ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ଆଉ ନାହାନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ରାଜନେତା ବୈଷ୍ଣବ ଚରଣ ପରିଡ଼ା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା।

ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଦକ୍ଷ ରାଜନେତା, ସ୍ତମ୍ଭକାର ଓ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ଥିଲେ।

ସେ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସାଂସଦ ଭାବେ ରାଜ୍ୟ ସଭାକୁ ପ୍ରତିନିଧିତ୍ୱ କରିଥିଲେ। ବିଜେଡି ପକ୍ଷରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ରୁଷ ସାହିତ୍ୟର ୧୦୦ରୁ ଅଧିକ ପୁସ୍ତକ ସେ ଅନୁବାଦ କରିଥିଲେ।

ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବା ଲାଗି ତାଙ୍କର ଅବଦାନ ଅତୁଳନୀୟ ଥିଲା। ଶେଷ ପର୍ଯ୍ୟନ୍ତ ସେ ଏହି ଆନ୍ଦୋଳନ ପୁରୋଧା ଥିଲେ।

ସାମ୍ୟବାଦ ଓ ଧର୍ମନିରପେକ୍ଷତାକୁ ବିଶ୍ୱାସ କରୁଥିବା ଏହି ନେତା ୧୯୪୧ ମସିହାରେ ଯାଜପୁରରେ ଜନ୍ମଗ୍ରହଣ କରିଥିଲେ। ପ୍ରଥମେ ସିପିଆଇ, ତା’ପରେ କଂଗ୍ରେସ ଓ ପରେ ସମାଜବାଦୀ ପାର୍ଟିରେ ଯୋଗ ଦେବା ପରେ ଶେଷରେ ସେ ବିଜେଡିରେ ଯୋଗ ଦେଇଥିଲେ।

You might also like