ଏମିତି ଦେଶ, ଯେଉଁଠି ବାପା ଝିଅକୁ ବିବାହ କରିବା ଆଇନ ସମ୍ମତ
ତେହରାନ: ଇରାନ ସାଂସଦରେ ଏମିତି ଏକ ବିଲ୍ ଏବେ ପାସ୍ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ବିଲ୍ ଅନୁଯାୟୀ ଏଠାରେ ପିତା ନିଜର ପାଳିତା ଝିଅକୁ ବିବାହ କରିପାରିବ। ତେବେ ଏହି ଝିଅର ବୟସ ୧୩ ବର୍ଷରୁ ଅଧିକ ହୋଇଥିବ।
ଇରାନରେ ଏହି ବିଲ୍ ୨୨ ସେପ୍ଟେମ୍ବରରେ ପାସ୍ ହୋଇଛି। ତେବେ ଇରାନର କିଛି ଲୋକ ଏହି ବିଲ୍କୁ ବିରୋଧ କରିଛନ୍ତି। ଜଷ୍ଟିନ ଫର୍ ଇରାନ ନାମକ ଏକ ସଂସ୍ଥାର ମାନବ ଅଧିକାର ଓକିଲ ଶଦି ଶଦର କହିଛନ୍ତି, ପାଳିତା କନ୍ୟାକୁ ବିବାହ କରିବା ଇରାନୀ ସଂସ୍କୃତିର ଆଦର୍ଶ ନୁହେଁ। ଅନ୍ୟ ଦେଶ ପରି ଇରାନ୍ରେ ମଧ୍ୟ ଅନ୍ୟାୟ, ଅତ୍ୟାଚାର ଅଛି। ହେଲେ ଏହି ଆଇନ ଛୋଟ ପିଲାଙ୍କ ପ୍ରତି ହେଉଥିବା ହିଂସାକୁ ଆହୁରି ବଢ଼ାଇବ। ପିତା ନିଜ ପାଳିତା ନାବାଳିକା କନ୍ୟାକୁ ବିବାହ କରି ଶାରୀରିକ ସମ୍ପର୍କ ଯଦି ରଖେ ତାହା ବଳାତ୍କାର ସଙ୍ଗେ ସମାନ ବୋଲି ସେ କହିଛନ୍ତି।
ଇରାନ ସଂସ୍କୃତି ଅନୁଯାୟୀ ପାଳିତା କନ୍ୟାକୁ ନିଜର ପିତା ସମ୍ନାରେ ପରଦା ଢାଙ୍କି ରହିବାକୁ ପଡ଼ିଥାଏ। ସେହିପରି ପାଳିତ ପୁତ୍ର ସାମ୍ନାରେ ମା’କୁ ମଧ୍ୟ ପରଦା ଢାଙ୍କିବାକୁ ପଡ଼ିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏପରି କରାଯାଇଥିବା କେତେକ କହିଛନ୍ତି।ତେବେ ଏହି ନୂଆ ନିୟମ ଇସ୍ଲାମୀ ପରମ୍ପରାକୁ ବିରୋଧ କରୁଛି ବୋଲି କେତେକ ବିଶେଷଜ୍ଞ କହିଛନ୍ତି।
ସେହିପରି ଇରାନରେ ପିଲାଙ୍କ ଅଧିକାର ସୁରକ୍ଷା କରୁଥିବା ଏକ ସଂସ୍ଥା ’ଶିବା ଡୋଲତାବାଦି’(Shiva Dolatabadi) ଏହି ବିଲ୍କୁ ନେଇ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ଏହା ଦ୍ୱାରା ଶିଶୁମାନେ ନିଜ ଘରେ ମଧ୍ୟ ସୁରକ୍ଷିତ ରହିବେ ନାହିଁ।
ସୂଚନାଥାଉ କି, ଇରାନରେ ୨୦୧୦ରେ ୧୦ରୁ ୧୪ ବର୍ଷ ମଧ୍ୟରେ ୪୨ ହଜାର ନାବାଳିକାଙ୍କ ବିବାହ ହୋଇଛି। କେବଳ ତେହେରାନରେ ୭୫ ଜଣ ନାବାଳିକା ଯେଉଁମାନଙ୍କ ବିବାହ ୧୦ ବର୍ଷରୁ କମ୍ ବୟସରେ କରାଯାଇଥିଲା।