ବିଛଣାରେ ପଡି ପଡ଼ି ନର୍କଯନ୍ତ୍ରଣା ଭୋଗୁଛି ଭେଣ୍ଡିଆ ପୁଅ : ପରିଣତ ବୟସରେ ଘାଣ୍ଟି ହେଉଛନ୍ତି ବିଧବା ମା’

ଦୀପକ କିଛି କହିପାରୁନାହାନ୍ତି, କିନ୍ତୁ ତାଙ୍କ ଆଖିର ଲୁହ ଅନେକ କିଛି କହୁଛି . . .

ପୁଅ ନିଜେ ଖାଇପାରୁନି, ଚାଲି ପାରୁନି କି କଥା କହିପାରୁନି। ଭେଣ୍ଡିଆ ପୁଅର ଅବସ୍ଥା ଦେଖି ସହ୍ୟ କରିପାରିଲେନି ବାପା। ପୁଅ କଥା ଚିନ୍ତା କରି କରି ଆରପାରିକୁ ଚାଲିଗଲେ। ଏବେ  ସେମାନେ ସମ୍ପୂର୍ଣ୍ଣ ନିରାଶ୍ରୟ। ଏ ବୟସରେ ପୁଅର ଏପରି ଦଶା ଦେଖିବାର ଥିଲା କହି  ବିକଳ ହୋଇ କାନ୍ଦୁଛି ବିଧବା ମା’।

ଗଜପତି(ଆଦର୍ଶ ଦାସ): ବିଛଣାରେ ପଡି ରହିଛି ଘରର ଭେଣ୍ଡିଆ ପୁଅ। ଜୀବନର ପ୍ରତିଟି ମୁହୂର୍ତ୍ତ ପାଲଟିଛି ଯନ୍ତ୍ରଣାମୟ। ଯେଉଁ ବୟସରେ ରୋଜଗାର କରି ଘର ଚଳାଇବା କଥା ସେହି ସମୟରେ ମା’ ପାଇଁ ବୋଝ ପାଲଟିଛନ୍ତି। ଦୁର୍ଘଟଣାରେ ଏକମାତ୍ର ରୋଜଗାରିଆ ପୁଅ ଭିନ୍ନକ୍ଷମ ହୋଇପଡ଼ିଥିବାବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ତାଙ୍କ ପାଇଁ ଅପହଞ୍ଚ । ପୁଅର ଏଭଳି ଅବସ୍ଥା ଦେଖି ବାପା ଆଖି ବୁଜିଥିବା ବେଳେ ଭିନ୍ନକ୍ଷମ ପୁଅକୁ ଧରି ଘାଣ୍ଟି ହେଉଛନ୍ତି ବିଧବା ମା’।

ଗଜପତି ଜିଲ୍ଲା ଗୁମ୍ମା ଖ୍ରୀଷ୍ଟିୟାନ ସାହିର ଦୀପକ ବେବର୍ତ୍ତା। ୩୦ ବର୍ଷୀୟ ଦୀପକଙ୍କର ସବୁକିଛି ଠିକଠାକ୍‌ ଚାଲିଥିଲା । ବାପାମା’ଙ୍କର ସେ ଥିଲେ ସୁନା ପୁଅ।  ପରିଣତ ବୟସରେ ବାପାମା’ଙ୍କର ବୋଝ କମ କରିବାକୁ କେରଳ ଚାଲି ଯାଇଥିଲେ। ଆଉ ସେଠାରେ ଏକ ପ୍ରାଇଭେଟ କମ୍ପାନୀରେ ଚାକିରି କରିଥିଲେ। ହସଖୁସିରେ ସଂସାର ଚଳୁଥିଲା। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ୨୦୧୯ମସିହା ଜାନୁୟାରୀ ମାସରେ ସାଙ୍ଗ ଘରୁ ଫେରିବା ବାଟରେ ଗାଡ଼ିରୁ ସେ  ଖସି ପଡ଼ିଥିଲେ। ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଗଲେ ଦୀପକ। ସାମାନ୍ୟ ଦୁର୍ଘଟଣା ତାଙ୍କ ଜୀବନର ସବୁ ସୁଖଶାନ୍ତି ଛଡ଼ାଇ ନେଲା। ଏବେ ଦାରିଦ୍ର୍ ସାଙ୍ଗକୁ ଦୁଃଖ ଯନ୍ତ୍ରଣାରେ ଛଟପଟ୍ ହେଉଛି ପୁରା ପରିବାର।

ସେହି ଦୁର୍ଘଟଣା ପରଠାରୁ ଦୀପକ ନା ଚାଲି ପାରୁଛନ୍ତି ନା ନିଜେ ଖାଇ ପାରୁଛନ୍ତି। ଏପରିକି କଥା ପଦିଏ ମଧ୍ୟ ଠିକରେ କହିପାରୁ ନାହାନ୍ତି। ବର୍ତ୍ତମାନ ଦୀପକଙ୍କର ଡାହାଣ ହାତ ଓ ଦୁଇଟି ଯାକ ଗୋଡ କାମ କରୁନାହିଁ। ପୁଅର ଚିକିତ୍ସା ପାଇଁ ବିଭିନ୍ନ ହସ୍ପିଟାଲ ଦେଖାଇ ଦେଖାଇ ନୟାନ୍ତ ହୋଇଗଲେ ବାପାମା’। ଚିକିତ୍ସା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ଦୌଡି ସର୍ବସ୍ୱାନ୍ତ ହୋଇଗଲେ ସିନା ପୁଅ ଭଲ ହେଲାନି। ଦୀପକଙ୍କ ଚିକିତ୍ସା ସମୟ ସାପେକ୍ଷ ଏବଂ ଏଥିପାଇଁ ଅଧିକ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିଥିଲେ। ହେଲେ ଏତେ ଅର୍ଥ ଏଇ ଗରିବ ବାପା-ମା’ କେଉଁଠୁ ଆଣିବେ ?

ଅନ୍ୟପଟେ ଭେଣ୍ଡା ପୁଅ ରୋଗଶଯ୍ୟାରେ ପଡିଥିବା କଥା ସହିପାରିଲେନି ଦୀପକଙ୍କ ବାପା। ଚିକିତ୍ସା କରାଇନପାରିବା ଦୁଃଖରେ ଭାଙ୍ଗି ପଡିଥିଲେ। ସବୁବେଳେ ସେହି କଥା ଚିନ୍ତା କରି କରି ଶେଷରେ ଗତ ବର୍ଷ ଆଖି ବୁଜିଥିଲେ। ବର୍ତ୍ତମାନ ବିଧବା ମା’ ସୁପ୍ରଭା ହିଁ ପୁଅର ଏକମାତ୍ର ସାହାଭରସା। ପୁଅର ଅବସ୍ଥା ଦେଖି ଅସହାୟ ମା’ ନିଜକୁ ସମ୍ଭାଳି ପାରୁନାହାନ୍ତି।

ଯେଉଁ ବୟସରେ ପରିଶ୍ରମ କରି ମା’ଙ୍କୁ ପୋଷିବା କଥା ସେହି ବୟସରେ ଦୀପକ ଏବେ ରୋଗଶଯ୍ୟାରେ। ତେଣୁ ସେ ନିଜେ ବି ମଧ୍ୟ ଭାଙ୍ଗି ପଡିଛନ୍ତି।  ଯଦିଓ ସେ କିଛି କହିପାରୁନାହାନ୍ତି, କିନ୍ତୁ ତାଙ୍କ ଆଖିର ଲୁହ ଅନେକ କିଛି କହୁଛି। ପୁଅର ଚିକିତ୍ସା ପାଇଁ କାନ୍ଦି କାନ୍ଦି ଆକୁଳ ନିବେଦନ କରିଛନ୍ତି ଦୀପକଙ୍କ ମା’। ଏନେଇ ସ୍ଥାନୀୟ ଲୋକେ ମଧ୍ୟ ସରକାରୀ କିମ୍ବା ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ତେବେ ଜୀବନ ଯନ୍ତ୍ରଣାରେ ଚଟପଟ ହେଉଥିବା ଭିନ୍ନକ୍ଷମ ଯୁବକଙ୍କ ଉପରେ କେବେ ପଡୁଛି ପ୍ରଶାସନର ନଜର ତାହା ଦେଖିବାକୁ ବାକି ରହିଲା ।

You might also like