ଅଣାୟତ ଅଣ୍ଡାଦର, ଗୋଟିଏ ଅଣ୍ଡାର ଦାମ ୩୦ ଟଙ୍କା

୩୦ ଟଙ୍କା ଗୋଟିଏ ଅଣ୍ଡାର ଦର

ନୂଆଦିଲ୍ଲୀ: ଅଣାୟତ ଅଣ୍ଡାଦର। ଲାଗାତାର ଭାବରେ ହୁ ହୁ ହୋଇ ବଢିବାରେ ଲାଗିଛି ଅଣ୍ଡାର ଦାମ। ୩୫୦ ଟଙ୍କାରେ ପହଞ୍ଚିଲାଣି  ଗୋଟିଏ ଡଜନ ଅଣ୍ଡାର ଦାମ।। ଅର୍ଥାତ୍ ଗୋଟିଏ ଅଣ୍ଡାର ଦାମ ପାଖାପାଖି ୩୦ ଟଙ୍କା ରହିଛି। ଯାହାକି ଲୋକଙ୍କୁ ବିଚଳିତ କରୁଛି ତାହା ନୁହେଁ ବରଂ ଆତଙ୍କିତ ମଧ୍ୟ କରୁଛି। କାରଣ ଗୋଟିଏ ଅଣ୍ଡାର ଦାମ ୬ ଟଙ୍କାରୁ ହଠାତ୍ ଯଦି ୩୦ ଟଙ୍କାରେ ପହଞ୍ଚିଯାଏ। ସାଧାରଣ ଖାଉଟି ଚିନ୍ତା ଯଦି କରିବ ନାହିଁ କରିବ କିଏ?

ବେଲଗାମ ଅଣ୍ଡାର ଦର। ୩୦ ଟଙ୍କା ଦିଅ, ଗୋଟିଏ ଅଣ୍ଡା ନିଅ। କିଛି ଏମିତି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ପାକିସ୍ତାନରେ ଅଣ୍ଡାର ଦାମ ଅଚାନକ ଭାବରେ ବଢିଯାଇଛି। ତେଣୁ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି ପାକ୍ ନାଗରିକ।

କେବଳ ଅଣ୍ଡା ନୁହେଁ ବରଂ ପରିବାର ଦରଦାମ ମଧ୍ୟ ବଢିବାରେ ଲାଗିଛି। ଯାହାକି ଖାଉଟିଙ୍କ ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି। କରୋନା ମହାମାରୀ  ଯୋଗୁ ସାରା ବିଶ୍ୱର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଫଳରେ ଲୋକମାନଙ୍କର ରୋଜଗାର କମିଛି । ଛୋଟ ଛୋଟ କମ୍ପାନି ପ୍ରାୟତ ବନ୍ଦ ହୋଇ ଯାଇଥିବା ବେଳେ ବଡ ବଡ କମ୍ପାନିରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଯାହା ଫଳରେ ଲୋକଙ୍କର କ୍ରୟ କ୍ଷମତା ବି କମିବାରେ ଲାଗିଛି ।

ଏହାରି ମଧ୍ୟରେ ପଡୋଶୀ ଦେଶ ପାକିସ୍ତାନରୁ ଆସିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଏଠାରେ ଲୋକମାନେ ଏବେ ଆମଲେଟ୍ ଖାଇବା ପୂର୍ବରୁ ନିଜ ବଜେଟ୍ ଉପରେ ନଜର କରୁଛନ୍ତି । କାରଣ କିଛିଦିନ ହେବ ଅଣ୍ଡାର ଦାମ ଯେପରି ଭାବରେ ବଢିଲା ଖାଇବା ପୂର୍ବରୁ ଥରେ କାହିଁକି ବରଂ ଦୁଇ ଦୁଇ ଥର ଚିନ୍ତା କରିବାକୁ ବାଧ୍ୟ କରୁଛି। ମିଳିଥିବା ସୂଚନା ମୁତାବକ ପାକିସ୍ତାନରେ ଗୋଟିଏ ଡର୍ଜନ ଅଣ୍ଡା ପାଇଁ ଗ୍ରାହକଙ୍କୁ ୩୫୦ ଟଙ୍କା ଦେବାକୁ ପଡୁଛି ।

କେବଳ ଅଣ୍ଡା ତାହା ନୁହେଁ ରୋଷେଇ ଗ୍ୟାସର ଦର ମଧ୍ୟ ବଢିବାରେ ଲାଗିଛି। କେଉଁ କେଉଁ ସ୍ଥାନରେ ଅଦା କିଲୋ ହଜାରେ ଟଙ୍କାରେ ପହଞ୍ଚିଲାଣି ତ ଆଉ କେଉଁଠି ପିଆଜ ଦର ୩୦୦ ଛୁଇଁଲାଣି। ସେହିଭଳି ଗହମ କେଜିପ୍ରତି ୬୦ ଟଙ୍କା ଛୁଇଁଛି । ଫଳରେ ପାକିସ୍ତାନୀମାନଙ୍କର ମୁଖ୍ୟ ଖାଦ୍ୟ ରୁଟି ଏବେ ମହଙ୍ଗା ହେବାରେ ଲାଗିଛି । ଏହାସହ ରୋଷେଇ ଗ୍ୟାସର ଦର ବଢିଛି ଫଳରେ ଲୋକମାନଙ୍କ ଘରେ କିଛିଦିନ ମଧ୍ୟରେ ଚୁଲି ଜଳିବା ବନ୍ଦ ହୋଇଯିବ ବୋଲି ଆଶଙ୍କା କରାଯାଉଛି ।

ତେବେ ଏପରି ପରିସ୍ଥିତି ଲାଗି ନିଜ ସରକାରଙ୍କୁ ହିଁ ଦାୟୀ କରିଛନ୍ତି ପାକ୍ ବାସୀ। ସେମାନେ କହିଛନ୍ତି ଯେ, ରାଜନୈତିକ ସଙ୍କଟ ଯୋଗୁଁ ଖାଉଟି ମାନେ ହଇରାଣ ହେଉଛନ୍ତି। ଦେଶରେ ଲୋକେ ଖାଇବାକୁ ପାଉନାହାନ୍ତି କିନ୍ତୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ବୋଲି ଅଭିଯୋଗ କରିଛନ୍ତି ଲୋକେ।

You might also like