ସଟ୍‌ଡାଉନ୍‌ରେ ଖୋଲା ରହିବ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ସପ୍ତାହକୁ ୨ ଦିନ ଶନିବାର ଓ ରବିବାର ରାଜ୍ୟର ୧୧ ଜିଲ୍ଲାକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ୧୧ଟି ଜିଲ୍ଲା କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାରୁ ସଟ୍‌ଡାଉନ୍‌ ହୋଇଛି।

ତେବେ ଏହି ସଟ୍‌ଡାଉନ୍‌ ସମୟରେ ସାମାନ୍ୟ କୋହଳ କରାଯାଇଛି। ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବା ଗୁଡ଼ିକୁ ସଟ୍‌ଡାଉନ୍‌ରୁ ବାଦ୍ ଦିଆଯାଇଛି। ସେହିପରି ରାତ୍ରୀକାଳୀନ କର୍ଫ୍ୟୁରୁ ମଧ୍ୟ ଜାତୀୟ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାକୁ ବାଦ୍ ଦିଆଯାଇଛି। ଯଦିଓ ଢାବା ଖୋଲା ରହିବ, କିନ୍ତୁ କେବଳ ଖାଦ୍ୟ ପାର୍ସଲ ଆକାରରେ ପ୍ରଦାନ କରାଯିବ।

ଧାନ, ଚିନାବାଦାମ, ଡାଲି ସଂଗ୍ରହ କାର୍ଯ୍ୟ ମଧ୍ୟ ସଟ୍‌ଡାଉନ୍ ବେଳେ ଚାଲୁ ରହିବ। ଏ ସବୁ କୋହଳ ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି। ଜୁନ୍‌ ୩୦ ଯାଏ ଏହି ନିୟମ ଲାଗୁ ହେବ। ଏହି ସବୁ ଜିଲ୍ଲାର ପ୍ରବେଶ ପଥ, ପ୍ରମୁଖ ସହରରେ ପୁଲିସ୍‌ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।

କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନ ଥିଲେ ଘରୁ ବାହାରିବାରୁ ବାରଣ କରାଯାଇଛି। ସଟ୍‌ଡାଉନ୍‌ ଯୋଗୁ ଏହି ସବୁ ଜିଲ୍ଲାରେ ରାସ୍ତାଘାଟ ଖାଁ ଖାଁ ଦେଖିବାକୁ ମିଳିଛି। ଚଳିତ ମାସର ଏହା ହେଉଛି ଦ୍ୱିତୀୟ ସପ୍ତାହର ଶନି, ରବିବାର ସଟ୍‌ଡାଉନ୍‌।

You might also like