କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ସାଂସଦ-ବିଧାୟକ ମୁହାଁମୁହିଁ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି। ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକଙ୍କ ପ୍ରତି ସାଂସଦ ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ପାଲଲହଡ଼ାବାସୀଙ୍କୁ ମଧ୍ୟ ସାଂସଦଙ୍କ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ବିଧାୟକଙ୍କ ସମର୍ଥକମାନେ ହୋହଲ୍ଲା କରିଥିଲେ।

ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୧୦ଟାରେ ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପାଇଁ ପ୍ରଶାସନ ସମୟ ଧାର୍ଯ୍ୟ କରିଥିଲା। ଏଥିପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ମୌଖିକ ଭାବେ ଜଣାଇ ଦିଆଯାଇଥିଲା। ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ ଠିକ୍ ସମୟରେ ପହଞ୍ଚି ଥିବାବେଳେ ସାଂସଦ ମହେଶ ସାହୁ କିନ୍ତୁ ୨୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ। ତେବେ ସାଂସଦଙ୍କୁ ଅପେକ୍ଷା ନ କରି ବିଧାୟକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ କରି ଦେଇଥିବାରୁ ଏହା ଦେଖି ସାଂସଦ ଖପ୍ପା ହୋଇ ଯାଇଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲେ। ଘଟଣା ସମୟରେ ସ୍ଥାନୀୟ ବିଡିଓ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି। ପୁରା ଘଟଣାରେ ଉଭୟ ବିଧାୟକ ଓ ସାଂସଦ ନିଜ ନିଜ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

ଘଟଣାକୁ ନେଇ ସାଂସଦ ମହେଶ ସାହୁ କହିଛନ୍ତି, ‘ମୁଁ ଆସି ପହଞ୍ଚିଲା ବେଳକୁ ପାଲଲହଡ଼ାର ମାନ୍ୟବର ବିଧାୟକ ମୁକେଶ ପାଲ୍‌ ଫିତା କାଟି ସାରିଛନ୍ତି। ଏହାପରେ ମୁଁ କହିଲି ମୁକେଶ ବାବୁ ଏ ରାଜନୀତି କ’ଣ ? କରୋନାରେ କି ରାଜନୀତି କରାଯାଏ ? ମୋତେ ବି ଲୋକ ଭୋଟ୍‌ ଦେଇଛନ୍ତି, ତେଣୁ ମୋର ବି ସର୍ବନିମ୍ନ କର୍ତ୍ତ୍ୟବ ଅଛି।’

ସେହିପରି ବିଧାୟକ ମୁକେଶ ପାଲ୍ ଘଟଣାକୁ ନେଇ କହିଛନ୍ତି, ‘ମୁଁ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲି ଓ ଯାଉଛି ବୋଲି ସେ କହିଥିଲେ। ସାଢ଼େ ୧୦ଟାରେ ଆମେ କୋଭିଡ୍‌ କେୟାର ସେଣ୍ଟରର ଉଦ୍‌ଘାଟନ କଲୁ। ଏହାପରେ ମାନ୍ୟବର ସାଂସଦ ପାଖାପାଖି ୧୧ଟାରେ  ଆସି ପହଞ୍ଚିଥିଲେ। ଏହାପରେ ସେ ବିଭିନ୍ନ ଖରାପ ଭାଷା ପ୍ରୟୋଗ କରିଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କଠୁ ଏଭଳି ଆଚରଣ, ବ୍ୟବହାର ମୁଁ କେବେବି ଆଶା କରିନଥିଲି। ଏଥିପାଇଁ ମୁଁ ଦୃଢ଼ ନିନ୍ଦା କରୁଛି। ମାନ୍ୟବର ସାଂସଦ ଦଳୀୟ ବିପକ୍ଷରେ ଯାଇ କାର୍ଯ୍ୟକ୍ରମ କରୁଛନ୍ତି। ତେଣୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଲା। ’

You might also like