ଶୁଖିଯାଉଛି ମହାନଦୀ: ଜୁନ୍ ବେଳକୁ ଗମ୍ଭୀର ହେବ ସ୍ଥିତି

ଭୁବନେଶ୍ୱର: ଧୀରେ ଧୀରେ ଶୁଖିଯାଉଛି ମହାନଦୀ। କମୁଥିବା ଜଳ ପ୍ରବାହ ଏବେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଲାଣି। ଗତ ଅକ୍ଟୋବର ମାସରୁ ହୀରାକୁଦ ଜଳଭଣ୍ଡାରରୁ ଜଳ ପ୍ରବାହ କମି କମି ଆସୁଛି। ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଏଭଳି ପରିସ୍ଥିତି ଉପୁଜିଛି। ଏନେଇ ଛତିଶଗଡ଼ ସରକାରଙ୍କୁ ଅବଗତ କରାଯାଉଥିବା କହୁଛି ଜଳସମ୍ପଦ ବିଭାଗ। ଏପରି ପରିସ୍ଥିତି ଲାଗି ରହିଲେ ମେ, ଜୁନ୍ ମାସ ବେଳକୁ ସ୍ଥିତି ସାଙ୍ଘାତିକ ହୋଇଯିବ। ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ହୀରାକୁଦ ଉପର ମୁଣ୍ଡରେ ଛତିଗଡ଼ ନିର୍ମାଣ କରିଥିବା କଲମା ଓ ଅନ୍ୟାନ୍ୟ ବ୍ୟାରେଜର ଗେଟ୍ ବନ୍ଦ କରିବା ଦ୍ୱାରା ଓଡିଶାରେ ଜଳପ୍ରବାହ ସାଙ୍ଘାତିକ ଭାବେ ହ୍ରାସ ପାଇଛି। ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ ଗତ ଅକ୍ଟୋବର ମାସରେ ୧୮ ପ୍ରତିଶତ, ନଭେମ୍ବରରେ ୪୩, ଡିସେମ୍ବର ୩୯, ଜାନୁୟାରୀରେ ୪୧, ଫେବୃୟାରୀ ୪୦ ପ୍ରତିଶତ ଜଳପ୍ରବାହ କମିଛି। ଜଳଭଣ୍ଡାରରୁ ପ୍ରତିଦିନ ୨ଇଞ୍ଚ ପାଣି କମୁଥିବା କୁହାଯାଉଛି। ଛତିଶଗଡ ମନମାନୀ କରି ମହାନଦୀ ପାଣିକୁ ଅଟକାଇଥିବାରୁ ଏଭଳି ପରିସ୍ଥିତି ଦେଖା ଦେଇଛି। ଏବେ ହୀରାକୁଦରେ ୬୧୬ ଫୁଟ୍ ପାଣି ରହିଛି। ଜଳପ୍ରବାହ କମିଲେ ହୀରାକୁଦ ଜଳଭଣ୍ଡାରର ସଂରକ୍ଷିତ ଜଳ ମଧ୍ୟ କମିବ। ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ବିଦ୍ୟୁତ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ୧୬ଟି ଜିଲ୍ଲାର ଲୋକେ ପାଣି ପାଇଁ ଡହଳ ବିକଳ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ମହାନଦୀ ଜଳ ବିବାଦକୁ ନେଇ ମୁହାଁମୁହିଁ ଓଡ଼ିଶା ଓ ଛତିଶଗଡ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାର ମଧ୍ୟ ଟ୍ରିବ୍ୟୁନାଲ୍ ଗଠନ କରିବା ପରେ ଅଧ୍ୟକ୍ଷ ଓ ମେମ୍ବର ମଧ୍ୟ ନିଯୁକ୍ତି ହୋଇ ସାରିଛନ୍ତି। କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ର ଟର୍ମ ଅଫ୍ ରେଫରେନ୍ସ ବି ପ୍ରସ୍ତୁତ କରିଛନ୍ତି। ତେବେ ଟ୍ରିବ୍ୟୁନାଲ୍ କେବେ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ, ଆଉ ଓଡିଶାକୁ କେବେ ନ୍ୟାୟ ମିଳିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

 

ଆହୁରି ପଢ଼ନ୍ତୁ

You might also like