ଧମକ ଦେଲା ଚାଇନା-ଆମ ଟିକା ନ ନେଲେ ମିଳିବନି ଭିସା

ନୂଆଦିଲ୍ଲୀ: ନିଜର ଅବହେଳା ପାଇଁ ସାରା ବିଶ୍ୱକୁ କରୋନା ପରି ବିପଦ ମୁହଁକୁ ଠେଲି ଦେଇଥିବା ଚୀନ ପୁଣି ଏବେ  ଟିକାକୁ ନେଇ ଦାଦାଗିରି ଦେଖଉଛି। ଇତି ମଧ୍ୟରେ ଅନେକ ଦେଶ କରୋନା ଭାକ୍ସିନ ବାହାର କରିଥିବାବେଳେ ଚାଇନା ବି ପଛରେ ପଡ଼ିନାହିଁ। ତେବେ ଚୀନ୍ ଦ୍ୱାରା ବିକଶିତ ଟିକା ନେବାକୁ ଅନେକ ଦେଶ ଅମଙ୍ଗ ହେଉଛନ୍ତି । ବିଶ୍ୱସ୍ତରରେ ଆସ୍ଥା ସାଉଁଟି ପାରୁନି  ଚାଇନା ପ୍ରସ୍ତୁତ ସିନୋଭ୍ୟାକ୍। ଏଭଳି ସ୍ଥିତିରେ ଜୋର ଜବରଦସ୍ତ ଲୋକଙ୍କୁ ଟିକା ନେବା ପାଇଁ ଏକପ୍ରକାର ବାଧ୍ୟ କରୁଛି ଚାଇନା । ଭିସା ଦେବା ବାହାନାରେ ଟିକାକୁ ନେଇ ଏକ ନୂଆ ନିୟମ ଘୋଷଣା କରିଛନ୍ତି ଜିନ୍‌ପିଙ୍ଗ ପ୍ରଶାସନ ।

ଗତ ମାର୍ଚ୍ଚରୁ ଚୀନ୍ ଅଧିକାଂଶ ବିଦେଶୀଙ୍କ ପାଇଁ ନିଜ ସୀମା ବନ୍ଦ ରଖିଥିବାବେଳେ ଏବେ ଏହାକୁ କୋହଳ କରିଛି । ତେବେ ସର୍ତ୍ତ ରଖାଯାଇଛି, କେବଳ ଚୀନି କରୋନା ଟିକା ନେଇଥିବା ଲୋକଙ୍କୁ ହିଁ ବେଜିଂ ଭିସା ଯୋଗାଇଦେବ । ଆମେରିକାରେ ଅବସ୍ଥାପିତ ଚୀନ୍ ଦୂତାବାସ ପକ୍ଷରୁ ଏହି ବୟାନ ଜାରି କରାଯାଇଛି ।

ଭିସା ଆବେଦନକାରୀମାନେ କେବଳ ଚୀନ ଦ୍ୱାରା ବିକଶିତ କରୋନା ଟିକା ନେଇଥିଲେ ହିଁ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି । ଭାରତ, ପାକିସ୍ତାନ, ଇଟାଲି, ଫିଲିପିନ୍ସ, ଅଷ୍ଟ୍ରେଲିଆ, ସାଉଥ୍‌ କୋରିଆ, ନାଇଜେରିଆ, ଇସ୍ରାଏଲ, ନରୱେ ଓ ଶ୍ରୀଲଙ୍କାରେ ଅବସ୍ଥାପିତ ଚୀନ୍ ଦୂତାବାସ ପକ୍ଷରୁ ମଧ୍ୟ ସମାନ ବୟାନ ଜାରି କରାଯାଇଛି । ଯେଉଁମାନେ ମେଡ୍ ଇନ୍ ଚାଇନା ଟିକାର ୨ଟି ଡୋଜ୍ ନେଇଥିବେ କିମ୍ବା ଭିସା ଆବେଦନ କରିବାର ଅନ୍ତତଃ ୧୪ ଦିନ ପୂର୍ବରୁ ଗୋଟିଏ ଡୋଜ୍ ନେଇଥିବେ କେବଳ ସେମାନଙ୍କୁ ହିଁ ଭିସା ମିଳିବ ।  ଚୀନ୍‌ରେ ପହଞ୍ଚିବା ପରେ ୩ ସପ୍ତାହ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ ବୋଲି କୁହାଯାଇଛି । ଭାରତ ସମେତ ୧୯ଟି ଦେଶକୁ ଏପରି ଧମକ ଦେଇଛି ଚାଇନା।

ସୂଚନାଥାଉ କି, ଚୀନ୍‌ରେ ଏ‌ବେ ୪ ପ୍ରକାର ଟିକା ପ୍ରସ୍ତୁତ ହୋଇଥିବା କୁହାଯାଉଛି। ଏଭଳି ନିୟମ ଦ୍ୱାରା ଚୀନ୍ ଜଣାଇବାକୁ ଚାହୁଁଛି ଯେ, କେବଳ ସ୍ୱପ୍ରସ୍ତୁତ ଟିକାକୁ ଛାଡ଼ି ଅନ୍ୟ ଦେଶର ଭ୍ୟାକ୍ସିନ ଭରସାଯୋଗ୍ୟ ନୁହେଁ ।

You might also like