ବନ୍ୟାରେ ଉବୁଟୁବୁ ଆସାମ ଓ ବିହାର

ନୂଆଦିଲ୍ଲୀ: ବନ୍ୟାରେ ଉବୁଟୁବୁ ଆସାମର ସ୍ଥିତି ସୁଧୁରିବା ବଦଳରେ ଅଧିକ ବିଗୁଡ଼ିଛି। ପ୍ରତିଦିନ ପ୍ରଳୟର ଚିତ୍ର ସାମ୍ନାକୁ ଆସୁଛି। କେଉଁଠି ରାସ୍ତା ଧୋଇ ଗଲାଣି ତ ଆଉ କେଉଁଠି ଲୋକେ ଦୁର୍ବିସହ ଜୀବନ ବିତାଉଛନ୍ତି। ମୋରିଆଗାଁ ଜିଲ୍ଲା ଭୁରଗାଁଓ ଅଞ୍ଚଳରେ ବନ୍ୟା ଜଳର ପ୍ରଖର ସୁଅରେ ରାସ୍ତା ଧୋଇ ଯାଇଛି। ଲଗାଣ ବର୍ଷାରେ ବନ୍ୟାର ପ୍ରକୋପ ଅଧିକ ହେଉଥିବା ବେଳେ ଜଳବନ୍ଦୀ ଲୋକଙ୍କ ଅବସ୍ଥା କହିଲେ ନସରେ। ବ୍ରହ୍ମପୁତ୍ରର ଜଳସ୍ତର ବି ପୂର୍ବ ଅପେକ୍ଷା ଅଧିକବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବନ୍ୟା ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ସେମାନଙ୍କ ଧନସମ୍ପତ୍ତି ସୁରକ୍ଷିତ ରଖିବା ପାଇଁ ରାତି ଦିନ ଏକ କରିଦେଇଛନ୍ତି ସେନା ଯବାନ।

ଏନେଇ ଆସାମରୁ ପ୍ରତିନିଧିତ୍ୱ କରୁଥିବା ସାଂସଦଙ୍କ ପ୍ରତିନିଧିମଣ୍ଡଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି। ବନ୍ୟା ସ୍ଥିତି ସମ୍ବନ୍ଧରେ ଟିମ୍ ସହ ମୋଦି ଆଲୋଚନା କରିଛନ୍ତି। ଆସାମକୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ସେହିପରି ବିହାରରେ ବି ଦାଉ ସାଧୁଛି ବନ୍ୟା। ଲାଗଣ ବର୍ଷାରେ ଏଠାରେ ବି ଅବସ୍ଥା ବେହାଲ ହେଲାଣି।   ମଧୁବନୀରେ ସ୍ଥିତି ଅଧିକ ଖରାପ ରହିଛି। ଏଠି ରାସ୍ତାରେ ଉପରେ ପାଣିର ସୁଅକୁ ଦେଖିଲେ ହିଁ ଲୋକଙ୍କ ମନରେ ଛନକା ପଶୁଛି। ଏହାରି ଭିତରେ କିନ୍ତୁ ଏକ ଭଲ ଖବର ସାମ୍ନାକୁ ଆସିଛି  ବନ୍ୟା ଜଳ ଭତିରେ ଫଶି ରହିଥିବା ଜଣେ ଗର୍ଭବତୀଙ୍କ ପ୍ରସବ କରାଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଏଏନ୍ଏମ୍‌ ଓ୍ୱାର୍କର।

ଆଶା କର୍ମୀଙ୍କ ସହଯୋଗରେ ଏହି ସଫଳତା ମିଳିଛି। ନିଜ ଜୀବନକୁ ବାଜିରେ ଲଗାଇ ଏଏନ୍ଏମ୍ ଜଣଙ୍କ ସୁରକ୍ଷିତ ପ୍ରସବ କରାଇବାରେ ସଫଳ ହୋଇଛନ୍ତି। ସେପଟେ ବନ୍ୟା ପ୍ରଭାବିତଙ୍କୁ ୬ ହଜାର ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହା ପୂର୍ବରୁ ଆଜି ସେ ଏକ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।

You might also like