ବିପଦ ସଙ୍କେତ ଉପରେ ବୈତରଣୀ: ମଲ୍ଲିକାପୁରରେ ଘାଇ

ଯାଜପୁରରେ ଘାଇ

ଯାଜପୁର: ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେବା ପରେ ଦେଖାଦେଇଛି ବନ୍ୟା ସ୍ଥିତି। ବୈତରଣୀ ଏବଂ ଶାଖା ନଦୀର ଜଳସ୍ତର ବଢ଼ିବା ଫଳରେ କୋରେଇ, ଯାଜପୁର, ଦଶରଥପୁର ସମେତ ୩ ଟି ବ୍ଲକରେ ବନ୍ୟା ଜଳ ପ୍ରବେଶ କରିଛି। ଆଖୁଆପଦାରେ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦଶରଥପୁର ଠାରେ ବୈତରଣୀ ନଦୀର ଜଳସ୍ତର ୨ ମିଟର ଉପରେ ପ୍ରବାହିତ ହେଉଛି। ଏହା ଫଳରେ ତଳିଆ ଅଞ୍ଚଳର ଗାଁ ଗୁଡ଼ିକ ଜଳବନ୍ଦୀ ହୋଇଛନ୍ତି। ଦଶରଥପୁର ବ୍ଲକ କାଣି ନଦୀର ମଲ୍ଲିକାପୁର ନିକଟରେ ଘାଇ ହୋଇଥିବାରୁ ଏହି ଅଞ୍ଚଳ ଜଳମଗ୍ନ ହୋଇଛି। ସେପଟେ କୋରେଇ ଓ ଯାଜପୁର ବ୍ଲକର ଅନେକ ଗାଁ ବନ୍ୟା ଜଳ ଘେରରେ ରହିଛି। ଅନ୍ୟପଟେ ଆଖୁଆପଦାରେ ଜଳସ୍ତର ସାମାନ୍ୟ କମିଥିବାରୁ ବନ୍ୟା ଅଶଙ୍କା ନଥିବା ଜିଲ୍ଲା ପ୍ରଶାସନ କହିଛି।

ସେପଟେ, କେନ୍ଦୁଝର ଆନନ୍ଦପୁରରେ ଖସୁଛି ବୈତରଣୀର ନଦୀର ଜଳସ୍ତର। ଆଜି ସକାଳ ୬ଟାରେ ଜଳସ୍ତର ୩୬ ଦଶମିକ ନଅ ଦୁଇ ମିଟର ରେକର୍ଡ କରାଯାଇଛି। ଏହା ସହିତ ଆନନ୍ଦପୁର ଅଞ୍ଚଳରେ ଆଉ ବନ୍ୟା ଆଶଙ୍କା ପ୍ରାୟତଃ ନାହିଁ ବୋଲି କୁହାଯାଉଛି। ଏହି ଅଞ୍ଚଳର କେତେକ ତଳିଆ ସ୍ଥାନରେ ଅଳ୍ପ କିଛି ଗାଁରେ ପାଣି ପଶିଥିଲା। ଚାଷ ଜମି ମଧ୍ୟ ପାଣିରେ ବୁଡ଼ି ଯାଇଥିଲା। ପ୍ରଶାସନ ପକ୍ଷରୁ ଆଜି ବନ୍ୟା କ୍ଷୟକ୍ଷତି ଆକଳନ କରାଯିବ ବୋଲି ସୂଚନା ମିଳିଛି। ହାଟଡିହି ବ୍ଲକର ତଳିଆ ଅଞ୍ଚଳର ବଳେଶ୍ୱର ପଞ୍ଚାୟତ, ଆଇତିପୁର ପଞ୍ଚାୟତର କେତେକ ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛନ୍ତି। ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ମଧ୍ୟ ଦିଆଯାଉଛି।

ସେପଟେ,ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହ ମୁଖ୍ୟ ଶାସନ ସଚିବ, SRC ଓ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ, ଦୀର୍ଘସୂତ୍ରୀ ସମାଧାନ ଚାହିଁଲା ଓଡ଼ିଶା। ବାତ୍ୟା ମୁକାବିଲା ପାଇଁ ୨ଟି ଦୀର୍ଘସୂତ୍ରୀ ବ୍ୟବସ୍ଥା ଦାବି କଲେ ମୁଖ୍ୟମନ୍ତ୍ରୀ। ବିଶେଷକରି ବାତ୍ୟାକୁ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଦାବି କରିବା ସହ ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କଲା ଓଡ଼ିଶା। ଉନ୍ନତ ଟେକ୍ନୋଲୋଜି, ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ବ୍ୟବସ୍ଥା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ  ବର୍ତ୍ତମାନର ବାତ୍ୟା ନେଇ ଆମେ କିଛି ଦାବି କରିନୁ ବୋଲି SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଯାହା ଏବେ ଦରକାର ଆମେ ତାକୁ ମ୍ୟାନେଜ କରିନେବୁ ଏବଂ ଆଗାମୀ ୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବୁ ବୋଲି ଏସଆରସି ସୂଚନା ଦେଇଛନ୍ତି।

You might also like