ଭାରତରେ କରୋନା ଭାଇରସ୍ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସବୁଠି ଆତଙ୍କ । ଏହାକୁ ନେଇ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ବ୍ୟବସ୍ଥା କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ। ରାଜ୍ୟରେ ବିଭାଗ ପକ୍ଷରୁ କି ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି   ସେ ନେଇ ଆଲୋଚନା ହେବ ।

ସୂଚନାଥାଉ କି, ଏବେ କରୋନା ଭୂତାଣୁ ସଂକ୍ରମଣରେ ଚୀନ୍‌ରେ ୮୦ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ଏହି ଭୂତାଣୁ ଏବେ ବିଶ୍ୱର ୧୫ଟି ଦେଶକୁ ବ୍ୟାପିଥିବା ବେଳେ ୨ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ଅଧିକାଂଶ ଲୋକ ଚୀନର ବୋଲି ଜଣାପଡ଼ିଛି । ଏହି ଭୂତାଣୁ ସଂକ୍ରମଣକୁ ନେଇ ରାଷ୍ଟ୍ରପତି ସି ଜିନପିଙ୍ଗ ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ଭୂତାଣ ସଂକ୍ରମଣକୁ ନେଇ ବେଜିଂରେ ଅବସ୍ଥିତ ଭାରତୀୟ ଦୂତାବାସ ସତର୍କ ହୋଇଛି । କେହି ଭାରତୀୟ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ତଦାରଖ କରୁଛି । 

ଅନ୍ୟପକ୍ଷେ ଏନ୍‌ଡିଟିଭି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କରୋନା ଭାଇରସରେ ଜଣେ ଭାରତୀୟ ଡାକ୍ତର ଆକ୍ରାନ୍ତ ହୋଇ ରାଜସ୍ଥାନ ଜୟପୁରର ସବାଇ ମାନସିଂହ ଡାକ୍ତରଖାନାରେ ଭର୍ତ୍ତି ହାଇଛନ୍ତି। ତାଙ୍କୁ ଏକ ଅଲଗା ୱାର୍ଡରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଡାକ୍ତୀର ଚୀନ୍‌ରେ ଏମ୍‌ବିବିଏସ୍‌ ପାଠ ସାରି ଭାରତ ଫେରିଛନ୍ତି। ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଡାକ୍ତରଖାନା ପ୍ରଶାସନକୁ ଡାକ୍ତରଙ୍କ ପରିବର ସଦସ୍ୟଙ୍କର ଡାକ୍ତରୀ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଦିଗ୍ଧ ରୋଗୀଙ୍କ ରକ୍ତ ନମୁନା ତୁରନ୍ତ ପୁନେସ୍ଥିତ ଲ୍ୟାବକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଥ୍ୟ ଅନୁଯାୟୀ, ରାଜ୍ୟର ୪ ଜିଲ୍ଲାର ୧୮ ଜଣ ଲୋକ ଚୀନରୁ ଫେରିଛନ୍ତି। ଏହି ୪ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ  ୨୮ ଦିନ ପର୍ଯ୍ୟନ୍ତ ସେମାନଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛିଯ

 କରୋନା ଭାଇରସ ନେଇ ରାଜ୍ୟ ସରକାର ମଧ୍ୟ ତତ୍ପରତା ପ୍ରକାଶ କରିଛନ୍ତି । ବିଭିନ୍ନ ବଡ଼ ମେଡିକାଲ ଗୁଡ଼ିକରେ ଖୋଲାଯାଇଛି ସ୍ୱତନ୍ତ୍ର ଓ୍ୱାର୍ଡ । ଏହାସହ ଏୟାରପୋର୍ଟ, ଷ୍ଟେସନ ଓ ପୋର୍ଟରେ ଯାତ୍ରୀଙ୍କ ଉପରେ ସତର୍କ ନଜର ରଖିବାକୁ ଜାରି ହୋଇଛି ଆଡଭାଇଜରି। ଯଦି କେହି ଏଭଳି ରୋଗରେ ପୀଡିତ ଥିବା ସନ୍ଦେହ କରାଯାଏ, ତେବେ ତୁରନ୍ତ ସେମାନଙ୍କୁ ସ୍ୱତନ୍ତ୍ର ଓ୍ୱାର୍ଡକୁ ନେଇ ଚିକିତ୍ସା କରିବାକୁ ନିର୍ଦ୍ଦେଶ ରହିଛି ।

ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ନୋଟିସ ଜାରି ହୋଇଛି ବିମାନବନ୍ଦରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।  ହସ୍ପିଟାଲ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗକୁ ମଧ୍ୟ ଏନେଇ ନିର୍ଦ୍ଦେଶ ରହିଛି।

You might also like