ଲକ୍‌ଡାଉନ୍‌ ବେଳେ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଡାକ୍ତର

ମୁମ୍ବାଇ: ଲକ୍‌ଡାଉନ୍‌ ବେଳେ ନବଜାତ ଶିଶୁ ପାଇଁ ଦେବଦୂତ ସାଜିଲେ ଡାକ୍ତର।ଏକ ନବଜାତ ଶିଶୁର ଜୀବନ ବଞ୍ଚାଇବା ପାଇଁ ମହାରାଷ୍ଟ୍ର ଆଲିବାଗ୍‌ର ଜଣେ ଡାକ୍ତରଙ୍କ ପଦକ୍ଷେପକୁ ନେଇ ଏବେ ଚର୍ଚ୍ଚା। ଏହି ଶିଶୁଟି ଜନ୍ମ ହେବାର ମାତ୍ର କିଛି ମିନିଟ୍‌ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଡାକ୍ତର ଜଣକ  ତୁରନ୍ତ ଶିଶୁକୁ ନିଜ ବାଇକ୍‌ରେ ନିଓନାଟାଲ ଫାସିଲିଟିକୁ ନେଇଥିଲେ।

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ଆଲିବାଗ୍‌ ଅଞ୍ଚଳର ଜଣେ ମହିଳା ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ନର୍ସିଂହୋମ୍‌ ନିଆଯାଇଥିଲା। ଏହି ଦମ୍ପତ୍ତି ପ୍ରଥମ ସନ୍ତାନ ହରାଇସାରିଥିବାରୁ ଏଥରକ ମଧ୍ୟ ଚିନ୍ତାରେ ପଡ଼ିଥିଲେ। ଲକ୍‌ଡାଉନ୍‌ ଏହି ଚିନ୍ତାକୁ ଆହୁରି ବଢ଼ାଇ ଦେଇଥିଲା। ସମ୍ପୃକ୍ତ ମହିଳାଙ୍କର ଡାଇବେଟିସ ଏବଂ ଅନ୍ୟ ସମସ୍ୟା ରହିଥିବାରୁ ସ୍ଥାନୀୟ ସ୍ତ୍ରୀରୋଗ ବିଶେଷଜ୍ଞ ତୁରନ୍ତ ଡାକ୍ତର  ରାଜେନ୍ଦ୍ର ଚନ୍ଦୋରକରଙ୍କୁ ଡାକିଥିଲେ।

ଏହାପରେ ଉକ୍ତ ମହିଳାଙ୍କର ପୁଅଟିଏ ଜନ୍ମ ହୋଇଥିଲା। ଶିଶୁଟିର ଓଜନ ୩. କିଲୋ ଥିଲା। ସାଧାରଣ ଭାବେ ଏହି ସନ୍ତାନ ଜନ୍ମ ହୋଇଥିଲେ ହେଁ ଏହି ଖୁସି ଅଳ୍ପ ସମୟ ପାଇଁ ଥିଲା। କାରଣ ଏହାର କିଛି ସମୟ ପରେ ଶିଶୁର ଶ୍ୱାସକ୍ରିୟାରେ ସମସ୍ୟା ଦେଖାଯାଇଥିଲା।

ଏହାପରେ ଡାକ୍ତର ରାଜେନ୍ଦ୍ର ନିଜ ବାଇକ୍‌ରେ  ୧. ୫ କି.ମି. ଦୂରରେ ଥିବା ଡାକ୍ତର ଚନ୍ଦୋରକର ହସ୍ପିଟାଲକୁ ନେଇଥିଲେ। ସେଠାରେ ଶିଶୁଟିକୁ ନିଓନାଟାଲ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ରେ ଭର୍ତ୍ତି କରାଯାଇ ଅକ୍ସିଜେନ୍‌ ଲଗାଯାଇଥିଲା। ତେବେ  ୧୨ ଘଣ୍ଟା ପରେ ଶିଶୁର ସ୍ଥିତି ସ୍ୱାଭାବିକ ହୋଇଥିଲା।

You might also like