ପୁଣି ଏମାର ମଠରୁ ବାହାରିଲା ମୂଲ୍ୟବାନ ସାମଗ୍ରୀ

ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ରୂପା ଇଟା ପରେ ଏବେ ଉଦ୍ଧାର ହେଲା ବହୁ ପୁରାତ ବ୍ରୋଞ୍ଚ ପ୍ରତିମୂର୍ତ୍ତୀ। ଗାଈ ବାଛୁରୀଙ୍କ ବହୁମୂଲ୍ୟ ବ୍ରୋଞ୍ଚ ପ୍ରତିମୂର୍ତ୍ତି, ବହୁ ପୁରାତନ ୧୬ଟି ଖଣ୍ଡା, ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଏହାସହ ତାରକସୀ କାମ ସହ ରୂପାର ଫୁଲଦାନୀ, ଫୁଲ ମଧ୍ୟ ଉଦ୍ଧାର କରାଯାଇଛି। ଏହି ସବୁ ପୁରାତନ ସାମଗ୍ରୀ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବ ବୋଲି  ଆଶା କରାଯାଉଛି। ତେବେ ଉଦ୍ଧାର ହୋଇଥିବା ବ୍ରୋଞ୍ଚ ଗାଈ-ବାଛୁରୀକୁ ଝୁଲଣ ଯାତ୍ରା ବେଳେ ବ୍ୟବହାର କରାଯାଇଥାଏ ବୋଲି ଜଣାପଡ଼ିଛି। ଖାଲି ସେତିକି ନୁହେଁ ଏହା ବ୍ୟତୀତ ରୂପାର ବାସନକୁସନ ମଧ୍ୟ ଏମାର ମଠରୁ ମିଳିଥିବା ଦେଖାଯାଇଛି।

EMAR MUTT

ଶୁକ୍ରବାର ଏମାର ମଠ ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି। ଏହି ସମୟରେ ଏହି ସବୁ ପୁରାତନ ସାମଗ୍ରୀର ସନ୍ଧାନ ମିଳିଛି। ଏହାପୂର୍ବରୁ ୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ତ ରୂପା ଇଟା ବାହାରିଥିଲା। ତେଣୁ ସେବେଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଛିତ ଥିବା ନେଇ କଳ୍ପନାଜଳ୍ପନା କରାଯାଉଛି।

EMAR MUTT

ତେବେ ୨୦୧୯ ମସିହାରେ ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ହୋଇଥିବା ଏହି ମଠକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିବା ଆରମ୍ଭ କରିଥିଲା। ସେତେବେଳେ ସେଠାରେ କିଛି ଗୁପ୍ତ କୋଠରୀ ଥିବା ଦେଖାଯାଇଥିଲା। ଏଥିରେ ଆହୁରି ଅଧିକ ଧନରତ୍ନ ଥିବା ଆଶଙ୍କା କରାଯାଇଥିଲା। କାରଣ ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରେ ଏହି ମଠ ହିଁ ଲୋକଙ୍କ ପେଟକୁ ଦାନା ଦେଇଥିଲା। ଦିନ ଦିନ ଧରି ହଜାର ହଜାର ଭୋକିଲାଙ୍କୁ ଅନ୍ନ ପରଷା ଯାଇଥିବାର  ପୂର୍ବରୁ ପ୍ରମାଣ ରହିଛି। ତେଣୁ ସମ୍ଭବତଃ ଏସବୁ କୋଠରୀକୁ ମଠ କର୍ତ୍ତୃପକ୍ଷ ଅମାର ଭାବେ ବ୍ୟବହାର କରି ଖାଦ୍ୟଶସ୍ୟ ମହଜୁଦ୍ ରଖୁଥିବା ମନେ କରାଯାଏ।

EMAR MUTT

ଏମାର ମଠର ସମ୍ପର୍କ ଶ୍ରୀମନ୍ଦିର ସହ ଯେତିକି ନିବିଡ଼, ଏହାର ଇତିହାସ ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ । ତେଣୁ ମଠ ଭିତରୁ ଏସବୁ ରହସ୍ୟଜନକ କୋଠରୀରର ସନ୍ଧାନ ମିଳିବା ପରେ ଲୋକଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଉଠିଥିଲା। ଗବେଷକଙ୍କ ମତରେ ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ରାମାନୁଚାର୍ଯ୍ୟଙ୍କ ପୁରୀ ଆଗମନ ସମୟରେ ଏହି ମଠର ନିର୍ମାଣ ହୋଇଥିବା  ଅନୁମାନ କରାଯାଏ। ଯାହାର କି ଶ୍ରୀଜଗନ୍ନାଥଙ୍କ ଭୋଗ ନୀତି ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି । ତା’ସହ ଏହି ମଠ ଶହ ଶହ ବର୍ଷ ବର୍ଷ ଧରି ଭକ୍ତ ଓ ସାଧୁ ସନ୍ଥ ଏବଂ ଦରିଦ୍ର ନାରାୟଣଙ୍କୁ ପଂକ୍ତି ଭୋଜନ ମଧ୍ୟ ଦେଇ ଆସୁଛି।

You might also like