ବିଶ୍ୱ ହିନ୍ଦୁ ପରିଷଦର ‘ଧର୍ମସଭା’ : ରାମ ମନ୍ଦିର ନିର୍ମାଣ ଲାଗି ଚାପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରାମଲୀଳା ମୈଦାନରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ବିରାଟ କାର୍ଯ୍ୟକ୍ରମ ଧର୍ମସଭା ଆୟୋଜିତ ହୋଇଛି।  ଦେଶର ବିଭିନ୍ନ ଭାଗରୁ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁ ଓ ସନ୍ଥ ଏଥିରେ ଯୋଗଦେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି କରିଛନ୍ତି।

ସ୍ୱତନ୍ତ୍ର ଭାବେ ଆଇନ୍‌ ଆଣି ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିଷ୍କାର କରିବା ଲାଗି ଶ୍ରଦ୍ଧାଳୁମାନେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ଚାପ ପକାଇଛନ୍ତି। ଭିଏଚ୍‌ପିର ଏହି ଧର୍ମସଭାରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ନେତା ସୁରେଶ ଭୟାଜୀ ଯୋଶୀ ମୋଦି ସରକାରଙ୍କ ଉପରେ ବର୍ଷିଥିଲେ। କ୍ଷମତାକୁ ଆସିବା ପୂର୍ବରୁ ବିଜେପି ଅଯୋଧ୍ୟାର ୨.୭୭ ଏକରର ବିବାଦୀୟ ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ଲାଗି ପ୍ରତିଶ୍ରୁତି ଦେଇଥିଲା। ଏଣୁ ବିଜେପି ନିଜର ପ୍ରତିଶ୍ରୁତି ରକ୍ଷା କରିବାର ସମୟ ଆସିଛି ବୋଲି ଯୋଶୀ କହିଛନ୍ତି।

ସଂସଦରେ ଶୀତ ଅଧିବେଶନର ଦୁଇ ଦିନ ପୂର୍ବରୁ ଆଯୋଜିତ ଧର୍ମସଭାରେ ଯୋଗଦେଇଥିବା ସନ୍ଥଙ୍କ ଆଶା ଯେ, କେନ୍ଦ୍ର ସରକାର ନିଶ୍ଚୟ ଏନେଇ ଅଧ୍ୟାଦେଶ ଆଣି ରାମ ମନ୍ଦିର ନିର୍ମାଣ ଲାଗି ପଦକ୍ଷେପ ନେବେ। ସଂସଦର ଶୀତ ଅଧିବେଶନରେ ସରକାର ଅଧ୍ୟାଦେଶ ନ ଆଣିଲେ, ହିନ୍ଦୁ ସଂଗଠନ ଗୁଡ଼ିକ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ।

ଜାନୁଆରୀ ୩୧ ଓ ଫେବ୍ରୁଆରୀ ୧ରେ ଉତ୍ତରପ୍ରଦେଶର ଆଲ୍ଲାହାବାଦରେ ହେବାକୁ ଥିବା ମହାକୁମ୍ଭରେ ପରବର୍ତ୍ତୀ ଧର୍ମ ସଂସଦ ହେବ ଓ ସେଥିରେ ଏନେଇ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି। ତେବେ ଧର୍ମସଭା ସରକାରଙ୍କ ମନ ପରିବର୍ତ୍ତନ କରିବ ଓ ଅଧ୍ୟାଦେଶ ଆଣିବାକୁ ବାଧ୍ୟ ହେବେ ବୋଲି ସନ୍ଥ ଓ ଶ୍ରଦ୍ଧାଳୁ କହିଛନ୍ତି।

ଧର୍ମସଭା ଓ ଲକ୍ଷ ଲକ୍ଷ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆଦିଲ୍ଲୀର କେତେକ ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ କରାଯାଇଛି। ରାମଲୀଳା ମୈଦାନ ଅଞ୍ଚଳରେ ରୁଟ୍ ଚେଞ୍ଜ କରାଯାଇଛି।

ସାରା ଦେଶରେ ବିଭିନ୍ନ ସହରରେ ଆଜି ଏଭଳି ଧର୍ମ ଯାତ୍ରା କରାଯାଉଛି। ରାମଲୀଳା ମୈଦାନରେ ଅନୁଷ୍ଠିତ ଧର୍ମସଭାରେ ସାରା ଦେଶର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସି ଯୋଗଦେଇଛନ୍ତି। ଧର୍ମସଭା ପୂର୍ବରୁ ସାରା ସହରରେ ଭିଏଚପି କର୍ମୀ ଓ ହିନ୍ଦୁ ଶ୍ରଦ୍ଧାଳୁ ଭଗବାନ ରାମଙ୍କ ଫଟୋ ଧରି ଶୋଭାଯାତ୍ରା କରିଥିଲେ। ସେପଟେ ଏହା ପୂର୍ବରୁ ଗତ ମାସ ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଧର୍ମ ସଂସଦ କରାଯାଇଥିଲା।

You might also like