୪୦ ହଜାର ଚାଷୀ ଆରଡିସି କାର୍ଯ୍ୟାଳୟ ଘେରାଉ କରିବେ

ସମ୍ବଲପୁରରେ ବିଜେପି ପକ୍ଷରୁ ଚାଷୀ ସମାବେଶ

-ସାମିଲ ହେଲେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର

-ଉତ୍ପାଦିତ ସମସ୍ତ ଧାନ କିଣିବାକୁ ଦାବି କଲା ବିଜେପି

-ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଦାବି ତେଜିଲା

-କଟନୀ ଛଟନୀ ବନ୍ଦ ପାଇଁ ମଧ୍ୟ ଦାବି କଲେ ଚାଷୀ

ସମ୍ବଲପୁର: ବିଭିନ୍ନ ଦାବି ନେଇ ରାସ୍ତାରୋକ, ଆନ୍ଦୋଳନ ପରେ ଆଜି ବିଜେପି ପକ୍ଷରୁ ବିଶାଳ ଜନ ସମାବେଶ କରାଯାଉଛି । ସମ୍ବଲପୁରରେ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଚାଷୀ ସମାବେଶ କରିଛନ୍ତି।  ଅଣଜଳସେଚିତ ଜମିରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ ଓ ଜଳସେଚିତ ଜମିରୁ ୧୯ କ୍ୱିଣ୍ଟାଲ ଧାନ କିଣିବା ବଦଳରେ ଉତ୍ପାଦିତ ସମସ୍ତ ଧାନ କିଣିବାକୁ ବିଜେପି ଦାବି କରିଛି । ଆଜି ମଣ୍ଡିରେ ପଡ଼ିଥିବା ଚାଷୀର ସମସ୍ତ ଧାନ ଉଠାଇବାକୁ ଦାବି କରିଛି ଦଳ।

ଏହାସହ ଟୋକନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ଓ କେଉଁ ଜିଲ୍ଲାରୁ କେତେ ଧାନ କିଣାଯାଉଛି ତାହା ଜିଲ୍ଲା ଡିଏଲପିସି ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଦଳ ଦାବି କରିଛି । ସେହିପରି ଚଳିତ ଖରିଫ ଋତୁରେ ନିରସ୍ତ୍ର ହୋଇଯାଉଥିବା ସମସ୍ତ ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ ମଣ୍ଡିରେ ପଡ଼ିଥିବା ଧାନକୁ ତୁରନ୍ତ ଉଠାଇବା ଓ କଟନୀ ଛଟନୀ ବନ୍ଦ କରିବାକୁ ଦଳ ଦାବି କରିଛି । କୃଷକ ସମ୍ମାନ ନିଧି ପାଇବା ପାଇଁ କେନ୍ଦ୍ରକୁ ସମସ୍ତ ଚାଷୀଙ୍କ ତାଲିକା ତୁରନ୍ତ ପଠାଇବାକୁ ଦଳ ଦାବି କରି ଏହି ସମାବେଶ କରୁଛି ।

ଏହି ସମାବେଶାରେ ପଶ୍ଚିମ ଓଡ଼ିଶାରେ ଥିବା ୫ଟି ସଂସଦୀୟ କ୍ଷେତ୍ର, ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ସହ ବୌଦ୍ଧ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀର ଚାଷୀମାନେ ସାମିଲ ହେଉଛନ୍ତି।

ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ ଏକାଠି ହୋଇଛନ୍ତି କର୍ମୀ ଓ ଚାଷୀ। ସେଠାରୁ ଶୋଭାଯାତ୍ରା ବାହାରିବ। ଏହି ସମବେଶରେ ପ୍ରାୟ ୪୦ ହଜାର କର୍ମୀ ଓ ଚାଷୀ ଯୋଗ ଦେଇ ସମବେଶରେ ବାହାରିବେ। ଏଠାରୁ ଚାଷୀ ଅଧିକାରୀ ରାଲି ବାହାରିବ। ଚାଷୀ ରାଲିରେ ଆରଡିସି କାର୍ଯ୍ୟାଳୟ ଘେରାଉ କରିବେ।

You might also like