କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ଆଗେଇଲା ଅଗ୍ନିଶମବାହିନୀ

ଭୁବନେଶ୍ୱର: ଦେଶରେ ଅନେକ ସ୍ଥାନରେ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି କୋଭିଡ ରୋଗୀଙ୍କ ମୃତ୍ୟୁ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ସରକାର ନୂଆ ପଦକ୍ଷେପ ନେଇଛନ୍ତି। କୋଭିଡ ହସ୍ପିଟାଲରେ କୌଣସି ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ  ଆଗେଇ ଆସିଛି ଅଗ୍ନିଶମବାହିନୀ। ସାରା ରାଜ୍ୟରେ କାର୍ଯ୍ୟ କରୁଥିବା ୬୨ଟି କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ଏଡ଼ାଇବାକୁ ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ । ଏଥିଲାଗି ୩୮୪ ଅଗ୍ନିଶମ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ହସ୍ପିଟାଲରେ ମୁତୟନ କରାଯାଇଛି ।

ପ୍ରତି ହସ୍ପିଟାଲରେ ୩ ସିଫ୍ଟରେ କର୍ମଚାରୀ ମୁତୟନ ରହିଛନ୍ତି । ଅଗ୍ନିଶମ କର୍ମଚାରୀଙ୍କ ସହ ଆବଶ୍ୟକ ଅଗ୍ନି ନିର୍ବାପକ ଉପକରଣ ମଧ୍ୟ ରଖାଯାଇଛି । କୌଣସି ହସ୍ପିଟାଲେ ଦୁର୍ଘଟଣାବଶତଃ ଅଗ୍ନିକାଣ୍ଡ ଘଟିଲେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ମଚାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ନିକଟସ୍ଥ ଦମକଳ କେନ୍ଦ୍ରକୁ ଖବର ଦେବେ । ଏହିର ପରିଚାଳନା ଲାଗି ନିୟମିତ ଭାବେ ସମସ୍ତ କୋଭିଡ୍ ହସ୍ପିଟାଲେ ମକ୍ଡ୍ରିଲ କରି ହସ୍ପିଟାଲର କର୍ମଚାରୀଙ୍କୁ ସଚେତନ କରାଯାଇଛି ।

ହସ୍ପିଟାଲ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ଓ ଉଦ୍ଧାର ପ୍ରକ୍ରିୟା ଶିକ୍ଷା ଦିଆଯାଉଛି । ଏହିଭଳି ରାଜ୍ୟର ଅନ୍ୟ କିଛି ହସ୍ପିଟାଲରେ ମଧ୍ୟ ହସ୍ପିଟାଲ କର୍ମଚାରୀଙ୍କୁ ଅଗ୍ନି ନିର୍ବାପନ ନେଇ ସଚେତନ କରାଯାଉଛି  ।

ସୂଚନା ଥାଉ କି ରାଜ୍ୟରେ କୋଭିଡ-୧୯ର ଦ୍ଵିତୀୟ ଲହର ହାହାକାର ସ୍ଥିତି ସୃଷ୍ଟି କରିଛି । ଲାକଡଉନ ପରେ ବି ସଂକ୍ରମଣରେ ଲଗାମ ଲାଗିପାରୁନି । ଆଜି ବି ରାଜ୍ୟରେ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ରାଜ୍ୟରେ ପୁଣି ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି।

You might also like