କରୋନା ଚେନ୍‌ ଭାଙ୍ଗିବାକୁ ସାରା ଦେଶରେ ଲକଡାଉନ୍‌ ଜାରି କରିବ କେନ୍ଦ୍ର ?

ଲକଡାଉନ୍‌ କରିବେ ମୋଦି ସରକାର?

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେବାର ଲାଗିଛି କରୋନା ସ୍ଥିତି। ଦିନକୁ ଦିନ ବଢିବାରେ ଲାଗିଛି ସଂକ୍ରମଣ। କହିବାକୁ ଗଲେ ଗୋଟିଏ ପ୍ରକାର ସ୍ଥିତି ହେଲାଣି ସଙ୍ଗୀନ। ଆଉ ଏହାରି ମଧ୍ୟରେ ପୂରା ଦେଶକୁ ଲକଡାଉନ୍‌ କରିବା  ପାଇଁ ଚିନ୍ତା କରୁଛନ୍ତି କି କେନ୍ଦ୍ର ସରକାର? କାରଣ ଅନେକ ରାଜ୍ୟ ଓ ବିରୋଧୀ ଦଳ ନେତାମାନେ କେନ୍ଦ୍ର ଉପରେ ଲକଡାଉନ୍‌ ପାଇଁ ଚାପ ପକାଇଲେଣି। ତେବେ ଲକଡାଉନ୍‌ ନିଷ୍ପତ୍ତିକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ମଧ୍ୟ ଏଡ଼ାଇ ଦେଇନାହିଁ। ସେପଟେ ନୀତି ଆୟୋଗ ସଦସ୍ୟ କହିଛନ୍ତି ଯେ, ଲକଡାଉନ୍‌ ବିକଳ୍ପ ନେଇ ବର୍ତ୍ତମାନସମୟରେ ଆଲୋଚନା ଚାଲିଛି।

କାରଣ ଗୋଟିଏ ପଟେ, ଦେଶରେ ଦିନକୁ ୪ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ୪ ହଜାର ପାଖାପାଖି ମୃତ୍ୟୁ ସଂଖ୍ୟା ମଧ୍ୟ ରହିଛି। କିନ୍ତୁ କରୋନା ଚେନ୍‌କୁ ଭାଙ୍ଗିବାକୁ ହେଲେ କଠୋର ନିଷ୍ପତ୍ତି ହିଁ ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ସହ କରୋନା ସ୍ଥିତି ନେଇ ପ୍ରତିଦିନ ଆଲୋଚନା ହେଉଛି। କେତେ ପରିମାଣର ସଂକ୍ରମଣ ରହୁଛି ସେନେଇ ରିପୋର୍ଟ ମଧ୍ୟ ମଗାଯାଉଛି। ଆଉ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନକୁ ସ୍ଥାନୀୟ ପ୍ରଶାସନ ଚାହିଁଲେ ଲକଡାଉନ୍‌ ଓ ସଟଡାଉନ୍‌ କରିପାରିବେ ବୋଲି କେନ୍ଦ୍ର କହିଛି।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ବିହାର ଓ ଦିଲ୍ଲୀ ପରି ରାଜ୍ୟରେ ଲକଡାଉନ୍‌ ହେବା ପରେ କରୋନା ମାମଲା କମିବାରେ ନା ଧରୁନି। ତେଣୁ ପୂରା ଦେଶକୁ ଲକଡାଉନ୍‌ କରିବାର ଆବଶ୍ୟକତା ରହିଛି ବୋଲି ଅନେକ କହିଲେଣି। ରାଜନେତାଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞମାନେ ସାରା ଦେଶରେ ଲକଡାଉନ୍‌ ଲଗାଇବାକୁ କହିଲେଣି। ସେପଟେ କରୋନାର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ବେଳେ ପୁଣି ତୃତୀୟ ଲହରକୁ ନେଇ ଏବେଠୁ ଚିନ୍ତା କରାଗଲାଣି। କେମିତି ଓ କେତେ ମାତ୍ରାରେ ତାହାକୁ ପ୍ରତିହତ କରାଯାଇପାରିବ ସେନେଇ ଏବେଠୁ ରଣନୀତି ପ୍ରସ୍ତୁତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ କହିଛନ୍ତି।

ଏଠାରେ କହିରଖୁଛୁ ଯେ, ଦେଶରେ ଏବେ ତିନି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଉପରେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪, ୧୪,୧୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୩,୯୨୦ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାଥାଉ କି, ଗତକାଲି ଦେଶରେ ମୃତକଙ୍କ ସଂଖ୍ୟା ଥିଲା ୩,୯୮୦ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪ ଲକ୍ଷ ୧୨ ହଜାର ୨୬୨ ।

ଆଜିର ସଂଖ୍ୟାକୁ ମିଶାଇଲେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨, ୧୪,୯୧,୫୯୨ରେ ପହଞ୍ଚିଛି । ଏପଟେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨,୩୪,୦୮୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୮, ୧୪୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଦେଶରେ କରୋନା ବର୍ତ୍ତମାନ ସୁଦ୍ଧା ୧,୭୨,୮୦,୮୪୪ ଜଣ କରୋନାକୁ ମାତ୍‌ ଦେଇଛନ୍ତି । ଯାହା ବି ହେଉ, ଦେଶରେ ବର୍ତ୍ତମାନ ଆକ୍ଟିଭ କେସ୍‌ ୩୫,୬୬,୩୯୮ ରହିଛି । ଆଜିର ପଜିଟିଭିଟି ରେଟ୍‌ ୨୧.୪୩% ଅଟେ ।

You might also like