ଟିକା ନେଲେ ମିଳିବ ମୋବାଇଲ୍

ପ୍ରଶାସନର ନିଆରା ଉଦ୍ୟମ

  • ଟିକା ନିଅନ୍ତୁ ,ମୋବାଇଲ ପାଆନ୍ତୁ
  • ଭୋପାଳ ପ୍ରଶାସନର ନିଆରା ଉଦ୍ୟମ
  • ଲକି ଡ୍ର ଯୋଜନା ହେଲା, ଲାଭ କମ୍ପାନି ସହ ଆଲୋଚନା ବି ହେଲା

ନୂଆଦିଲ୍ଲୀ : ଦେଶରେ ଭୟଙ୍କର ଭାବରେ ସଂକ୍ରମଣ ବଢୁଛି। ତେଣୁ ସଂକ୍ରମଣକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଆଉ ସଂକ୍ରମଣ ରୋକିବାକୁ ସରକାର ଅନେକ ପଦକ୍ଷେପ ମଧ୍ୟ ନେଉଛନ୍ତି। ଆଉ ଏହାରି ମଧ୍ୟରେ ଟିକାକରଣକୁ ବ୍ୟାପକ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ,  ଏଣିକି ଟିକା ନେଲେ ମୋବାଇଲ ମିିଳିବ। ହୁଏତ ଏହି କଥା ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଘଟଣାଟି ପୂରା ସତ। ଟିକାକରଣକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଭୋପାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ଏକ ଲକି ଡ୍ର ଯୋଜନା କରାଯାଇଛି। ଲୋକଙ୍କୁ ମୋବାଇଲ୍ ଫୋନ୍ ଦେବା ପାଇଁ ଏକ ଆକର୍ଷଣୀୟ ଅଫର ଦିଆଯିବ ଯାହା ଦ୍ୱାରା ଅଧିକରୁ ଅଧିକ ଲୋକ ଟିକା ନେବାକୁ ଆସିବେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ଏଥିପାଇଁ ଭୋପାଳ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି ଚଳାଇଛି। ବିଶେଷ କରି ଯେଉଁଠାରେ କମ୍ ଟିକାକରଣ ହୋଇଛି ସେହିଠାରେ ଏହି ଯୋଜନା ଲାଗୁ କରାଯିବ ବୋଲି ସୂଚନା ମିଳିଛି।

ମଧ୍ୟପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ, ଭୋପାଳ ସହରର ଗ୍ରାମାଞ୍ଚଳର ଲୋକମାନେ ଟିକା ନେବା ଲାଗି ଆସୁନାହାନ୍ତି। ତେଣୁ ସେହି ସବୁ ଅଂଚଳରେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ଏପରି ଭାବରେ ଲୋଭନୀୟ ଅଫର ଦେବା ଫଳରେ ଲୋକମାନେ ଅଧିକ ସଂଖ୍ୟାରେ ଟିକା ନେବାକୁ ଆସିବେ। ମୋଟ୍ ଉପରେ କହିବାକୁ ଗଲେ, ଟିକାକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶାସନ ଏହି କୌଶଳ ଆପଣାଇଛି। ଜିଲ୍ଲାର ବାଇରାସିଆ ତହସିଲର ଗ୍ରାମାଞ୍ଚଳରେ ୪୫ ବର୍ଷରୁ ଅଧିକ ୭୨ ହଜାର ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା | କିନ୍ତୁ ଏପର୍ଯ୍ୟନ୍ତ କେବଳ ୫୩ ପ୍ରତିଶତ ଟିକାକରଣ ହିଁ କରାଯାଇପାରିଛି | ୧୮ ରୁ ୪୪ ବର୍ଷ ବୟସର ୧.୩୦ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଯୋଜନା କରାଯାଇଥିବାବେଳେ କେବଳ ୧୭ ପ୍ରତିଶତ ଲୋକଙ୍କୁ ହିଁ ଟିକା ଦିଆଯାଇଥିବା ସୂଚନା ମିଳିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମସ୍ତଙ୍କୁ ଆତଙ୍କିତ କରିଛି। କେବଳ ଆତଙ୍କିତ କରିଛି ତାହା ନୁହେଁ ବରଂ ଅନେକଙ୍କ ପରିବାରକୁ ଛାରଖାର ମଧ୍ୟ କରିଛି। ଆଉ ଏହାରି ମଧ୍ୟରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଚେତାଇସାରିଛନ୍ତି। ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ସଂଖ୍ୟାରେ ଟିକାକରଣ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି। ତେଣୁ ଯେଉଁ ସବୁ ଅଂଚଳରେ ଲୋକମାନେ ଟିକା ନେବାକୁ ଆସୁନାହାନ୍ତି ସେହି ସ୍ଥାନରେ ପ୍ରଶାସନ ପକ୍ଷରୁ ଏମିତି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି। କେବଳ ଏତିକି ନୁହେଁ ବରଂ  ଭୋପାଳ ଜିଲ୍ଲା ପ୍ରଶାସନ ମୋବାଇଲ୍ କମ୍ପାନି ଲାଭା ସହ ଆଲୋଚନା କରିଛି । ଏହି ଯୋଜନାରେ କମ୍ପାନି ଦ୍ୱାରା ମୋବାଇଲ୍ ଯୋଗାଇ ଦିଆଯିବ। ଯୋଜନା ଅନୁଯାୟୀ, ଗ୍ରାମାଞ୍ଚଳର ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ଏକ ଭାଗ୍ୟଶାଳୀ ଡ୍ର ବଛାଯିବ । ଏଥିରେ ୧୦ ଜଣଙ୍କୁ ମୋବାଇଲ୍ ଦିଆଯିବ ଯାହା ଦ୍ୱାରା ସେମାନେ ଗ୍ରାମ ଏବଂ ଘରକୁ ଯାଇ ଅଧିକ ଲୋକଙ୍କୁ ଟିକାକରଣ ପାଇଁ ପ୍ରେରଣା ଯୋଗାଇ ପାରିବେ ବୋଲି କୁହାଯାଉଛି। ତେବେ ଦେଖିବାକୁ ବାକି ରହିଲା ମୋବାଇଲ୍ ଲୋଭ ପାଇ କେତେ ଲୋକ ନେଉଛନ୍ତି ଟିକା।

You might also like