ଚା’ ଦୋକାନ କରି ବି ସ୍କୁଲ ଖୋଲିଥିଲେ…..ମେଡିକାଲ ଯାଉଥିଲେ, ଅଚିହ୍ନାଙ୍କୁ ସାହାଯ୍ୟ କରୁଥିଲେ

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି

କଟକ: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି।  କଟକ ଏସ୍‌ସିବି କୋଭିଡ୍ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟ୍‌ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଡି.ପ୍ରକାଶ। କରୋନାରେ ଆକ୍ରାନ୍ତ ହେବା ପରେ ୩ ସପ୍ତାହ ହେଲାଣି ତାଙ୍କର ଚିକିତ୍ସା ଚାଲିଥିଲା।  ତେବେ ଆଜି ତାଙ୍କର ବିୟୋଗ ଖବର ପାଇବା ମାତ୍ରେ ରାଜ୍ୟରେ ଦୁଃଖର ଲହରୀ ଖେଳିଯ।ଇଛି। ତେବେ ଜାଣନ୍ତୁ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସମ୍ପର୍କରେ କିଛି ବିଶେଷ କଥା….

ଡ଼ି ପ୍ରକାଶ ରାଓ। ଏହି ନାଁ କେବଳ ରାଜ୍ୟରେ ନୁହେଁ ବରଂ ଦେଶରେ ବେଶ ଚର୍ଚ୍ଚାରେ ରହିଛି। ନିଜର ମହାନ କାମ ଲାଗି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି। ତେବେ କଟକସ୍ଥିତ ବକ୍ସି ବଜାରରେ ଥିବା ନିଜର ଚା’ ଦୋକାନରେ ବ୍ୟବସାୟ ସାରି କଟକ ଏସସିବି ମେଡିକାଲ କଲେଜରେ ପହଞ୍ଚନ୍ତି ପ୍ରକାଶ ରାଓ। ଆଉ ଏହାପରେ ଆରମ୍ଭ ହୋଇଯାଏ ଅଚିହ୍ନା ଲୋକଙ୍କ ସେବା। ନିଜର ସାମର୍ଥ୍ୟଓ ସକ୍ଷମ ଅନୁସାରେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ପ୍ରକାଶ। ପାଖାପାଖି ୨୧୭ ଥର ରକ୍ତଦାନ କରିସାରିଛନ୍ତି ଡି. ପ୍ରକାଶ ରାଓ।

ନିଜର ମୃତ୍ୟୁପରେ ନିଜ ଶରୀରକୁ ଦାନ କରିବାକୁ ମଧ୍ୟ ସଂକଳ୍ପ ନେଇଥିଲେ ସେ। କେବଳ ଏତିକି ନୁହେଁ ବରଂ, ୨୦୦୦ ମସିହାରୁ ନିଜ ଘରେ ବସ୍ତି ପିଲାଙ୍କ ଲାଗି ଏକ ସ୍କୁଲ ଖୋଲିଛନ୍ତି।  “ଆଶା ଆଶ୍ୱାସନା ଗୃହ” ନାମରେ ସ୍କୁଲ ଟି ବେଶ ପରିଚିତ ହୋଇପାରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିଜ ଚ’ ଦୋକାନରୁ ଯେତିକି ଟଙ୍କା ମିଳେ ସେହି ଟଙ୍କାରେ ହିଁ ସ୍କୁଲକୁ ପରିଚାଳନା କରାଯାଏ। ଟଙ୍କାର ଅଭାବ ପରେ ବି ଦିନେ ଜୀବନ ଯୁଦ୍ଧର ସଂଗ୍ରାମରେ ହାର ମାନିନାହାନ୍ତି। ନିଜ ତୁଣ୍ଡ ଝାଳକୁ ମୁଣ୍ଡରେ ମାରି ନିଜ ହାତରେ ଗଢି ତୋଳିଥିବା ସୁନ୍ଦର ସ୍କୁଲ କେମିତି ସଠିକ ଭାବରେ ପରିଚାଳନା ହେବ ସେନେଇ ସବୁବେଳେ ଚିନ୍ତା ଥାଏ ପ୍ରକାଶଙ୍କର।

ପ୍ରକାଶଙ୍କ ପରିବାର କହିଲେ, ସ୍ତ୍ରୀ ଓ ଦୁଇ ଝିଅ। ମିଳିଥିବା ସୂଚନା ଅନୁସାରେ, ପ୍ରକାଶଙ୍କ ପ୍ରକୃତ ଘର ଓଡିଶାରେ ନୁହେଁ କିନ୍ତୁ ତାଙ୍କର ଅଣଜେଜେ କାକିନାଡାରୁ ପଳାଇ ଆସି କଟକରେ ରହିଥିଲେ। ଆଉ ପରେ ପରେ ପୂରା ପରିବାର ଓଡିଶାରେ ହିଁ ରହିଥିଲେ। ତାଙ୍କର ଜେଜେ ବାପା ମଧୁବାବୁଙ୍କର ନିକଟତର ଥିଲେ। ତାଙ୍କର ପିତା ଡି. କ୍ରାଷ୍ଣମୂର୍ତ୍ତୀ ଇଂରେଜ ଶାସନ ସମୟରେ ସୈନିକ ଥିଲେ। ୫୪ ବର୍ଷ ବୟସରେ ବି କେବେ ହାର ମାନନାହାନ୍ତି ପ୍ରକାଶ। ନିଜର କାମ ପାଇଁ ସେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି। ମନରେ ଥିବା ସାହାଯ୍ୟ ମନୋବୃତ୍ତିକୁ ଅନେକ ସାମାଜିକ କର୍ମୀ ଓ ଜିଲ୍ଲା ପ୍ରଶାସନ ସଲାମ ମଧ୍ୟ କରିଥିବା ନଜର ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ

କେବଳ ଏତିକି ନୁହେଁ ବରଂ, ମୋଦି ସରକାର ଚତୁର୍ଥବର୍ଷ ପୁର୍ତ୍ତି କରିବା ଅବସରରେ ମୋଦି ଦେଶବାସୀଙ୍କୁ ମନ କି ବାତ୍ ଜରିଆରେ ସମ୍ବୋଧିତ କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିବାବେଳେ ମୋଦି କଟକର ଚା’ ବିକାଳି ଡି.ପ୍ରକାଶ ରାଓଙ୍କ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ । ରେଡିଓରେ ପ୍ରସାରିତ ମନ କି ବାତ ଜରିଆରେ ଚା ବିକାଳୀ ପ୍ରକାଶ ରାଓଙ୍କୁ ତାଙ୍କର ଅବଦାନ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ତେବେ ଆଜିର ଦିନରେ ସମସ୍ତଙ୍କୁ ଛାଡି ପରଲୋକ ଗମନ କରିଛନ୍ତି ପ୍ରକାଶ। ସେ ସିନା ଚାଇଗଲେ, କିନ୍ତୁ ତାଙ୍କର କାମ ଓ ବ୍ୟକ୍ତିତ୍ୱକୁ ସବୁଦିନ ଲାଗି ମନେ ରଖିବ ଦେଶ।

You might also like