ଶୃଙ୍ଖଳିତ ଦର୍ଶନ ମାନେ କ’ଣ ଧାଡ଼ି ଦର୍ଶନ ?

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନର ମାନେ ଧାଡ଼ି ଦର୍ଶନ କି ? ତା’ ସହ ପ୍ରଶ୍ନ ଉଠିଛି ଅକ୍ଟୋବର ୧ରୁ ଲାଗୁ ହୋଇଥିବା ଏ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରିଥିଲେ ନା ତରବରିଅା କାର୍ଯ୍ୟକାରୀ କରିଥିଲେ ଯାହାର ଫଳ ଅାଜି ଭୋଗିବାକୁ ପଡ଼ିଲା। ଜିଲ୍ଲାପାଳ କହିଛନ୍ତି ପୁରୀ ଲୋକଙ୍କୁ ଅନ୍ୟ ୩ ଦ୍ୱାରରେ କେମିତି ପ୍ରବେଶ କରାଇ ହେବ ସେ ଦିଗରେ ଗୁରୁତ୍ୱର ସହ ବିଚାର ଚାଲିଛି। ସେପଟେ ବହୁ ଭକ୍ତ ଓ ସେବାୟତ ଧାଡ଼ି ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି।

ସୋମବାର, ମଙ୍ଗଳବାର ଓ ଅାଜି କ୍ରମାଗତ ୩ ଦିନ ଧରି ସିଂହଦ୍ୱାର ଅାଗରେ ସକାଳବେଳା ଉପୁଜୁଛି ଏଭଳି ଚରମ ବିଶୃଙ୍ଖଳା। ବ୍ୟାରିକେଡ଼ ଭାଙ୍ଗି ଶ୍ରୀମନ୍ଦିରକୁ ଧସେଇ ପଶୁଛନ୍ତି ଭକ୍ତ। ମଙ୍ଗଳଅାଳତି ଦର୍ଶନ ପାଇଁ ଅପେକ୍ଷାରତ ସ୍ଥାନୀୟ ଭକ୍ତଙ୍କୁ ପୋଲିସ ବ୍ୟାରିକେଡ୍ ଦେଇ ଲାଇନ୍‌ରେ ଅାସିବାକୁ କହିବା ସହ ଅନ୍ୟ ତିନି ଦ୍ୱାରରେ ବାଟ ଓଗାଳୁଥିବାରୁ ଉପୁଜୁଛି ଏଭଳି ବିଷମ ସ୍ଥିତି। ତେଣୁ ସେ ଅସନ୍ତୋଷର ନିଅାଁ, ଅାଜି ଉଗ୍ରରୂପ ନେଇଥିଲା।

ତେବେ ଏଠି ପ୍ରଶ୍ନ, ସୁପ୍ରିମକୋର୍ଟ ଦେଇଥିବା ଶୃଙ୍ଖଳିତ ଦର୍ଶନର ମାନେ ଧାଡ଼ି ଦର୍ଶନ କି ? ଯଦି ହଁ, ତା’ହାଲେ ସବୁ ଦିଗରୁ ବିଚାର କରି ବ୍ୟବସ୍ଥା ଲାଗୁ ହୋଇଥିଲା ନା ଏହା ତରବରିଅା ନିଷ୍ପତ୍ତି ଥିଲା। ପୂର୍ବରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ ସପ୍ତାହକୁ ଦିନେ କିମ୍ବା ଦୁଇ ଦିନ ଲାଗୁ ହେବ ବୋଲି କୁହାଯାଇଥିଲେ ବି ଲାଗ ଲାଗ ତିନି ଦିନ ଧରି ଚାଲିଲା କାହିଁକି ?ତତ୍‌କ୍ଷଣାତ୍ ନିଷ୍ପତ୍ତି ବଦଳାଇ ମହାପ୍ରସାଦ ଚାହୁଁଥିବା ଭକ୍ତ ଉତ୍ତରଦ୍ୱାର ଦେଇ ଅାନନ୍ଦ ବଜାରକୁ ଯାଇ ପାରିବେ ଓ ମଙ୍ଗଳ ଅାଳତି ଦର୍ଶନ ପାଇଁ ସ୍ଥାନୀୟ ଲୋକଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି କାହିଁକି ଘୋଷଣା କରିଥିଲେ ମୁଖ୍ୟ ପ୍ରଶାସକ। ତେଣୁ କେଉଁଠି ନାଁ କେଉଁଠି ଶ୍ରୀମନ୍ଦିରର ପ୍ରଶାସନର ଏ ଦିଗରେ ଦୂରଦୃଷ୍ଟିର ଅଭାବ ଜଳ ଜଳ ବାରି ହୋଇ ପଡିଥିଲା। ଅାଉ ଅାଜିର ହିଂସାତ୍ମକ ବିରୋଧ ପରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାଶ କହିଛନ୍ତି ପୁରୀ ବାସିନ୍ଦାଙ୍କ ପାଇଁ ତିନି ଦ୍ୱାରରେ ପ୍ରବେଶ ନେଇ ଗୁରୁତ୍ୱର ସହ ବିଚାର କରାଯାଉଛି।

ଏକଥା ନୁହେଁ ଯେ, ଅାଗରୁ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା ନଥିଲା। ଅଧିକ ଭିଡ଼ ରହୁଥିବା ପର୍ବପର୍ବାଣି ଯେମିତିକି କାର୍ତ୍ତିକ ପୂର୍ଣ୍ଣମୀ, ନୂଅାବର୍ଷ, ଦୋଳ ପୂର୍ଣ୍ଣମୀ ଓ ଦଶହରାରେ ସିଂହଦ୍ୱାର ସାମ୍ନା ବ୍ୟାରିକେଡ଼ ଦେଇ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଥିଲା। ତା’ସହ ଅନ୍ୟ ଦ୍ୱାର ଦେଇ ବି ଯାଇ ପାରୁଥିଲେ ଭକ୍ତ। ହେଲେ ପହିଲାରୁ ଅନ୍ୟ ତିନି ଦ୍ୱାରରେ ଭକ୍ତଙ୍କ ସମ୍ପୂର୍ଣ୍ଣ ପ୍ରବେଶ କଟକଣା ଲାଗିଛି। ଘଣ୍ଟା ଘଣ୍ଟା ଧରି ଛୋଟ ପିଲା, ବୟୋବୃଦ୍ଧଙ୍କୁ ଧୁ ଧୁ ଖରାରେ ଛିଡ଼ା ହେବାକୁ ପଡୁଥିବାରୁ ତେଜିଛି ଭକ୍ତ, ସେବାୟତ ଓ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ। ଏମିତିକି ଏ  ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବି ଉଠିଲାଣି ଦାବି ।

ଅାସୁଛି ଦୁର୍ଗାପୂଜା, ତା ସାଙ୍ଗକୁ ଅାରମ୍ଭ ହେବ କାର୍ତ୍ତିକ ମାସ। ତେଣୁ ଅାଗକୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ କାର୍ଯ୍ୟକାରୀ ସହ କିଭଳି ଭିଡ଼ ନିୟନ୍ତ୍ରଣ ହୋଇପାରୁଛି, ତା ଉପରେ ନଜର।

(ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)

 

You might also like