ଆସନ୍ତା ସପ୍ତାହରେ DRDO ଯୋଗାଇବ କରୋନା ଔଷଧ

ନୂଆଦିଲ୍ଲୀ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆସନ୍ତା ସପ୍ତାହରୁ ଆଣ୍ଟି କୋଭିଡ୍ ଔଷଧ ଟୁ-ଡିଜି ବା 2-deoxy-D-glucose ବଜାରରେ ଉପଲବ୍ଧ ହେବ ଏବଂ ରୋଗୀଙ୍କଠାରେ ପ୍ରୟୋଗ କରାଯିବ । ମଧ୍ୟମରୁ ଗୁରୁତର ଲକ୍ଷଣ ଥିବା ରୋଗୀଙ୍କ କ୍ଷେତ୍ରରେ ଏହି ୨ଡିଜି ଔଷଧକୁ ଜରୁରୀ ସ୍ଥିତିରେ ବ୍ୟବହାର କରାଯାଇ ପାରିବ ।

ପ୍ରଥମ ବ୍ୟାଚରେ ମାତ୍ର ୧୦ ହଜାର ଡୋଜ୍ ଉପଲବ୍ଧ କରାଯିବ ବୋଲି DRDO ପକ୍ଷରୁ କୁହାଯାଇଛି । ତେବେ ଅଧିକରୁ ଅଧିକ ଔଷଧ ଉତ୍ପାଦନ କରିବା ଲାଗି ଡକଟର ରେଡ୍ଡି ଫାର୍ମାସ୍ଯୁଟିକାଲସ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। DRDOର ବୈଜ୍ଞାନିକ ଡାକ୍ତର ଅନନ୍ତ ନାରାୟଣ ଭଟ୍ଟଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଔଷଧ ବାହାର କରିଛନ୍ତି ।

DRDO ଓ ଡ଼କ୍ଟର ରେଡ୍ଡି କଂପାନୀ ମିଳିତ ଭାବେ ଏହି ଔଷଧ ବାହାର କରିଛନ୍ତି । ଏହି ଔଷଧ ହସ୍ପିଟାଲରେ ଥିବା ରୋଗୀଙ୍କୁ ଶୀଘ୍ର ଆରୋଗ୍ୟ ଲାଭ କରିବା ଦିଗରେ ସହାୟତା କରିବ । ଏଥିସିହିତ ଅକ୍ସିଜେନ୍ ବ୍ୟବହାର ଉପରେ ନିର୍ଭରତାକୁ ମଧ୍ୟ ହ୍ରାସ କରାଇବ ବୋଲି କ୍ଲିନିକାଲ ପରୀକ୍ଷଣରୁ ଜଣାପଡିଛି ।

ଜେନେରିକ୍ ମୋଲିକ୍ଯୁଲ୍ ଏବଂ ଗ୍ଲୁକୋଜ୍ ଆନାଲଗ୍ ଥିବାରୁ ଏହାକୁ ସହଜରେ ଉତ୍ପାଦନ କରାଯାଇପାରିବା ସହ ମିଳିପାରିବ । ତେବେ ଏହି ଔଷଧକୁ ସହଯୋଗୀ ଔଷଧ ଭାବେ ବ୍ୟବହାର କରାଯିବ । ସକେଟ୍ରେ ଆସୁଥିବା ପାଉଡର ଆକାରରେ ଏହି ଔଷଧକୁ ପାଣିରେ ଗୋଳାଇ ପିଇହେବ । ଗତ ସପ୍ତାହରେ ଡିସିଜିଆଇ ଏହାର ପ୍ରଚଳନକୁ ଅନୁମତି ପ୍ରଦାନ କରିଥିଲା ।

ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଏହା ରୋଗୀଙ୍କ ପାଇଁ ଆଶ୍ଵସ୍ତି ଆଣିଛି । ସୂଚନା ଥାଉ କି,ଶନିବାର ୩ ଲକ୍ଷ ୨୬ ହଜାର ୯୮ ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ତଳକୁ ଖସିଛି  । ଆଜି ୩୮୯୦ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।

ସେହିପରି ଆଶ୍ଵସ୍ତିର କଥା ଯେ, ଆଜି ପୁଣି ଥରେ ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ଏହା ପରେ ଦେଶରେ ଆକ୍ଟିଭ କେସ ୩୭ ଲକ୍ଷରୁ ଖସି ୩୬,୭୩,୮୦୨ରେ ପହଞ୍ଚିଛି ।

You might also like