କରୋନାରେ କେମିତି ସଂକ୍ରମଣ ହେଲା ମଣିଷ?

କେଉଁଠୁ ବ୍ୟାପିଲା କରୋନା?

ନୂଆଦିଲ୍ଲୀ: ପୁଣି କରୋନା ଉତ୍ପତ୍ତିକୁ ନେଇ ବିବାଦ, ଆମେରିକାର ସନ୍ଦେହ ଚକ୍ଷୁରେ ଚୀନ୍। କରୋନା ଭୂତାଣୁ ବାଦୁଡ଼ି କି ବଜ୍ରକାପ୍ତା ଭଳି ଜୀବ ଠାରୁ ମଣିଷକୁ ସଂକ୍ରମିତ ହୋଇଛି ନା ଏହା ଚୀନର ଉହାନ୍ ଲାବରୁ ଲିକ୍ ହୋଇଛି, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଏହାର ତଦନ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଗୁଇନ୍ଦାକୁ ନିର୍ଦ୍ଦେଶ ବି ଦେଇସାରିଛନ୍ତି। ତେବେ ଏ ଭିତରେ ଆମେରିକାର ଏକ ଜାତୀୟ ଲାବୋରେଟୋରୀର ରିପୋର୍ଟରେ ଏହା ଉହାନ୍ ଲାବରୁ ହିଁ ଲିକ୍ ହୋଇଛି ବୋଲି ଆଶଙ୍କା କରାଯାଇଛି, ଯାହାକୁ ଗତକାଲି ଛାପିଛି ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍।

କେଉଁଠୁ ହେଲା କରୋନା ଭୂତାଣୁର ଉତ୍ପତ୍ତି? କେମିତି ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହେଲା ମଣିଷ ? ସାରା ବିଶ୍ୱକୁ ତ୍ରସ୍ତ କରି ରଖିଥିବା ଏହି ମାରାତ୍ମକ ଭୂତାଣୁର ଉତ୍ପତ୍ତି ନେଇ ବୈଜ୍ଞାନିକ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଗବେଷକଙ୍କ ଶତଚେଷ୍ଟା ପରେ ବି ମିଳିପାରୁନି ଠୋସ୍ ପ୍ରମାଣ। ତେବେ ଚୀନର ଉହାନ୍ ଲାବରୁ କରୋନା ଭୂତାଣୁ ଲିକ୍ ହୋଇଥାଇପାରେ ବୋଲି, ଆପାତତଃ ନିଷ୍କର୍ସରେ ପହଞ୍ଚିଛି। ଆମେରିକାର ଏକ ଜାତୀୟ ଲାବୋରେଟୋରୀ ଏନେଇ ଓ୍ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଖବର ପ୍ରକାଶ ପାଇବା ପରେ, ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି।

ଖବର ଅନୁସାରେ, ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଲରେନ୍ସ ଲିଭର୍ମୋର୍ ନ୍ୟାସନାଲ ଲାବରେଟୋରୀ ପକ୍ଷରୁ ଗତବର୍ଷ ମେ ମାସରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ କରୋନା ଭୂତାଣୁ ଉହାନ୍ ଲାବରୁ ଲିକ୍ ହୋଇଥାଇପାରେ ଏବଂ ଏଦିଗରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ଦର୍ଶାଯାଇଥିଲା। ସେତେବେଳେ କରୋନା ଭୂତାଣୁର ଉତ୍ପତ୍ତି ନେଇ ତଦନ୍ତ କରିବାକୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ନିର୍ଦ୍ଦେଶ ଦେଇଥିଲେ। ଲରେନ୍ସ ଲିଭର୍ମୋର୍ ନ୍ୟାସନାଲ ଲାବରେଟୋରୀର ତଥ୍ୟକୁ ପରରାଷ୍ଟ୍ର ବିଭାଗ ପକ୍ଷରୁ ଆମେରିକା ସରକାରଙ୍କୁ ଜଣାଇ ଦିଆଯାଇଛି।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଗତ ମାସରେ କରୋନା ଭୂତାଣୁର ଉତ୍ପତ୍ତି ନେଇ ତଦନ୍ତ କରିବାକୁ ଓ ଠୋସ୍ ପ୍ରମାଣ ଯୋଗାଡ଼ କରିବାକୁ ଗୁଇନ୍ଦା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଭୂତାଣୁର ଉତ୍ପତ୍ତିସ୍ଥଳ ସଂପର୍କରେ ୩ମାସ ଭିତରେ ତଥ୍ୟ ଓ ପ୍ରମାଣ ସମ୍ବଳିତ ରିପୋର୍ଟ ଦେବାକୁ କହିଛନ୍ତି ବାଇଡେନ୍। ଆମେରିକୀୟ ଗୁଇନ୍ଦା ପକ୍ଷରୁ ଏବେ କରୋନା ଭୂତାଣୁ ଉତ୍ପତ୍ତି ନେଇ ଦୁଇଟି ସମ୍ଭାବ୍ୟ କାରଣ ଉପର ବିଚାର କରାଯାଉଛି। ଲାବରେଟୋରୀରେ ପରୀକ୍ଷଣବେଳେ କୌଣସି ଏକ ଅଘଟଣ କିମ୍ବା କରୋନା ସଂକ୍ରମିତ ପ୍ରାଣୀଙ୍କ ଠାରୁ ଏହା ମନୁଷ୍ୟକୁ ସଂକ୍ରମିତ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏ ନେଇ ସେମାନେ ଏପର୍ଯ୍ୟନ୍ତ କୌଣସି ନିଷ୍କର୍ସରେ ପହଞ୍ଚି ନାହାନ୍ତି ଚୀନ୍ ସରକାର। ତଦନ୍ତରେ ସହଯୋଗ ନକଲେ ସତ କେବେ ବି ପଦାକୁ ଆସିବ ନାହିଁ ଏବଂ ଆଗାମୀ ମହାମାରୀ ପାଇଁ ଆବଶ୍ୟକ ପ୍ରସ୍ତୁତି କରିହେବ ନାହିଁ ବୋଲି ମଧ୍ୟ ବାଇଡେନ୍ ପ୍ରଶାସନ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଡୋନାଲଡ୍ ଟ୍ରମ୍ପଙ୍କ ଶାସନ ବେଳେ ୨୦୧୯ ମସିହାରେ ଚୀନର ଉହାନ ଲାବରେଟୋରୀର ୩ଜଣ ଗବେଷକ ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କରୋନାଭୂତାଣୁର ଉତ୍ପତ୍ତି ନେଇ ଚୀନ କୌଣସି ସ୍ପଷ୍ଟ ଚିତ୍ର ଦେଉନାହିଁ ବୋଲି ଆମେରିକା ପକ୍ଷରୁ ଅଭିଯୋଗ ହେଉଥିବା ବେଳେ, ଚୀନ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଛି। କରୋନା ଭୂତାଣୁର ଉତ୍ପତ୍ତି ନେଇ ଚୀନର କୌଣସି ଭୂମିକା ନାହିଁ ବୋଲି ଜଣାଇ ଦିଆଯାଇଛି।

You might also like