ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌(ଅବପାତ) ପଶ୍ଚିମବଙ୍ଗ-ବାଂଲାଦେଶ ଅଭିମୁଖେ ଗତି କରୁଛି। ପାଣିପାଗ ବିଭାଗର ଲାଟେଷ୍ଟ୍‌ ବୁଲେଟିନ୍‌ ଅନୁସାରେ, ଏହି ଡିପ୍ରେସନ୍‌ ପାରାଦୀପଠୁ ପୂର୍ବ ଉତ୍ତର ପୂର୍ବଦିଗରୁ ୨ ଶହ କିଲୋମିଟରରେ ଦୂରରେ ରହିଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜ ଠାରୁ ଦକ୍ଷିଣପୂର୍ବ ଦିଗରେ ୬୦ କିମି ଦୂରରେ ଏବଂ ବାଂଲାଦେଶର ଖେପୁପାରା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୨୧୦ କି.ମି. ଦୂରରେ ସକ୍ରିୟ ରହିଛି।

ଏହି ଡିପ୍ରେସନ୍‌ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ଆଜି ସାଗର-ଦ୍ଵୀପପୁଞ୍ଜ ଏବଂ ବାଂଲାଦେଶର ଖେପୁପାରା ଠାରେ ସୁନ୍ଦରବନ ଅଞ୍ଚଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର-ଓଡିଶା ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକର ସମୁଦ୍ର କୂଳକୁ ଲାଗିଥିବା ଅଞ୍ଚଳରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ବେଳେ ବେଳେ ପବନର ବେଗ ଘଣ୍ଟାକୁ ୫୦ କିଲୋମିଟର ମଧ୍ୟ ଛୁଇଁପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି।

You might also like