ଷଡଯନ୍ତ୍ର କଲେ, ପୋଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦରକୁ ଖସାଇ ନେଲେ

କେବେ ଧରାପଡ଼ିବ ହାଇଦର?

  • ହାଇଦର ଫେରାର ପଛରେ ପରିବାର !
  • କନଷ୍ଟେବଳଙ୍କ FIRରେ ଅଚେତ କରି ଫେରାର କରାଇଥିବା ଉଲ୍ଲେଖ
  • ପୁଅ, ପୁତୁରା, ଭାଇ ଓ ଶଳା ବିଷାକ୍ତ ପଦାର୍ଥ ଫିଙ୍ଗି ଅଚେତ କରାଇଥିବା ଉଲ୍ଲେଖ
  • ଜେଲ୍ ଡିଆଇଜି କହିଲେ, ଷଡ଼ଯନ୍ତ୍ର ସତ ହୋଇଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ
  • ପୋଲିସରେ ଆତ୍ମସମର୍ପଣ କଲା ହାଇଦରର ପୁରୁଣା ସହଯୋଗୀ ସଲ୍ଲୁ

କଟକ: ହାଇଦରର ଫେରାର ପଛରେ ଅଛନ୍ତି ତା ପରିବାର। ଘଟଣାଦିନ ଏସସିବିରେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସିମଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରୁ ଏହା ସ୍ପଷ୍ଟ ହେଉଛି। ହାଇଦରକୁ ଫେରାର କରିବାରେ ତା ପୁଅ, ଶଳା ଓ ପୁତୁରା ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସେ ଦର୍ଶାଇଛନ୍ତି। ସେପଟେ ଘଟଣାକୁ ୩ଦିନ ବିତିବାକୁ ବସିଥିବାବେଳେ ଓଡ଼ିଶା ପୋଲିସର ଅପରେସନ ହାଇଦରକୁ ଏଯାଏଁ ମିଳିନି ସଫଳତା। ଜେଲ୍ ବିଭାଗ ଡିଆଇଜି କହିଛନ୍ତି, ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏସବୁ ଭିତରେ ଆଜି ହାଇଦରର ଜଣେ ପୁରୁଣା ସହଯୋଗୀ ୟାକୁବ୍ ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛି।

ଗ୍ୟାଙ୍ଗଷ୍ଟର ହାଇଦର SCBରୁ ଫେରାର ପଛରେ ହୋଇଛି ବିରାଟ ଷଡ଼ଯନ୍ତ୍ର। ଖୋଦ୍ ତା ସଂପର୍କୀୟ ହିଁ ସାଜିଛନ୍ତି ଫେରାର୍ ପଛର ଷଡ଼ଯନ୍ତ୍ରକାରୀ। ପୁଅ, ଭାଇ, ଶଳା ଓ ପୁତୁରାଙ୍କ ଭଳି ଅତି ନିକଟ ସମ୍ପର୍କୀୟ ହିଁ ରଚିଥିଲେ ଫେରାର୍ ପ୍ଲଟ୍। କେମିତି ସଫଳ ହେଲା ସେ ଷଡ଼ଯନ୍ତ୍ର, ମଙ୍ଗଳାବାଗ ଥାନାରେ ଦିଆଯାଇଥିବା ଏଫଆଇଆରରୁ ତାହା ସ୍ପଷ୍ଟ ହୋଇଛି। ଥାନାରେ ଏତଲା ଦେଇଛନ୍ତି ସେଦିନ ଏସସିବି ସର୍ଜରୀ ଓ୍ୱାର୍ଡରେ ହାଇଦର ରହୁଥିବା କ୍ୟାବିନ ନମ୍ବର ୫ରେ ପହରା ଦେଉଥିବା ଖୋଦ୍ ପୋଲିସ କନଷ୍ଟେବଲ ମହମ୍ମଦ ମୌସିମ୍। ମୌସିମ ଲେଖିଛନ୍ତି, ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ହାଇଦରକୁ ସମ୍ବଲପୁରରୁ ପୋଲିସ ଏସକର୍ଟରେ କଟକ ଅଣାଯାଇଥିଲା।

ଚିକିତ୍ସା ସମୟରେ ହାଇଦର ପାଖକୁ ତା ପୁଅ, ଭାଇ କାଳିଆ, ପୁତୁରା କାଲା, ଶଳା ଓ ଜ୍ୱାଇଁ ପ୍ରମୁଖ କ୍ୟାବିନରେ ଦେଖା କରି କଥା ହେଉଥିଲେ। ଗତ ଶନିବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ ସେ ପହରା ଡ୍ୟୁଟି କରୁଥିବାବେଳେ ମଧ୍ୟ ଏହି ଲୋକମାନେ ହାଇଦର ପାଖକୁ ଆସିବା ସହ ହଠାତ୍ ତାଙ୍କ ଉପରକୁ କୌଣସି ଏକ ବିଷାକ୍ତ ପଦାର୍ଥ ପକାଇଥିଲେ। ଯାହାଫଳରେ ସେ ଅଚେତ ହୋଇଯିବାରୁ ଅଧିକ କିଛି ଜାଣିପାରିନଥିବା ମୌସିମ୍ ଅଭିଯୋଗ କରିଛନ୍ତି। ଫଳରେ ତାଙ୍କ ଅଚେତର ସୁଯୋଗ ନେଇ ହାଇଦର ଖସି ପଳାଇଥିବା ଏତଲାରେ ମୌସିମ୍ ଉଲ୍ଲେଖ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି।

କଟକ ସର୍ଜରୀ ଓ୍ୱାର୍ଡର ୫ନମ୍ବର କ୍ୟାବିନରୁ ଗତ ଶନିବାର ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଚମ୍ପଟ ମାରିଛି ଗ୍ୟାଙ୍ଗଷ୍ଟର ହାଇଦର। ସେପଟେ ଜେଲ୍ ବିଭାଗ ଡିଆଇଜି ଓଟିଭିକୁ ପ୍ରତିକ୍ରିୟା ଦେଇ କହିଛନ୍ତି-ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏଣେ ହାଇଦରର ପତ୍ନୀ ହସିନା ବିବି ଆଜି ପ୍ରତିକ୍ରିୟା ରଖି କହିଛନ୍ତି, ହାଇଦର ଫେରାର୍ ଘଟଣାରେ ତାଙ୍କ ପରିବାର କି ସମ୍ପର୍କୀୟଙ୍କ ହାତ ନାହିଁ। ଯାହା ଅଭିଯୋଗ ହେଉଛି ସବୁ ମିଛ।

ଆଜି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ କମିଶନରେଟ୍ ପୋଲିସରେ ଆତ୍ମସମର୍ପଣ କରିଛି ହାଇଦରର ଜଣେ ପୁରୁଣା ସହଯୋଗୀ ସଲ୍ଲୁ ଓରଫ ୟାକୁବ୍। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଥିବା ସଲ୍ଲୁ , ହାଇଦରକୁ ଏସସିବିରେ ବିରିୟାନି ଖାଇବାକୁ ଦେଇଥିବା ଅଭିଯୋଗ ରହିଛି। ତେବେ ଏଠି ପ୍ରଶ୍ନ ୟାକୁବ୍ କିଏ ? ହାଇଦର ସହ ତାର କି ସଂପର୍କ ? ସୂଚନା ଅନୁସାରେ କଟକ ମହାନଦୀବିହାରର ୟାକୁବ୍ ଏକାଧିକ ଥର ହାଇଦରକୁ ଏସିବିରେ ଭେଟିଥିଲା। ଏକ ବୋମାମାଡ ଘଟଣାରେ ସେ ଜେଲ୍ ଯାଇଥିଲା। ସେଠି ହାଇଦରର ପୁଅ ସହ ଭେଟ ପରେ ଆସି ହାଇଦର ଗ୍ୟାଙ୍ଗରେ ମିଶିଥିଲା। ଏମିତିକି ହାଇଦରର ଅପରାଧିକ କାର୍ଯ୍ୟକଳାପକୁ ବି ବୁଝୁଥିଲା ୟାକୁବ। ତା ନାଁରେ କଟକର ବିଭିନ୍ନ ଥାନାରେ ଦାଦାବଟି, ଡକାୟତି ଭଳି ମାମଲା ରହିଛି।

ତେବେ ହାଇଦର ଫେରାର ମାମଲାରେ ସେ ନିଜଆଡୁ ଆତ୍ମସମର୍ପଣ କରି ପୋଲିସକୁ ସହଯୋଗ କରିବ ବୋଲି କହିଛି। ହେଲେ ସେଥିରୁ ଅପରେସନ ହାଇଦରକୁ ସଫଳତା ମିଳିବ ନା ଦିଗହରା କରିବ ତାକୁ ନେଇ ଉଠିଲାଣି ସନ୍ଦେହ। ଏଭଳି ସ୍ଥିତିରେ ସମ୍ବଲପୁର ରେଞ୍ଜ ଜେଲ୍ ଡିଆଇଜି ବି ରଖିଛନ୍ତି ପ୍ରତିକ୍ରିୟା। କହିଛନ୍ତି-ହାଇଦରକୁ ପ୍ରୋଟୋକଲ ଅନୁସାରେ ଚିକିତ୍ସା ପାଇଁ ଏସସିବି ପଠାଯାଇଥିଲା। ଆଗରୁ ମଧ୍ୟ ସେ ଦୁଇ ଥର ଏସସିବି ଯାଇଛି।

ହାଇଦର ଫେରାରକୁ ୨ ଦିନ ବିତିଲାଣି, ପୋଲିସ୍ ଏବେ ବି ହାତ ଖାଲି କରି ବସିଛି। ଏବେ ଅପେକ୍ଷା ଗ୍ୟାଙ୍ଗଷ୍ଟରର ସହଯୋଗୀ ସଲ୍ଲୁର ଆତ୍ମସମର୍ପଣ ପୋଲିସକୁ କି ନୂଆ ସୁରାଗ୍ ଦେଉଛି ଓ କେବେ ଧରାପଡୁଛି ହାଇଦର୍। ଏହାସହ ତା ଫେରାର୍ ପଛର ଷଡ଼ଯନ୍ତ୍ରକାରୀଙ୍କର ପର୍ଦ୍ଦାଫାଶ ହୋଇପାରୁଛି କି ନାହିଁ।

You might also like