୨୧ ବର୍ଷ ପୂର୍ବରୁ ଧୂମପାନ ମନା, ନିୟମ ଭାଙ୍ଗିବ ତ ୭ ବର୍ଷ ଜେଲ ଯିବ

ଆସୁଛି ନୂଆ ଧୂମପାନ ଆଇନ

ନୂଆଦିଲ୍ଲୀ: ଧୂମପାନ କରିବାର ବୟସ  ନିର୍ଧାରଣ କରିବେ ସରକାର। ପୂର୍ବରୁ ଧୂମପାନ ଅନୁମତି ଥିବା ବୟସକୁ ବଢାଇବାକୁ ଯୋଜନା କରୁଛି କେନ୍ଦ୍ର। ୨୧ ବର୍ଷ ହୋଇନଥିଲେ ଧୂମପାନ ମନା। ନିୟମ ଉଲଙ୍ଘନ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡିବ ତଣ୍ଡ। କାରଣ ଧୂମପାନ ବିରୋଧରେ କଡା ଆଇନ ଆଣିବାକୁ ଯାଉଛି କେନ୍ଦ୍ର। ଏଣିକି ଖୋଲାରେ ସିଗାରେଟ୍ ବିକ୍ରି ବନ୍ଦ ହେବ। ବିମାନବନ୍ଦର କିମ୍ବା ରେଷ୍ଟୁରାଣ୍ ଗୁଡିକରେ ସ୍ମୋକିଂ ହଲ ହଟିବ।

ସର୍ବସାଧାରଣ ସ୍ଥାନରେ ନିୟମ ଭାଙ୍ଗିଲେ ମୋଟା ଅଙ୍କର ଜୋରିମାନା ଗଣିବାକୁ ବି ପଡିବ। ସରକାରଙ୍କ ନୂଆ ଚିଠା ନୀତିରେ ଏଭଳି ଅନେକ ପ୍ରସ୍ତାବ ଅଣାଯାଇଛି। ତେବେ ବର୍ତ୍ତମାନ ସମୟରେ ଏହାକୁ ନେଇ ସର୍ବସାଧାରଣଙ୍କ ମତାମତ ଲୋଡିଛନ୍ତି କେନ୍ଦ୍ର ସରକାର। ଧୂମପାନ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ଏହି ନିୟମ ଅଣାଯାଉଥିବା ଜଣାଯାଇଛି।

ବର୍ତ୍ତମାନ ସମୟରେ ଧୂମପାନ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ରହିଛି। ଧାରା-୬ ଅନ୍ତର୍ଗତ ପ୍ରମୁଖ ସଂଶୋଧନ ଅନୁସାରେ ଏହାକୁ ୨୧କୁ ବଢାଯିବ। ୩ ବର୍ଷ ଧରି ମାରାଥନ ବିଚାର ବିମର୍ଶ ପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ(ବିଜ୍ଞାପନ ନିବାରଣ ଏବଂ କାରବାର ଓ ବାଣିଜ୍ୟ, ଉତ୍ପାଦନ, ଯୋଗାଣ ଏବଂ ବଣ୍ଟନ ନିୟମ)ସଂଶୋଧିତ ବିଲ-୨୦୨୦ର ଚିଠାନୀତି ପ୍ରସ୍ତୁତ କରିଥିବା ନେଇ ସୂଚନା ମିଳିଛି।

ଆସୁଛି ନୂଆ ଧୂମପାନ ଆଇନ

ଖୋଲାରେ ମିଳିବ ନାହିଁ ସିଗାରେଟ୍

୨୧ ବର୍ଷ ହୋଇନଥିଲେ କିଣିପାରିବେ ନାହିଁ ତମାଖୁ

ସର୍ବସାଧାରଣ ସ୍ଥାନରେ ଧୂମପାନ କଲେ ୨ ହଜାର ଜୋରିମାନା

୨୧ ବର୍ଷରୁ କମ ବୟସ୍କଙ୍କୁ କୌଣସି ବ୍ୟକ୍ତି ବି ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ଉତ୍ପାଦ ବିକ୍ରି କରିପାରିବେ ନାହିଁ କି ବିକ୍ରି ପାଇଁ ଦେଇପାରିବେ ନାହିଁ ଏବଂ ବିକ୍ରି ଅନୁମତି ବି ଦେବେ ନାହିଁ। ସମ୍ପ୍ରତି ସର୍ବସାଧାରଣ ସ୍ଥାନରେ ଧୂମପାନ ପାଇଁ ୨୦୦ ଟଙ୍କା ଜୋରିମାନା  ରହିଥିବା ବେଳେ ଏହାକୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବି ପ୍ରସ୍ତାବ ରହିଛି।

୨୧ ବର୍ଷରୁ କମ ବୟସ୍କଙ୍କୁ ତମାଖୁ ଉତ୍ପାଦ ବିକ୍ରି କଲେ ଜେଲଦଣ୍ଡକୁ ୨ ବର୍ଷରୁ ୭ ବର୍ଷକୁ ବଢାଇବାର ପ୍ରସ୍ତାବ ରହିଛି। ଏଥିପାଇଁ ଜୋରିମାନା ରାଶି ବର୍ତ୍ତମାନ ୧୦୦୦ ଟଙ୍କା ଥିବା ବେଳେ ଆଗାମୀ ଦିନରେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢାଇବା ପାଇଁ ଚିଠାନୀତିରେ ଉଲ୍ଲେଖ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଖୋଲା ବା ଲୁଜରେ ସିଗାରେଟ୍ ବିକ୍ରି ହେଉଥିବା କାରଣରୁ  ଲୋକେ ବିଶେଷ କରି ଛାତ୍ରଛାତ୍ରୀମାନେ ସହଜରେ ଏହାକୁ କିଣିପାରୁଛନ୍ତି। ଖୋଲା ସିଗାରେଟ୍ ଉପରେ କଟକଣା ଲାଗିଲେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏପରି କରାଗଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଧୂମପାନ ଅଭ୍ୟାସକୁ କମାଯାଇପାରିବ। ଧାରା-୭ରେ ଏକ ପ୍ରସ୍ତାବ ଅଣାଯାଇଛି ଯେ, ସିଗାରେଟ୍ ତଥା ଅନ୍ୟାନ୍ୟ ତମାଖୁ ଉତ୍ପାଦର କାରବାର ବନ୍ଦ ପ୍ୟାକେଟରେ ହିଁ ହେବ।

ଅନ୍ୟ ଏକ ପ୍ରସ୍ତାବ ଚିଠାନୀତିରେ ଉଲ୍ଲେଖ କରାଯାଇଛି ଯେ, ବିମାନ ବନ୍ଦର, ରେଷ୍ଟୁରାଣ୍ଟ ଏବଂ ହୋଟେଲଗୁଡିକରୁ ଧୂମପାନ କକ୍ଷ ହଟାଯିବ। ୨୦୦୩ର ନିୟମରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ବ୍ୟାନ କରାଯାଇଥିଲା କିନ୍ତୁ ନିର୍ଦ୍ଦିଷ୍ଟ ଧୂମପାନ କକ୍ଷରେ ଅନୁମତି ଥିଲା। ୩୦ କକ୍ଷ ବିଶିଷ୍ଟ ହୋଟେଲ କିମ୍ବା ୩୦ରୁ ଅଧିକ ଲୋକଙ୍କ ବସିବା ପାଇଁ ସୁବିଧା ଥିବା ରେଷ୍ଟୁରାଣ୍ଟ ଏବଂ ବିମାନବନ୍ଦରରେ ସ୍ମୋକିଂ ଜୋନ ପାଇଁ ଅନୁମତି ରହିଥିଲା। ନୂଆ ଚିଠିନୀତିରେ ଏହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଭାରତରେ ସର୍ବସାଧାରଣ ସ୍ଥାନରେ ଧୂମପାନକୁ ସମ୍ପୂର୍ଣ୍ଣ ବ୍ୟାନ କରାଯିବା ଲାଗି ପ୍ରସ୍ତାବ ରହିଛି। ତେବେ ଏହି ନିୟମ କାର୍ଯ୍ୟକାରୀ ହେଲେ ନିଶାକାରବାରକୁ ନିଶ୍ଚିତ ରୂପେ ପ୍ରତିହତ କରାଯାଇପାରିବ।

You might also like