।

ଏହି ବହୁମୂଲ୍ୟ ଘାସ ଚାଷର ଚାହିଦା ଶୀଳ୍ପବିହୀନ ଓଡ଼ିଶାରେ ନଥିବା ବେଳେ ଏହାକୁ କେବଳ ହାଇଦ୍ରାବାଦ,ଦିଲ୍ଲୀ, ମୂମ୍ବାଇ ଭଳି ସହରରେ ବିକ୍ରି କରାଯାଉଛି । ତେଣୁକରି ଏହାର ଦାମ ଆକାଶ୍ ଛୁଆଁ । ବର୍ଷକୁ ୪ଥର ଏହି ଘାସକୁ ଜମିରୁ କଟାଯାଏ । ଆଉ କେବଳ ଏକ ଏକର ଲେମନ୍ ଗ୍ରାସରୁ ଏକାଥରେ ୯୦ଲିଟର୍ ତେଲ ପ୍ରସ୍ତୁତ ହେଉଥିବା ବେଳେ ପାମୋରୋସା ଘାସରୁ ୫୦ଲିଟର୍  ତେଲ ବାହାର କରାଯାଏ ।

ପାଞ୍ଚ କୁଇଣ୍ଟାଲ୍ ଟାଙ୍କିରେ ଘାସ କାଟି ଦେଢ ଘଣ୍ଟା ବାଷ୍ପ କରିବା ପରେ କଣ୍ଟେଜର ସାହାଯ୍ୟରେ ପାଣି ଏବଂ ତେଲକୁ ଅଲଗା କରାଯାଏ । ଏହି ତେଲ ଲିଟର ଦାମ ସ୍ଥାନୀୟ ବଜାରରେ ମାତ୍ର ୧୨୦୦ ଟଙ୍କା ଥିବାବେଳେ ବାହାରେ ବହୁତ ଅଧିକ ଟଙ୍କାରେ ବିକ୍ରି କରି କୋଟି କୋଟି ଟଙ୍କା ପାଉଛନ୍ତି  ଆନ୍ଧ୍ର ବେପାରୀ। ତେବେ ବୌଦ୍ଧ ଚାଷୀ କେବଳ ଜମି ଲିଜ୍‌ର ମୂଲ୍ୟ ଯାହା ପାଉଛନ୍ତି।

ଏହି ଚାଷ ବିଷୟରେ କେହି ଜାଣି ନ ଥିବାରୁ ବହୁତ କମ୍ ଚାଷୀ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି ।  ଅନ୍ୟ ଚାଷୀମାନେ ଏଥିପତି ଆଗ୍ରହ ଦେଖାଇଲେ ଲାଭବାନ ହୋଇପାରିବେ ବୋଲି କହିଛନ୍ତି ଘାସ ଚାଷୀ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜମିକୁ ଲିଜ ସୂତ୍ରରେ ନେଇ ଏଇ ଘାସ ଚାଷ କରିବା ସହ ଘାସରୁ ତେଲ ପ୍ରସ୍ତୁତ କରି ବାହାର ରାଜ୍ୟରେ ବିକି ବେଶ ଦି ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ଏଠାକାର ଶ୍ରମିକମାନଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି। ଅନ୍ୟପଟେ ଓଡ଼ିଶାରେ କୌଣସି ଶିଳ୍ପ ନଥିବା ଯୋଗୁ ଏହାର ଚାହିଦା ବଢୁଛି। ଓଡ଼ିଶା ଚାଷୀମାନଙ୍କ ଏଥିପ୍ରତି ଆଗହ ବଢୁଛି। ସରକାର ବି ସହୟତା ଯୋଗାଇ ଦେଉଛନ୍ତି ବୋଲି କହିଛନ୍ତି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ର।

ତେଣୁ ଏହି ବିରଳ ଚାଷରୁ ଲାଭବାନ ହେବା ପାଇଁ ଏହାକୁ ଲୋକଲୋଚନକୁ ଆଣିବା ସହିତ ଅନ୍ୟ ଚାଷୀମାନଙ୍କୁ ପ୍ରୋତ୍ସହନ ଯୋଗାଇଲେ ଚାଷୀମାନ ଭଲ  ରୋଜଗାର କରିପାରିବେ ଏଥିରେ ସନ୍ଦେହ ନାହିଁ।

You might also like