ସେଲ୍ଫ ଆଇସୋଲେସନରେ ରହିବେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମଦାବାଦ: ସେଲ୍ଫ ଆଇସୋଲେସନରେ ରହିବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ସେ କରୋନା ଆକ୍ରାନ୍ତ ଗୁଜରାଟର କଂଗ୍ରେସ ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବାରୁ ସପ୍ତାହକ ପାଇଁ ସେଲ୍ଫ  ଆଇସୋଲେସନ ରହିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

ବିଜୟ ରୂପାଣୀ ନିଜ ଆଡୁ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି। ଯେହେତୁ ସେ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିଲେ ତେଣୁ ସେଲ୍ଫ ଆଇସୋଲେସନରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମସ୍ତ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

କରୋନା ଆକ୍ରାନ୍ତ ବିଧାୟକ ଜଣଙ୍କ ମଙ୍ଗଳବାର ବିଜୟ ରୂପାଣୀ ଓ ଦୁଇ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ। କିନ୍ତୁ ଏହି ସମୟରେ ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ଏମିତିକି ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ତେବେ ସଂପୃକ୍ତ କଂଗ୍ରେସ ବିଧାୟକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ବିଧାୟକ ଖେଡାଓ୍ୱାଲା ଯେଉଁ ଅଞ୍ଚଳରୁ ବିଧାୟକ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି ସେହି ଅଞ୍ଚଳ କରୋନାରେ ସଂକ୍ରମିତ। ତେଣୁ ଜମାଲପୁର-ଖଡିଆରରେ କର୍ଫ୍ୟୁ ଲାଗୁ ହୋଇଛି।

ବିଧାୟକ ଇମ୍ରାନ ଖେଡାଓ୍ୱାଲାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି। ଅହମଦାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଅନେକ ଅଞ୍ଚଳକୁ ହଟସ୍ପଟ ଭାବେ ଘୋଷଣା କରାଯାଇଛି।

You might also like