ବଢ଼ୁଛି ତାତି; ଅଂଶୁଘାତରୁ କେମିତି ରକ୍ଷା ପାଇବେ ? ଜାଣନ୍ତୁ…

ଭୁବନେଶ୍ୱର: ଏବେ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି। ତତଲା ପବନରେ ଅତିଷ୍ଠ ହେଉଛି ଜୀବନ। ଏପରି ପ୍ରଚଣ୍ଡ ରୌଦ୍ର ତାପକୁ ସମ୍ଭାଳିବା କଷ୍ଟକର ହୋଇପଡୁଛି। ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି। ଗରମ ଏବଂ ଗୁଳୁଗୁଳିରେ ଅନେକ ଲୋକ ଅସୁସ୍ଥ ହୋଇପଡ଼ନ୍ତି।

ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ। ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ ଥିବା ବିପଦକୁ ଏଡ଼ାଇ ପାରିବେ। ଖରା ଦିନେ ଅଂଶୁଘାତରୁ ନିଜେ ରକ୍ଷା ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବ।

ଜାଣନ୍ତୁ, ଖରାଦିନେ କିପରି ସତର୍କତା ଅବଲମ୍ବନ କରିବେ…..

  • ଟାଣ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ।
  • ହାଲ୍‌କା, ଫିକା, ଢିଲା ସୂତା ପୋଷାକ  ପିନ୍ଧନ୍ତୁ।
  • ପ୍ରଚୁର ପାଣି ପିଅନ୍ତୁ।

  • ଓ.ଆର.ଏସ୍‌ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା, ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ।
  • ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ।

ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତିଙ୍କର ନିଅନ୍ତୁ ବିଷେଶ ଧ୍ୟାନ….

  • ଛୋଟ ପିଲାଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ।
  • ଯଦି ଆପଣ ଛୋଟ ପିଲାଙ୍କୁ ବାହାରକୁ ନେଇକି ଯାଉଛନ୍ତି, ତା’ହେଲେ ସେମାନଙ୍କୁ ଫୁଲ୍‌ ପୋଷାକ, ମୁଣ୍ଡରେ ଟୋପି ପିନ୍ଧାନ୍ତୁ।
  • ସବୁବେଳେ ପିଲାଙ୍କୁ ପାଣି ପିଇବାକୁ ଦିଅନ୍ତୁ। ପେଟ କେବେ ଖାଲି ରଖିବାକୁ ଦିଅନ୍ତୁ ନାହିଁ
  • ବୟସ୍କ ବ୍ୟକ୍ତି ଖରାରେ ଘରୁ ବାହାରନ୍ତୁ ନାହିଁ। ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା ଏବଂ ପାଦରେ ଜୋତା ପିନ୍ଧନ୍ତୁ।

ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଚିକିତ୍ସା…

  • ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ଏକାବେଳକେ ଅତ୍ୟଧିକ ପାଣି ପିଇବାକୁ ଦିଅନ୍ତୁ ନାହିଁ।
  • ଅଂଶୁଘାତରେ ପୀଡ଼ିତ ବ୍ୟକ୍ତି ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟାରେ ଅଧା ଗ୍ଲାସ୍‌ ପାଣି ପିଇବାକୁ ଦେବା ଉଚିତ୍‌।
  • ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀର ଉତ୍ତାପକୁ କମାଇବା ପାଇଁ ଥଣ୍ଡା ଓ ଛାଇ ସ୍ଥାନରେ ଶୁଆଇ ରଖି ପ୍ରଥମେ ଓଦା କନାରେ ତାଙ୍କୁ ପୋଛିଦିଅନ୍ତୁ। ଆବଶ୍ୟକ ହେଲେ ମୁଣ୍ଡରେ ଥଣ୍ଡାପାଣି ଢାଳନ୍ତୁ l
  • ପାଣି, ତୋରାଣି, ଲେମ୍ବୁ, ଦହି ଇତ୍ୟାଦି ପିଇବାକୁ ଦେଇ ଦେହର ଜଳୀୟ ଅଂଶ ପରିମାଣକୁ ଠିକ୍‌ ରଖିବାକୁ ଚେଷ୍ଟା କରନ୍ତୁ।

food

 ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ସତର୍କତା…

  • ଗୃହପାଳିତ ପଶୁଙ୍କ ପାଖରେ ସବୁବେଳେ ପାଣି ଏବଂ ଖାଦ୍ୟ ରଖନ୍ତୁ।
  • ସେମାନଙ୍କୁ ବାହାରକୁ ଖରାରେ ଚରାଇବାକୁ ନିଅନ୍ତୁ ନାହିଁ।
  • ପକ୍ଷୀମାନଙ୍କ ପାଇଁ ଛାତ ଉପରେ ବା ଗଛ ମୂଳରେ ପାଣିର ବ୍ୟବସ୍ଥା କରନ୍ତୁ।

ଆହୁରି ପଢନ୍ତୁ : କରୋନାକୁ ବର୍ଷେ: ଆଜି ଓଡ଼ିଶାରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ

You might also like