ଆତଙ୍କବାଦୀଙ୍କୁ ନିପାତ କରି ସହିଦ ହେଲେ ୫ ଯବାନ

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ-କାଶ୍ମୀର କୁପଓ୍ୱାଡା ଜିଲ୍ଲାର କେରନ ସେକ୍ଟରରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଭାରତୀୟ ସେନାର ଯବାନମାନେ ୫ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି।

ତେବେ ସବୁଠାରୁ ଦୁଃଖଦାୟକ କଥା, ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସେନାର  ଏହି ଅପରେସନରେ ୫ ଯବାନ ସହିଦ ହୋଇଛନ୍ତି।

ସାରାଦେଶ ଏବେ କରୋନା ସହିତ ମୁକାବିଲା କରୁଥିବାବେଳେ ସୀମାରେ ଦେଶର ସୁରକ୍ଷା କରିବାକୁ ଯାଇ ଏହି ଯବାନମାନେ ସହିଦ ହୋଇଛନ୍ତି।

ସୂଚନା ଅନୁସାରେ, ଏପ୍ରିଲ ୧ରେ ନିୟନ୍ତ୍ରଣ ସୀମା ରେଖା(ଏଲଓସି) ନିକଟରେ ଆତଙ୍କବାଦୀମାନେ ଅନୁପ୍ରବେଶ ନେଇ ଯବାନମାନଙ୍କୁ କିଛି ଚିହ୍ନ ମିଳିଥିଲା। ଏହାପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଥିଲା। ସେହିଦିନ ହିଁ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ। ଏହାପରେ ସେନାର ଯବାନମାନେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଥିଲେ। ଏପ୍ରିଲ  ୩ ଓ ୪ ସନ୍ଧ୍ୟାରେ ପୁଣି ଚିହ୍ନ ମିଳିଥିଲା। ଏପ୍ରିଲ ୫ ସନ୍ଧ୍ୟାରେ ମଧ୍ୟ ପୁଣି ଚିହ୍ନ ମିଳିଥିଲା। ଯବାନମାନେ ଏହି ଚିହ୍ନର ପିଛା କରିଥିଲେ। ଏହାପରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଯବାନମାନେ । ହେଲେ ଦୁଃଖର କଥା, ଏହି ଅପରେସନରେ ୫ ଯବାନ ସହିଦ ହୋଇଛନ୍ତି।

ସହିଦ ଯବାନମାନେ ହେଲେ ସୁବେଦାର ସଞ୍ଜୀବ କୁମାର, ହାବିଲଦାର ଦେବେନ୍ଦ୍ର ସିଂହ, ସିପାହୀ ବାଲ କ୍ରିଷ୍ଣନ, ସିପାହୀ ଅମିତ କୁମାର ଏବଂ ସିପାହୀ ଛତ୍ରପଲ ସିଂହ।

You might also like