Ind vs Aus: ୪ର୍ଥ ଟେଷ୍ଟ ପାଇଁ ରଣନୀତି ପ୍ରସ୍ତୁତ କରୁଛି ଟିମ୍‌ ଇଣ୍ଡିଆ

ସିଡ୍‌ନୀ: ଆଉ ଦିନକ ପରେ ଅର୍ଥାତ୍‌ ୧୫ ତାରିଖ ଅଷ୍ଟ୍ରେଲିଆ ସହ ‘ଟିମ୍ ଇଣ୍ଡିଆ’ ଗାବ୍ବାଠାରେ ଖେଳିବ ଚତୁର୍ଥ ତଥା ଶେଷ ଟେଷ୍ଟ। ଏଥିପାଇଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଖେଳାଳୀ । ଏ ନେଇ ଭାରତ ତା’ର ରଣନୀତି ପ୍ରସ୍ତୁତ କରିଛି। ଆଗାମୀ ମ୍ୟାଚ୍‌ରେ କଙ୍ଗାରୁ ଦଳକୁ କେମିତି ମାତ୍‌ ଦେବେ ସେ ନେଇ  ଭାରତୀୟ ଦଳର ବୋଲିଂ କୋଚ୍ ଭାରତ ଅରୁଣ, ‘ଟିମ୍ ଇଣ୍ଡିଆ’ର ପେସ୍ ବୋଲର ଜସପ୍ରୀତ୍ ବୁମ୍ରାଃ ଓ ସାର୍ଦ୍ଦୁଳ ଠାକୁରଙ୍କ ସହ ବୁଧବାର ଆଲୋଚନା କରିବା ସହ ଟ୍ରିକ୍ ବିଷୟରେ ଆଲୋଚନା କରିଛନ୍ତି । ଇଣ୍ଡିଆ କ୍ରିକେଟ ଟିମ୍‌ର ଅଫିସିଆଲ ଟୁଇଟର ହାଣ୍ଡେଲ୍‌ରେ ଏହାର ଫଟୋ ଶେୟାର କରିଛି ଟିମ୍‌ ଇଣ୍ଡିଆ।

BCCI ଏକ ଟୁଇଟ କରି କହିଛି, ‘ସିଡ୍‌ନୀରେ ଏକ ଐତିହାସିକ ସଫଳତା ପାଇ ଫେରିବା ପରେ ସଂଗଠିତ ହେବାର ଏହା ସମୟ। ଗାବ୍ବାଠାରେ ଖେଳିବାକୁ ଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ ପାଇଁ ଆମେ ପ୍ରସ୍ତୁତି ଆରମ୍ଭ କରି ଦେଇଛୁ।’

ଏକାଧିକ ଖେଳାଳି ଆହତ ହେବା ପରେ ଏବଂ ଜାତିବାଦର ଶିକାର ହେବା ପରେ ଟିମ୍‌ ଇଣ୍ଡିଆ ଆକ୍ରମଣାତ୍ମକ ଢଙ୍ଗରେ ଖେଳି କଙ୍ଗାରୁ ଟିମ୍‌ ହାତରୁ ଏକ ପ୍ରକାର ମ୍ୟାଚ୍‌ ଛଡ଼ାଇ ଆଣିଥିଲା। ଯଦିଓ ମ୍ୟାଚ ଜିତି ପାରି ନ ଥିଲା ତେବେ ହାରିବା ମ୍ୟାଚ୍‌କୁ ଡ୍ର କରି ପାଇଥିଲା ଟିମ୍‌ ଇଣ୍ଡିଆ।

କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେଙ୍କ ଆଉଟ୍ ପରେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଯୁବ ୱିକେଟକିପର ଋଷଭ ପନ୍ତ ଏବଂ ଶେଷ ଭାଗରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଧୈର୍ଯ୍ୟପୂର୍ଣ୍ଣ ପାର୍ଟନରଶିପ୍ ଟିମ୍ ଇଣ୍ଡିଆକୁ ସିଡନୀ ଟେଷ୍ଟକୁ ଡ୍ର’ କରିବାରେ ସହାୟକ ହୋଇଥିଲା।

ତେବେ ଏହା ପୂର୍ବରୁ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପେସର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରା ଜାତିଗତ ଆକ୍ଷେପର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ତୃତୀୟ ଟେଷ୍ଟର ତୃତୀୟ ଦିନରେ ସିରାଜ ଫିଲ୍ଡିଂ କରୁଥିବା ବେଳେ ଦର୍ଶକ ଗ୍ୟାଲେରିରୁ କିଛି ଅଷ୍ଟ୍ରେଲୀୟ ସମର୍ଥକ ତାଙ୍କୁ ଜାତିଗତ ଆକ୍ଷେପ କରିଥିଲେ। ସେପଟେ ଟିମ ଇଣ୍ଡିଆର ଅନ୍ୟତମ ବୋଲର ଜସପ୍ରୀତ ବୁମରାଙ୍କୁ ମଧ୍ୟ ଫିଲଡିଂ କଲାବେଳେ କିଛି ଦର୍ଶକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଧିନାୟକ ଆଜିଙ୍କ୍ୟ ରାହାଣେ ତୁରନ୍ତ ଫିଲ୍ଡ ଅମ୍ପାୟାରଙ୍କ ଆଗରେ ବିଧିବଦ୍ଧ ଅଭିଯୋଗ କରିଥିଲେ । ଏପରି ଅକ୍ଷେପ ଟିମ୍ ଇଣ୍ଡିଆକୁ ବ୍ୟଥିତ କରିଥିଲା।

ତେବେ ଟିମ୍ ଇଣ୍ଡିଆ ୧୫ ତାରିଖ ହେବାକୁ ଥିବା  ୪ର୍ଥ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌କୁ ନେଇ ବେଶ ଉତ୍ସାହିତ। ଯଦିଓ ଜଣଙ୍କ ପରେ ଜଣେ ବରିଷ୍ଠ ଖେଳାଳି ଆହତ ହେବାରୁ ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ି ଯାଇଛି ତଥାପି ଦମ୍‌ର ସହ ଖେଳିବା ପାଇଁ ବଳ ଗୋଟାଉଛି ଟିମ୍‌ ଇଣ୍ଡିଆ।

ସୂଚନା ଥାଉ କି, ପ୍ରଥମେ ମହମ୍ମଦ ଶାମି, ପରେ ଉମେଶ ଯାଦବ ଆହତ ହୋଇଥିବା ବେଳେ କେଏଲ ରାହୁଲ ମଧ୍ୟ ଇଞ୍ଜୁରୀ କାରଣରୁ ବାଦ ପଡ଼ିଛନ୍ତି। ୩ୟ ଟେଷ୍ଟ ବେଳେ ହନୁମା ବିହାରୀ, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ଆହତ ହୋଇ ୪ର୍ଥ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଏବେ ଟିମ୍‌ ଇଣ୍ଡିଆର କାମ ଚଳା ଅଧିନାୟକ ଅଜିଙ୍କ୍ୟ ରାହଣେ ଓ କୋଚ୍‌ ରବି ଶାସ୍ତ୍ରୀ କେଉଁ ୧୧ ଜଣଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ ୪ର୍ଥ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ରହିଥିବା ଟ୍ୱିଟ କରିଛନ୍ତି।  ଆହତ ଖେଳାଳିଙ୍କ ଫଟୋ ପୋଷ୍ଟ କରି “ଏତେ ସବୁ ଖେଳାଳି ଆହତ ହୋଇଛନ୍ତି। ଯଦି  ୧୧ ଜଣ ଖେଳାଳି ହେଉନାହାନ୍ତି, ତା’ହେଲେ ମୁଁ ଅଷ୍ଟ୍ରେଲିଆ ଯିବାକୁ ପ୍ରସ୍ତୁତ” ବୋଲି ଲେଖିଛନ୍ତି। ସେ ଏହି ଟ୍ୱିଟକୁ ବିସିସିଆଇକୁ ଟ୍ୟାଗ ମଧ୍ୟ କରିଛନ୍ତି।

 

You might also like