ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ପାକିସ୍ତାନକୁ ଏଫଏଟିଏଫ୍‌ର କଡ଼ା ଚେତାବନୀ

ପ୍ୟାରିସ୍‌: ପୁଣି ପାକିସ୍ତାନକୁ ଆଜି ଶକ୍ତ ଧକ୍କା ଦେଇଛି ଫାଇନାନ୍‌ସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍‌ଏଟିଏଫ୍‌)। ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନ ଉପରେ କ୍ଷୁବ୍ଧ ହୋଇଛି।

ଯଦି ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏହାର ପରିଣାମ ଇମ୍ରାନ୍‌ ଖାନ୍‌ ସରକାରଙ୍କୁ ଭୋଗିବାକୁ ହେବ ବୋଲି ଆଜି ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି।

ଏଫ୍‌ଏଟିଏଫ୍‌ ପକ୍ଷରୁ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖାଯାଇଛି। ଅର୍ଥାତ୍‌ ଆତଙ୍କବାଦ ବିରୋଧରେ ପାକିସ୍ତାନର କାର୍ଯ୍ୟ ସନ୍ଦେହ ଘେରରେ ରହିଛି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଫଏଟିଏଫ୍‌ ପାକିସ୍ତାନ ଆଗରେ ୨୭ଟି ସର୍ତ୍ତ ରଖିଥିଲେ ହେଁ ଇମ୍ରାନ୍‌ ଖାନ୍‌ଙ୍କ ସରକାର ଏଥି ମଧ୍ୟରୁ ୨୨ଟି ପୂରଣ କରିପାରି ନାହାନ୍ତି ବୋଲି ଏଫଏଟିଏଫ୍‌ ପକ୍ଷରୁ କୁହାଯାଇଛି।

ଅନ୍ତର୍ଜାତୀୟ ଆର୍ଥକ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଟେରର ପଣ୍ଡିଂ ଓ ବିଶ୍ୱ ସ୍ତରୀୟ ମନିଲଣ୍ଡରିଂ ଭଳି କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ୧୯୮୯ ମସିହାରେ ଏଫଏଟିଏଫ ଗଠନ ହୋଇଥିଲା। ପାକିସ୍ତାନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ପ୍ରମାଣ ମିଳିବା ପରେ ୨୦୧୮ରେ ଉକ୍ତ ସଂସ୍ଥା ଇସଲାମାବାଦକୁ ତା’ର ଗ୍ରେ ଲିଷ୍ଟରେ ରଖିଥିଲା।

୨୦୧୯ ଅକ୍ଟୋବର ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା। ହେଲେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଏଫଏଟିଏଫ୍‌ ଏହାକୁ କଳା ତାଲିକା ଭୁକ୍ତ କିମ୍ବା ଡାର୍କ ଗ୍ରେ ଲିଷ୍ଟରେ ସାମିଲ କରିବାକୁ ତର୍ଜମା ଆରମ୍ଭ କରିଥିଲା। ଏନେଇ ଗତ ୧୩ ତାରିଖରୁ ପ୍ୟାରିସରେ ବୈଠକ ମଧ୍ୟ ବିସିଥିଲା। ଏହି ବୈଠକରେ ପାକିସ୍ତାନର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଏଫଏଟିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ୨୦୨୦ ଫେବୃଆରୀ ମାସ ସୁଦ୍ଧା ଉପଯୁକ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଯଦି ଏହି ସମୟରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏଫଏଟିଏଫ୍‌ର ପରବର୍ତ୍ତୀ ବୈଠକରେ ଇସଲାମାବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପାକିସ୍ତାନ ସହ ବ୍ୟବସାୟିକ ଓ ଅନ୍ୟାନ୍ୟ ସମ୍ପର୍କ ରଖିଥିବା ଦେଶ ଓ ପ୍ରତିଷ୍ଠାନ ଗୁଡ଼ିକ ଆର୍ଥିକ କାରବାର ବେଳେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ। କାରଣ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ”

ପ୍ୟାରିସ୍‌ରେ ଏଫଏଟିଏଫ୍‌ ବୈଠକ ୧୩ରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ପାକିସ୍ତାନର ଏକ ପ୍ରତିନିଧି ଦଳ ଏଫ୍‌ଏଟିଏଫ୍‌ ଅଧିକାରୀଙ୍କୁ ଭେଟି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଉ କିଛି ଦିନ ସମୟର ଆବଶ୍ୟକ ରହିଛି ବୋଲି ନିବେଦନ କରିଥିଲେ। ଏଥିରେ ଏଫଏଟିଏଫ୍‌ ରାଜି ହେବା ସହ ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିଥିବା ଜଣାପଡ଼ିଛି।

ପାକିସ୍ତାନ ପୂର୍ବଭଳି ଗ୍ରେ ଲିଷ୍ଟରେ ରହିଥିବାରୁ ଆର୍ଥିକ ସ୍ତରରେ ଦୁର୍ବଳ ହୋଇଯାଇଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କ ଅଡ଼ୁଆ ଆହୁରି ବଢ଼ିଛି। କାରଣ ଆଇଏମଏଫ୍‌ ଓ ବିଶ୍ୱ ବ୍ୟାଙ୍କ ପାକିସ୍ତାନକୁ ଆର୍ଥିକ ସହାୟତା ଦେବା ପୂର୍ବରୁ ଅନେକ ବିଷୟରେ ତର୍ଜମା କରିବେ। ସେମାନେ ସନ୍ତୋଷ ଲାଭ କଲେ ଯାଇ ପାକିସ୍ତାନକୁ ଆର୍ଥି ସହାୟତା ମିଳିପାରିବ।

You might also like