ଭୁଲିଗଲେ ‘ଲକ୍ଷ୍ମଣ ରେଖା’, ସାମ୍ନାକୁ ଆସିଲା କୁମାରସ୍ୱାମୀଙ୍କ ପୁଅଙ୍କ ବାହାଘରର ଏମିତି ଫଟୋ

ବେଙ୍ଗାଲୁରୁ: କରୋନା ମହାମାରୀ ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି କାରଣରୁ ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଉଛି ହେଲେ ଏସବୁ ଭିତରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁଅ ନିଖିଲ କୁମାରସ୍ୱାମୀ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଚଡି କୁମାରସ୍ୱାମୀ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ପୁଅ।

ରାମନଗର ଠାରେ ଥିବା ଏକ ଫାର୍ମ ହାଉସରେ ଆଜି ଏହି ବିବାହ କାର୍ଯ୍ୟ ଶେଷ ହୋଇଛି। ବାହାଘର ବେଳେ ଦେବଗୌଡ଼ା ମଧ୍ୟ ସେଠାରେ ଉପସ୍ଥିତ ରହି ନାତି ଓ ନାତୁଣି ବୋହୂଙ୍କୂ ଆଶୀର୍ବାଦ ଦେଇଥିଲେ।

କଂଗ୍ରେସର ପୂର୍ବତନ ମନ୍ତ୍ରୀ ଏମ କ୍ରିଷ୍ଣାପ୍ପାଙ୍କ ନାତୁଣୀ ରେବତୀଙ୍କୁ ବିବାହ କରିଛନ୍ତି ନିଖିଲ। ଗତକାଲି ଏଚଡି କୁମାରସ୍ୱାମୀଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ବିବାହ ପୂର୍ବର ରୀତିନୀତି ଅନୁଷ୍ଠିତ ହୋଇଥିଲା।

ତେବେ ବିବାହର ଯେଉଁ ଫଟୋ ଏବେ ସାମ୍ନାକୁ ଆସିଛି, ତାକୁ ନେଇ ଏବେ ଚର୍ଚ୍ଚା। କାରଣ ସେଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ, ବିବାହରେ ନା କେହି ସାମାଜିକ ଦୂରତାକୁ ପାଳନ କରିଥିଲେ ନା ମାସ୍କ ପିନ୍ଧିଥିଲେ। କୋବିଡ-୧୯କୁ ନେଇ ହୋଇଥିବା ଗାଇଡ଼ଲାଇନକୁ ଖୁଲମଖୁଲ୍ଲା ଉଲ୍ଲଂଘନ ହୋଇଥିବା କୁହାଯାଉଛି।

ଲକଡାଉନ ବେଳେ କେମିତି ବାହାଘର ହେବ ବୋଲି ପୂର୍ବରୁ କୁମାରସ୍ୱାମୀଙ୍କୁ ପଚରା ଯାଇଥିଲା। ଏହି ସମୟରେ ସେ ବାହାଘର ପାଇଁ ସରକାରଙ୍କ ଠାରୁ ଅନୁମତି ଆଣିବେ ବୋଲି କହିଥିଲେ। ସେହିପରି ଡାକ୍ତରମାନଙ୍କ ପରାମର୍ଶକ୍ରମେ ବାହାଘର ପାଇଁ ଲୋକଙ୍କୁ ଛଡ଼ା ଯିବ ବୋଲି ସେ କହିଥିଲେ।
ତେଣୁ ନିଖିଲଙ୍କ ଏହି ବାହାଘର ପାଇଁ ସରକାର ଅନୁମତି ଦେଇଥିଲେ କି ନାହିଁ, ତା’ ଉପରେ ପ୍ରଶ୍ନ ଉଠିଛି।

ଫେବୃଆରୀ ୧୦ରେ ନିଖିଲ ଓ ରେବତୀଙ୍କ ଏନଗେଜମେଣ୍ଟ ହୋଇଥିଲା। ଅଭିନେତାରୁ ରାଜନୀତିରେ ପାଦ ଥାପିଥିବା ନିଖିଲ, ଗତବର୍ଷ ନିର୍ବାଚନ ଲଢ଼ିଥିଲେ। ହେଲେ ହାରି ଯାଇଥିଲେ।

You might also like