ପ୍ରକୃତ ବନ୍ଧୁ ନୁହନ୍ତି ସୋସିଆଲ ମିଡ଼ିଆର ବନ୍ଧୁ, ସମୟ ଆସିଲେ ଶତ୍ରୁ ସାଜିପାରନ୍ତି . .

ମଣିଷ ଜୀବନ ବନ୍ଧୁ ବିନା ରଙ୍ଗହୀନ। ବନ୍ଧୁତା ଆକାଶ ପରି ଅସୀମ, ସାଗର ପରି ଗଭୀର। ପ୍ରକୃତ ବନ୍ଧୁ ସୁଖଦୁଃଖର ସାଥୀ। ତୁମ ଖୁସିରେ ଯିଏ ଖୁସି ହୁଏ, ଦୁଃଖରେ ଦୁଃଖୀ ହୁଏ ସିଏ ପ୍ରକୃତ  ବନ୍ଧୁ। ବନ୍ଧୁତାର ସମ୍ପର୍କ ଯେ କୌଣସି ସମ୍ପର୍କ ଠାରୁ ମଧ୍ୟ ଶକ୍ତିଶାଳୀ। ଇଶ୍ୱର ଯାହାକୁ ରକ୍ତ ସମ୍ପର୍କରେ ବାନ୍ଧିବାକୁ ଭୁଲିଯାଆନ୍ତି, ତାକୁ ବନ୍ଧୁତାର ନିବିଡ଼ ବନ୍ଧନରେ ବାନ୍ଧି ଦିଅନ୍ତି । ବନ୍ଧୁତାରେ ଜାତିଅଜାତି, ଧନୀ ଗରିବର ଭେଦଭାବ ନଥାଏ। ଏହି ସମ୍ପର୍କରେ ସବୁ ନିର୍ମଳ ଆଉ ପବିତ୍ର। ହେଲେ ଯୁଗ ବଦଳିବା ସଙ୍ଗେସଙ୍ଗେ ବନ୍ଧୁତାର ପରିଭାଷା ବଦଳିଛି। ଫେସବୁକ, ଇନଷ୍ଟାଗ୍ରାମ୍, ପରି ସୋସିଆଲ ମିଡ଼ିଆରେ ହେଉଛି ଆଧୁନିକ ବନ୍ଧୁତା।

ତେବେ ଏଇଠି କହି ରଖୁଛୁ, ଫେସବୁକ ସମେତ ଅନ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ହେଉଥିବା ବନ୍ଧୁତ୍ୱରେ ଥାଏ ଅନେକ ବିପଦ। କୌଣସି ବି ଅଜଣା, ଅଚିହ୍ନା ବ୍ୟକ୍ତି ସହ ବନ୍ଧୁତା କରିବାକୁ ଯାଉଥିଲେ, ହଜାରେ ଥର ଚିନ୍ତା କରନ୍ତୁ। କାରଣ ଭବିଷ୍ୟତରେ ସୋସିଆଲ ମିଡିଆର ବନ୍ଧୁ ଆପଣଙ୍କ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରନ୍ତି। ଆପଣଙ୍କୁ ଆଗକୁ ଯାଇ ବ୍ଲାକେମଲ୍ କରପାରନ୍ତି। ଆପଣଙ୍କ ବ୍ୟକ୍ତିଗତ ଫଟୋ ଏଡିଟ୍ କରି ଭାଇରାଲ୍ କରିପାରନ୍ତି । ଆଉ ଏହାର ଅନେକ ନଜିର ମଧ୍ୟ ରହିଛି । ଏଥିପାଇଁ ବନ୍ଧୁତା କରିବା ପୂର୍ବରୁ ସୋସିଆଲ ମିଡ଼ିଆ ବନ୍ଧୁକୁ ଭଲଭାବେ ବୁଝିନିଅନ୍ତୁ,ଜାଣିନିଅନ୍ତୁ।

ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ଶୁଣିଲେ ଆପଣ ସୋସିଆଲ ମିଡ଼ିଆ ବନ୍ଧୁଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବେ ନିଶ୍ଚୟ। ଆଗ୍ରା ସହରର ଜଣେ ଯୁବତୀଙ୍କର ହ୍ୱାଟସଆପରେ ହରିଓମ ନାମକ ଜଣେ ଯୁବକ ସହ ବନ୍ଧୁତା ହୋଇଯାଏ। ଧୀରେ ଧୀର କଥା ଆରମ୍ଭ ହୁଏ, ଆଉ ନୀବିଡ଼ତା ବଢ଼ିଯାଏ। ଏକ ମାସରେ ଯୁବତୀଙ୍କ ବିଶ୍ୱାସ ଜିତି, ତାଙ୍କ ବିଷୟରେ ଅନେକ କଥା ଜାଣିନିଏ ଫେସବୁକ ବନ୍ଧୁ। ଆଉ କିଛି ଦିନ ପରେ ଉକ୍ତ ଯୁବତୀଙ୍କ ଫଟୋକୁ ଏଡିଟ୍ କରି ଭାଇରାଲ କରିବା ପାଇଁ ଧମକ ଦେବାରେ ଲାଗିପଡେ। ଏସବୁ ଜାଣିବା ପରେ ଯୁବତୀ ଜଣଙ୍କ ଚିନ୍ତାରେ ଭାଙ୍ଗିପଡନ୍ତି। ଶେଷରେ ଅନ୍ୟ ଉପାୟ ନପାଇ ସାଇବର ସେଲର ସାହାଯ୍ୟ ନିଅନ୍ତି। ପୁଲିସ ସାଇବର ସେଲର ଟିମ୍ ଅଭିଯୁକ୍ତ ବିରୋଧରେ ତୁରନ୍ତ ମାମଲା ଦାଏର କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି। ଆଉ ତା’ପର ଠାରୁ ସେହି ଯୁବତୀ ଜଣକ ସୋସିଆଲ ବନ୍ଧୁଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କଲେ।

ସେହିପରି ଆଗ୍ରାର ନାଇ ମଣ୍ଡି ଥାନା ଅନ୍ତର୍ଗତ ଜଣେ ଯୁବତୀଙ୍କର ତିନୋଟି ଫେକ୍ ଫେସବୁକ ଆଇଡ଼ି ତିଆରି କରେ ଜଣେ ଦୁର୍ବୃତ୍ତ। ଆଉ ତା’ପରେ ଯୁବତୀଙ୍କ ନାମରେ ସମସ୍ତଙ୍କୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ଆରମ୍ଭ କରିଦିଏ। ପରିଚିତ ମୁହଁ ଦେଖି ଲୋକେ ଦୁର୍ବୃତ୍ତର ଫ୍ରେଣ୍ଡ ରିକ୍ୱେଷ୍ଟକୁ ସ୍ୱୀକାର କରିନିଅନ୍ତି। ତେବେ ଦୁର୍ବୃତ୍ତ ଯେତେବେଳେ ସେହି ଯୁବତୀ ଜଣଙ୍କର ଆପତ୍ତିଜନକ ଫଟୋ ପୋଷ୍ଟ କରିବା ଆରମ୍ଭ କଲା,ଯୁବତୀଙ୍କ ବନ୍ଧୁବାନ୍ଧବଙ୍କୁ ସନ୍ଦେହ ହେଲା । ପୀଡ଼ିତାଙ୍କ ଅଭିଯେ।ଗ ପରେ ସାଇବର ସେଲ ଛାନଭିନ୍ ଆରମ୍ଭ କରି ଦୁର୍ବୃତ୍ତଙ୍କୁ ବାନ୍ଧିନେଲା।

 

ଫେସବୁକ୍ ସିକ୍ୟୁରିଟି ପାଇଁ ଟିପ୍ସ –

  • ଜାଣିଥିବା ବନ୍ଧୁକୁ ହିଁ ଫେସବୁକ୍  ବନ୍ଧୁ ବନାନ୍ତୁ ।
  • ଏକ ସୁରକ୍ଷିତ ପାସୱାର୍ଡ଼ ତିଆରି କରି ଫେସବୁକ୍ ବ୍ୟବହାର କରନ୍ତୁ।
  •  ଅଜଣା ବନ୍ଧୁଙ୍କ ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।
  • ନିଜର ପାସୱାର୍ଡ଼ କାହାକୁ ଦିଅନ୍ତୁ ନାହିଁ ।
  •  ନିୟମିତ ସମୟସୀମା ମଧ୍ରରେ ନିଜର ପାସୱାର୍ଡ଼ ବଦଳାନ୍ତୁ । ଯଦି ଫେସବୁକ୍ ଲଗ ଇନ୍ କରିବା ପରେ ଆଉ ଥରେ କୌଣସି ଲିଙ୍କ୍ ଲଗଇନ୍ କରିବା ପାଇଁ ମେସେଜ୍ ଆସେ, ତେବେ ତା’ ଉପରେ କ୍ଲିକ୍ କରନ୍ତୁ ନାହିଁ ।
  •  ନିଜର ଆକାଉଣ୍ଟକୁ ଦ୍ବିସ୍ତରୀୟ ଫେସବୁକ ଲଗଇନ୍ ସିକ୍ୟୁରିଟିରେ ପଞ୍ଜୀକୃତ କରନ୍ତୁ । ଅନ୍ୟ କୌଣସି ମୋବାଇଲ କିମ୍ବା କମ୍ପ୍ୟୁଟରେ ବ୍ୟବହାର ସମୟରେ ନିଜର ମେଲ ସେବା ପ୍ରଦାନ କରୁଥିବା ସଂସ୍ଥାକୁ ସମ୍ପର୍କ କରି ତୁରନ୍ତ ସୂଚନା ଦେଇଦିଅନ୍ତୁ ।

 

 

You might also like