ପ୍ରଧାନମନ୍ତ୍ରୀଙ୍କ ମନର କଥା; ଭାରତୀୟ ଯୁବବର୍ଗ ପାଇଁ କୌଣସି ଚ୍ୟାଲେଞ୍ଜ ବଡ଼ ନୁହେଁ

ନୂଆଦିଲ୍ଲୀ: ଆଉ ୪ଟା ଦିନ ପରେ ଶେଷ ହେବ ୨୦୨୦ ବର୍ଷ। ଚଳିତ ବର୍ଷ ଶେଷ ସଂସ୍କରଣରେ ଦେଶବାସୀଙ୍କୁ ନିଜର ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସିକିଆ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’‌ର ଆଜି ୭୨ ତମ ସଂସ୍କରଣରେ ଦେଶର ଯୁବ ଶକ୍ତି ପ୍ରତି ଗୁରୁତ୍ୱ ଦେବା ସହିତ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ଓ ଜଙ୍ଗଲ ପରିବେଶର ବୃଦ୍ଧି ସମ୍ପର୍କରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ତା ସହିତ  ବର୍ଷ ୨୦୨୦ରେ ଦେଶରେ ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଥିବା ମୋଦି କହିଛନ୍ତି।

ଏବେ ସରକାରଙ୍କ ଉପରେ ଦେଶରେ ଅନ୍ନଦାତାଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ଏଥିପାଇଁ ଦିଲ୍ଲୀ ସୀମାରେ ଆନ୍ଦୋଳନ ବି ଜାରି ରହିଛି। ଏପରି ସ୍ଥଳେ ଦେଶବାସୀଙ୍କ ପାଇଁ ୨୦୨୦ର ଶେଷ ମନ କଥା କହିଛନ୍ତି ମୋଦି। ତେବେ ଏହା ପୂର୍ବରୁ ମୋଦିଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ନଶୁଣିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ଚାଷୀ। ଏଥିପାଇଁ କାର୍ଯ୍ୟକ୍ରମ ବେଳେ ଖୁବ୍ ଜୋର୍‌ରେ ଥାଳି ତଥା ଅନ୍ୟାନ୍ୟ ବାସନ ବଜାଇବା କାର୍ଯ୍ୟକ୍ରମକୁ ବୁଡ଼ାଇ ଦେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ଚାଷୀ ନେତା। ଠିକ୍‌ ଯେପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଥାଳି ବଜାଇ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ କହିଥିଲେ, ସେମିତି ଚାଷୀ ନେତା ଜଗଜିତ ସିଂହ ଦଲେୱାଲ୍ ନିଜ ନିଜ ଘରେ ଥାଇ ବାସନ ବଜାଇ ମୋଦିଙ୍କ କାର୍ଯ୍ୟକ୍ରମ ନଶୁଣିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।

ଏଥର ମନର କଥାରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି?

ଦିନ ୧୧:୩୨- ଭାରତୀୟ ଯୁବବର୍ଗ ପାଇଁ କୌଣସି ଚ୍ୟାଲେଞ୍ଜ ବଡ଼ ନୁହେଁ।

ପ୍ରଧାନମନ୍ତ୍ରୀ- ଭାରତର ଯୁବବର୍ଗଙ୍କୁ ଦେଖିଲେ ମୋତେ ଆଶ୍ୱାସନା ମିଳେ ଓ ମୁଁ ଆନନ୍ଦିତ ହୁଏ। କାରଣ ମୋ ଦେଶର ଯୁବବର୍ଗଙ୍କ ଠାରେ ‘ଆମେ କରିପାରିବା’ର ଆଭିମୁଖ୍ୟ ଓ ‘ଆମେ କରିବା’ ଭଳି ଅଦମ୍ୟ ଅଭିଳାଷ ରହିଛି। ତେଣୁ ସେମାନଙ୍କ ପାଇଁ କୌଣସି ଚ୍ୟାଲଞ୍ଜ ବଡ଼ ନୁହେଁ। ସେମାନଙ୍କ ହାତପାଆନ୍ତରେ ନଥିବା ଭଳି କିଛି ନାହିଁ।

ଦିନ ୧୧: ୨୩- ବନ୍ୟଯନ୍ତୁଙ୍କର ଉଲ୍ଲେଖନୀୟ ବୃଦ୍ଧି

ପ୍ରଧାନମନ୍ତ୍ରୀ- ‘ମନ୍‌ କି ବାତ୍’‌ରେ ଏ ସମ୍ପର୍କରେ ଲୋକଙ୍କୁ ସମ୍ବୋଧନ କରି ମୋଦି କହିଛନ୍ତି “ ବନ୍ୟଯନ୍ତୁଙ୍କ କ୍ଷେତ୍ରରେ ଭାରତରେ ସିଂହମାନଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ବାଘଙ୍କ ସଂଖ୍ୟା ବି ବଢ଼ିଛି। ଏଥିପାଇଁ କେବଳ ସରକାର କାମ କରି ନାହାନ୍ତି, ଏ ଦିଗରେ ଦେଶବାସୀଙ୍କର ବି ଭୂମିକା ରହିଛି। ବନ୍ୟଯନ୍ତୁଙ୍କ ସଂରକ୍ଷଣ କ୍ଷେତ୍ରରେ ଦେଶର ନାଗରୀକ ଓ ଅନ୍ୟ ସଂସ୍ଥାମାନଙ୍କର ବି ସହଯୋଗ ରହିଛି।”

ଦିନ ୧୧:୨୨- ଚିତା ବାଘଙ୍କ ସଂଖ୍ୟାରେ ବୃଦ୍ଧି

ପ୍ରଧାନମନ୍ତ୍ରୀ- ୨୦୧୪ ରୁ ୨୦୧୮ ମଧ୍ୟରେ ଭାରତରେ ଚିତାବାଘଙ୍କ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୪ରେ ଭାରତରେ ଚିତାବାଘଙ୍କ ସଂଖ୍ୟା ୭,୯୦୦ ଥିଲା। ୨୦୧୯ରେ ଏହା ବଢ଼ି ୧୨,୮୫୨ ହୋଇଛି। ଦେଶର ବିଭିନ୍ନ ଭାଗରେ ଚିତାବାଘଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ବିଶେଷ କରି ଦେଶର କେନ୍ଦ୍ର ସ୍ଥଳଗୁଡ଼ିକରେ ଚିତା ସଂଖ୍ୟା ବଢ଼ିଛି।

ଦିନ ୧୧:୧୯ ଆମ ଉତ୍ପାଦଗୁଡ଼ିକ ବିଶ୍ୱ ସ୍ତରୀୟ ହେବା ଆବଶ୍ୟକ

ପ୍ରଧାନମନ୍ତ୍ରୀ- ମୁଁ ନିର୍ମାଣକାରୀ କମ୍ପାନୀ ଓ ଇଣ୍ଡଷ୍ଟ୍ରୀ ଲିଡରମାନଙ୍କୁ ସବୁବେଳେ ଏହା କହୁଛି ଯେ ଯେତେବେଳେ ଦେଶର ଲୋକମାନେ ଦୃଢ଼ ପଦକ୍ଷେପ ନେଇ ସାରିଲେଣି, ଯେତେବେଳେ ‘ଲୋକାଲ୍‌ ଫର୍‌ ଭୋକାଲ୍‌’ ମନ୍ତ୍ର  ପ୍ରତିଘରେ ଗୁଞ୍ଜରିତ ହେଉଛି, ତେଣୁ ଆମ ଉତ୍ପାଦକ ବିଶ୍ୱସ୍ତରୀୟ ହେବାର ଏହା ହିଁ ପ୍ରକୃଷ୍ଟ ସମୟ।

ଦିନ ୧୧;୧୫- ବର୍ଷ ୨୦୨୦ରେ ଦେଶରେ ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି। ଏହାକୁ ଆତ୍ମନିର୍ଭର ଭାରତ ବୋଲି କହିବା

ପ୍ରଧାନମନ୍ତ୍ରୀ- କରୋନା ପାଇଁ ସାରା ବିଶ୍ୱରେ ରପ୍ତାନୀ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। କିନ୍ତୁ ଆମେ ପ୍ରତ୍ୟେକ ବିପଦରେ ନୂଆ ଶିକ୍ଷା ପାଇଛୁ। ଦେଶରେ ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି। ଆମେ ଏହାକୁ ଆତ୍ମନିର୍ଭର ଭାରତ ବୋଲି କହିପାରିବା। ଏହା ବାଦ୍‌ ଗୁରୁ ଗୋବିନ୍ଦ ସିଂହଙ୍କ ଦୁଇ ପୁତ୍ର ସାହିବଜାଦେ ଜୋରୱାର ସିଂହ ଏବଂ ଫତେହ ସିଂହଙ୍କ ବୀରତ୍ୱ ଗାଥା ବଖାଣିଥିଲେ ପ୍ରଧାନମନ୍ତ୍ରୀ।

ତା ସହିତ ଏହି ବର୍ଷ ଭିତରେ ଭାରତୀୟମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିବା କହିବା ସହିତ ଭାରତରେ ଖେଳଣା ମାର୍କେଟ୍ ସମ୍ପର୍କରେ ଆଲୋକପାତ କରିଥିଲେ ପ୍ରଧାନମନ୍ତ୍ରୀ। ବର୍ତ୍ତମାନ ପ୍ରତ୍ୟେକ ସହରରେ ଭାରତ ପ୍ରସ୍ତୁତ ଖେଳଣାର ଚାହିଦା ବଢ଼ିଛି ବୋଲି ପିଏମ୍‌ କହିଛନ୍ତି।

ସବୁଥର ଭଳି ବର୍ଷର ଶେଷ ଥର ପାଇଁ ବି କରୋନା ଯୋଦ୍ଧାଙ୍କ ତ୍ୟାଗର ବର୍ଣ୍ଣନା କରିବାକୁ ଭୁଲି ନଥିଲେ ପ୍ରଧାନମନ୍ତ୍ରୀ। ଏନେଇ ମୋଦି କହିଥିଲେ “  ଆଉ ମାତ୍ର ୪ ଦିନ ପରେ ଆମେ ୨୦୨୧ରେ ପ୍ରବେଶ କରିବା। ଆଜି ୨୦୨୦ର ଶେଷ ‘ମନ କି ବାତ୍’‌ କାର୍ଯ୍ୟକ୍ରମ। ମୁଁ ଆପଣମାନଙ୍କଠାରୁ ଅନେକ ଚିଠି ପାଇଛି। ” ପାଇଥିବା ଚିଠିରେ ଗୋଟିଏ ପଢ଼ିଥିଲେ ପ୍ରଧାନମନ୍ତ୍ରୀ ଯେଉଁଥିରେ ଲେଖାଥିଲା “ଚାଲ ଆମ ଦେଶବାସୀଙ୍କୁ ୨୦୨୧ର ଶୁଭେଚ୍ଛା ଜଣାଇବା ପରସ୍ପରକୁ ଅଭିନନ୍ଦନ ଜଣାଇବା କାରଣ ୨୦୨୧ ପ୍ରତ୍ୟେକ ଏକ ବଡ଼ ସଂକଳ୍ପ ନେବା”

 

 

 

You might also like