ଡାକ୍ତରଖାନାରେ କରୋନା ଆକ୍ରାନ୍ତ ଯୁବକଙ୍କ ଉତ୍ସର୍ଗୀକୃତ ମନୋଭାବ ଦେଖି ପ୍ରଶଂସା କଲେ ଜିଲ୍ଲାପାଳ

ବ୍ରହ୍ମପୁର:ଯୋଗ୍ୟତା, ଆତ୍ମବିଶ୍ୱାସ ଏସବୁ ସଫଳତାର ଗୋଟିଏ ଗୋଟିଏ ଚାବିକାଠି। ଏକଥାକୁ ଅସ୍ୱୀକାର କରାଯାଇ ନ ପାରେ। ହେଲେ ଏସବୁ ସହିତ ସଫଳତାର ଆଉ ଏକ ସତ୍ୟ ହେଉଛି କରୁଥିବା କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ। ଯଦି କୌଣସି କାମ ପ୍ରତି ତୁମର ଉତ୍ସର୍ଗ ମନୋଭାବ ରହିବ ତେବେ ସଫଳତା ହାତ ପାହାନ୍ତାରେ ମିଳିପାରିବ। ଏମିତି ଉତ୍ସର୍ଗ ମନୋଭାବ ଜଣେ ଯୁବକଙ୍କଠାରେ ଦେଖି ଖୁସିରେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

କରୋନାର ତା’ର କାୟା ସାରା ବିଶ୍ୱରେ ବିସ୍ତାର କରି ସାରିଲାଣି। ଭୟ ଆଉ ଆଶଙ୍କା ଭିତରେ ବିଶ୍ୱବାସୀ। ବିଶେଷକରି ଭାରତର ସ୍ଥିତି ଗୁରୁତର। ଡାକ୍ତରଖାନାରା ବେଡ୍‌ ନାହିଁ, ଶ୍ମଶାନରେ ଜାଗା ମିଳୁନି। ଏପରି ସ୍ଥିତିରେ ଆକ୍ରାନ୍ତ ଏବଂ ଆକ୍ରାନ୍ତଙ୍କ ପରିବାର ଲୋକ  ମାନସିକ ଚାପରେ ରହୁଛନ୍ତି। ତଥାପି ଏ ପରିସ୍ଥିତିରେ ଗଞ୍ଜାମର ଜଣେ ଯୁବକଙ୍କ ମନୋବଳ ଏବଂ ତାଙ୍କ ଲକ୍ଷ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଦେଖିଲେ ଯେ କେହି ତାଙ୍କୁ ପ୍ରଶଂସା କରିବ, ତାଙ୍କ କାମରେ ଅନୁପ୍ରାଣତ ହେବ।

ଯୁବକ ଜଣକ କୋଭିଡ ଆକ୍ରାନ୍ତ ହୋଇ ବ୍ରହ୍ମପୁର କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।  ସେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ଦେବା ପାଇଁ ପଢାପଢି କରୁଛନ୍ତି। କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ତାଙ୍କ ଲକ୍ଷ୍ୟପଥରୁ ହଟି ନ ଥିଲେ। କରୋନା ଭୟ ଥିଲା। ହେଲେ ଲକ୍ଷ୍ୟ ପ୍ରତି ଥିଲେ ଅଟଳ। ସେ ଡାକ୍ତରଖାନା ବିଛଣାରେ ବସି ବି ପାଠ ପଢୁଥିଲେ।

ଏହି ସମୟରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ କୋଭିଡ୍ ମେଡିକାଲ ପରିଦର୍ଶନ ପାଇଁ ଆସିଥିଲେ। ଯୁବକଙ୍କ ପାଠପଢାର ନିଷ୍ଠା ଦେଖି ଖୁସି ହେବା ସହ ତାଙ୍କୁ ବେଶ ପ୍ରଶଂସା କରିଥିଲେ। ଏଥିସହିତ ଟ୍ୱିଟ କରି ତାଙ୍କ ପ୍ରଶଂସା ବାର୍ତ୍ତ ଜଣାଇଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି, କୋଭିଡ ୱାର୍ଡ ପରିଦର୍ଶନରେ ଯିବାବେଳେ ଜଣେ ଯୁବକ ବିଛଣାରେ ବସି ପଢାପଢି କରୁଥିବା ଦେଖିବାକୁ ପାଇଥିଲି। ଯୁବକ ଜଣକ ସିଏ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଥିଲେ। ତାଙ୍କର ନିଷ୍ଠା ଏବଂ ପାଠ ପାଇଁ ଉତ୍ସର୍ଗୀକୃତ ମନୋଭା ଯୋଗୁ ସେ କରୋନା ଜନିତ ଯନ୍ତ୍ରଣାକୁ ଭୁଲି ଯାଉଥିଲେ। ଏହାପରେ ସଫଳତା ଏକମାତ୍ର ଔପଚାରିକତା ବୋଲି ଟ୍ୱିଟ୍ କରିଛନ୍ତି ଜିଲ୍ଲାପାଳ।

ଗୋଟିଏ ଦିନରେ ଏହି ଟୁଇଟ ଉପରେ ୫୯୩ ମତାମତ ଆସିଥିବେଳେ ୭.୬ ହଜାର ରିଟୁଇଟ କରାଯାଇଛି। ସେହିପରି ୫୦ ହଜାରରୁ ଅଧିକ ଲାଇକ ମିଳିଛି।

You might also like