ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

ମାଉଣ୍ଟ ମାଉଙ୍ଗାନୁଇ: ସୁପର୍ ସଣ୍ଡେରେ ଜବରଦସ୍ତ ବିଜୟ ସହ ଟି-୨୦ ସିରିଜକୁ ହ୍ୱାଇଟୱାଶ୍ କରି ନେଇଛି ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଦଳ କ୍ରମାଗତ ପଞ୍ଚମ ମ୍ୟାଚରେ ପରାସ୍ତ ହୋଇଛି। ବେ ଓଭାଲରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଭାରତ ୭ ରନରେ ନ୍ୟୁଜିଲ୍ୟାଣ୍ଡ୍‌କୁ ପରାସ୍ତ କରି ବିଶ୍ୱକପ୍ ପାଇଁ ତା’ର ପ୍ରସ୍ତୁତି ଅଧିକ ମଜଭୁତ୍ କରିଛି। ଏହି ବିଜୟ ସହ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୫-୦ରେ ପୋଛି ନେଇଛି।

ରବିବାର ଖେଳାଯାଇଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୧୬୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ବିରାଟ୍ କୋହଲିଙ୍କ ସ୍ଥାନରେ କ୍ୟାପଟେନ୍ ଦାୟିତ୍ୱ ବହନ କରିଥିବା ରୋହିତ୍ ଟପ୍ ସ୍କୋରର ଭାବେ ସର୍ବାଧିକ ୬୦ (୪୧ ବଲ୍‌, ୩ ଚୌକା, ୩ ଛକା) ରନ୍ କରିଥିବା ବେଳେ ରାହୁଲ୍ ୪୫ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ୨୦ ଓଭରରେ ୯ ୱିକେଟ୍ ହରାଇ ୧୫୬ ରନ୍ କରି ପରାସ୍ତ ହୋଇଛି।

ପୂର୍ବରୁ ଭାରତ ତା’ର ନିୟମିତ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା। କାମଚଳା କ୍ୟାପଟେନ୍ ରୋହିତ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ରାହୁଲ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ବେଳେ ରୋହିତ୍ ସେଟ୍ ହେବା ପାଇଁ ସମୟ ନେଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୮୮ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ରାହୁଲ୍ ବ୍ୟକ୍ତିଗତ ୪୫ (୩୩ ବଲ୍‌, ୪ ଚୌକା, ୨ ଛକା) ରନ୍ କରିଥିବା ବେଳେ ହାମିଶ୍ ବେନେଟ୍ଟଙ୍କ ବଲରେ ଆଉଟ୍ ହୋଇଥିଲେ । ଆୟର୍ ଦ୍ୱାଦଶ ଓଭରରେ କ୍ରିଜରେ ପାଦ ରଖିଥିଲେ ଏବଂ ସାଣ୍ଟନରଙ୍କୁ ଛକା ମାରିଥିଲେ, କିନ୍ତୁ ଡେଥ୍ ଓଭରରେ ସେ ଆଶାମୁତାବକ ଦ୍ରୁତ ରନ୍ କରିପାରିନଥିଲେ। ରୋହିତ୍ ଅର୍ଦ୍ଧଶତକ ମାରିବା ପରେ ଦ୍ରୁତ ରନ୍ କରିଥିଲେ ହେଁ, ଠିକଣା ସମୟରେ ହାମଷ୍ଟ୍ରିଙ୍ଗ୍ ଇଞ୍ଜୁରୀ କାରଣରୁ ରିଟାୟର୍ଡ ହର୍ଟ ହୋଇଥିଲେ।

ରୋହିତ୍ ୪୧ ବଲରେ ୩ ଚୌକା ଓ ୩ ଛକା ସହ ୬୦ ରନ୍ କରିଥିଲେ। ଶିବମ ଦୁବେ ପୁଣିଥରେ ନିରାଶ କରିଥିଲେ ଏବଂ ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଶେଷଭାଗରେ ମନିଷ ପାଣ୍ଡେ ମାତ୍ର ୪ ବଲରେ ଦ୍ରୁତ ୧୧ (୧ ଚୌକା, ୧ ଛକା) ରନ୍ କରି ଭାରତର ସ୍କୋରକୁ ୧୬୩ ରନରେ ପହଞ୍ଚାଇଥିଲେ। ଆୟର୍ ୩୧ ବଲରେ ୧ ଚୌକା ଓ ୨ ଛକା ସହ ୩୩ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ କୁଗେଲାଇନ୍ ୨ଟି ଓ ବେନେଟ୍ଟ ଗୋଟିଏ ୱିକେଟ୍ ନେଇଥିଲେ।

You might also like