ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସୁବର୍ଣ୍ଣପୁର: ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ପାଇ ପାରୁନାହାନ୍ତି ହିତାଧିକାରୀ। ସୁବର୍ଣ୍ଣପୁର ଜିଲ୍ଲା ଭୀମଟିକିରା ଗାଁରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।

ଗାଁରେ ରହୁଥିବା ଏକ ଦିବ୍ୟାଙ୍ଗ ପରିବାର, ଯାହାଙ୍କର ମୁଣ୍ଡ ଉପରେ ନା ଅଛି ପକ୍କା ଘରର ସାହାରା ନା ଅଛି ଅର୍ଥ ବଳ। ବେଳାଏ ଖାଇଲେ ଆଉ ବେଳାକୁ ଓପାସ। ଜଣେ ନୁହେଁ, ପରିବାରର ତିନି ଜଣ ଶଯ୍ୟାଶାୟୀ ହୋଇ ରହିଛନ୍ତି।  ଏପରି କ୍ଷେତ୍ରରେ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅପପୁଷ୍ଟିର ଶିକାର ହୋଇ ଜେଠୁ ହିଆଲ ଓ ତାଙ୍କ ୨ ପୁଅ ରୋଗାକ୍ରାନ୍ତ ଭାବେ ଜୀବନ କାଟୁଛନ୍ତି। ନା ସେମାନଙ୍କୁ କେହି ଦେଖାଶୁଣା କରିବାକୁ ଅଛନ୍ତି ନା ସହାନୁଭୂତିର ହାତ ବଢାଇବାକୁ କେହି। ଅନ୍ୟ ଲୋକଙ୍କ ଘରେ କାମ କରି ଯାହା ଯେତିକି ମିଳୁଛି , ସେତିକିରେ ଜେଠୁଙ୍କ ପତ୍ନୀ ପରିବାର ଚଳାଉଛନ୍ତି।

ଦିବ୍ୟାଙ୍ଗଙ୍କ ପାଇଁ  ସରକାରୀ ସ୍ତରରେ ଅନେକ ଯୋଜନା ଥିଲେବି ଏମାନଙ୍କ ପାଇଁ ଏହା ପାଲଟିଛି ସାତ ସପନ।

ଭଙ୍ଗା ଘର ପାଲଟିଛି ହିଆଲଙ୍କ ପରିବାରର ଠିକଣା। ତେବେ ତିନିଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁଥିବା ବେଳେ ଚିକିତ୍ସା ପାଇଁ ତାହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ ସେବା ଏବଂ ଘର ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ ବୋଲି ଡୁଙ୍ଗୁରିପାଲି ବିଡିଓ କହିଛନ୍ତି।

You might also like