କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଂଗଠନର ଅଗ୍ରାହ୍ୟ; ଆନ୍ଦୋଳନ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କରିବା ସହ ଆସନ୍ତା ୧୪ରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଚାଷୀ ନେତା ଘୋଷଣା କରିଛନ୍ତି। ଦେଶର ସମସ୍ତ ଚାଷୀ ସଂଗଠନ ଦେଶବ୍ୟାପୀ ଆନ୍ଦୋଳନ କରିବେ। ଏହାସହ ୧୨ ତାରିଖ ଦିନ ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରାଯିବା ସହି ଟୋଲ୍‌ ଅମାନ୍ୟ ଘୋଷଣା କରାଯାଇଛି। ସେହିଦିନ ଦେଶର ସମସ୍ତ ଟୋଲ ପ୍ଲାଜାରେ ଲୋକଙ୍କୁ ମାଗଣାରେ ଯିବା ଆସିବା କରାଇ ଦିଆଯିବ।

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିବା ଓ ଏହା ବିଫଳ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଚାଷୀଙ୍କୁ କେତେକ ପ୍ରସ୍ତାବ ଦିଆଯାଇଥିଲା। ହେଲେ ଏହି ପ୍ରସ୍ତାବ ନେଇ ଦିଲ୍ଲୀ-ହରିଆଣା ସୀମା ସିଙ୍ଘୁରେ ଦୀର୍ଘ ସମୟ ଧରି ଚାଷୀ ନେତାମାନେ ବିଚାରବିମର୍ଶ କରିଥିଲେ।

ଶେଷରେ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ଏହାପରେ ଆନ୍ଦୋଳନ ଆହୁରି ତୀବ୍ରତର କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଦ୍ୱାରା ଅଣାଯାଇଥିବା ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିବା ଦାବିରେ ଚାଷୀ ନେତାମାନେ ଅଟଳ ରହିଛନ୍ତି। ଏଣୁ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ଓ ଅଧିକରୁ ଅଧିକ ଚାଷୀ ସଂଗଠନକୁ ସାମିଲ କରାଯିବ ବୋଲି ଚାଷୀ ନେତା କହିଛନ୍ତି।

ଅନ୍ୟପଟେ ବିରୋଧୀ ଦଳଗୁଡ଼ିକ ଚାଷୀ ଆନ୍ଦୋଳନ ନେଇ ମିଳିତଭାବେ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଆଇଏମ୍ ନେତା ରାଷ୍ଟ୍ରପତିଙ୍କୁ ଭେଟି ସେମାନଙ୍କର ଦାବି ଜଣାଇଛନ୍ତି। ଦଳ ମଧ୍ୟରୁ ରାହୁଲ ଗାନ୍ଧି, ଶରଦ ପାୱାର, ସୀତାରାମ ୟେଚୁରୀ, ଡି. ରାଜା ଆଜି ରାଷ୍ଟ୍ରପତିଙ୍କୁ ଭେଟି ଅବିଳମ୍ବେ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି ଜଣାଇଛନ୍ତି।

 

You might also like