ରାସ୍ତା ନା ମରଣଯନ୍ତା !

ଗଜପତି: ସଡ଼କ ସୁରକ୍ଷା ସମ୍ବନ୍ଧରେ ସରକାର ଅନେକ ସଚେତନାମୂଳକ କାର୍ଯ୍ୟକ୍ରମ କରୁଛନ୍ତି। ଲୋକେ କେମିତି ଦୁର୍ଘଟଣାରୁ ବର୍ତ୍ତିପାରିବେ ସେଇ ଲକ୍ଷ୍ୟ ନେଇ ସରକାରଙ୍କର ଏତେସବୁ କାର୍ଯ୍ୟକ୍ରମ ହେଉଛି। ହେଲେ ସରକାରଙ୍କ ସତ ଚେଷ୍ଟା ଫେଲ୍‌ ମାରୁଛି।

ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସତର୍କତା ବୋର୍ଡ ସହ ପାଚେରୀ ନିର୍ମାଣ ନ କରିବାରୁ ଅନେକ ଲୋକଙ୍କ ପ୍ରାଣହାନୀ ହେଉଥିବାର ଗଜପତି ଜିଲ୍ଲାବାସୀ ଅଭିଯୋଗ କରିଛନ୍ତି। ତେଣୁ ଆଗାମୀ ଦିନରେ ଏନେଇ ସରକାର କିଛି ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଜିଲ୍ଲାର ମୋହନା ବ୍ଲକ୍ ରାମଗଡ଼ ନିକଟସ୍ତ କେନ୍ଦୁଘାଟିରୁ ମୋହନାକୁ ମାତ୍ର ୨ କିଲୋମିଟର ରାସ୍ତା, ହେଲେ ଏହାରି ମଧ୍ୟରେ ଥିବା କେନ୍ଦୁଘାଟି ଓ ଲେଡ଼ବନ୍ଧର ବୁଲାଣିଆ ରାସ୍ତା ଲୋକଙ୍କ ଲାଗି ମରଣଯନ୍ତା ପାଲଟିଛି।

ମୋହନା ପୂର୍ବରୁ ପଡ଼ୁଥିବା ଏହି ଘାଟିରାସ୍ତା କେନ୍ଦୁଘାଟିଠାରେ ‘ୟୁ’ ଆକାରର ରହିଛି। ଏଥିସହ ଦୁଇ ପାର୍ଶ୍ୱରେ କୌଣସି ବ୍ୟାରିକେଡ୍ ନଥିବାରୁ ଗାଡ଼ି ଭାରସାମ୍ୟ ହରାଇ ପ୍ରାୟ ସମୟ ଓଲଟି ପଡ଼ୁଛି। ଏହି ରାସ୍ତାକୁ କାଟି ପୁଣି ଥରେ ରାସ୍ତା ନିର୍ମାଣ କଲେ ଦୁର୍ଘଟଣା କମିପାରିବ ବୋଲି ସେହି ରାସ୍ତା ଦେଇ ଯାଉଥିବା ଡ୍ରାଇଭରମାନେ କହିଛନ୍ତି।

ଅନ୍ୟପଟେ ସମସ୍ୟାର ସମାଧାନ ସହ ଲୋକଙ୍କୁ ଗାଡ଼ିର ଗତି ନିୟନ୍ତ୍ରଣ କରିବା ପାଇଁ ସଚେତନ କରାଇବା ସହ ୩୨୬ନମ୍ବର୍ ଜାତୀୟ ରାଜପଥର ଅନେକ ସ୍ଥାନରେ ସାଇନବୋର୍ଡ ଲଗାଯିବାର ଆବଶ୍ୟକ ରହିଛି ବୋଲି ମୋହନା ଥାନା ଅଧିକାରୀ କହିଛନ୍ତି।

You might also like