ରାଜଧାନୀରେ ଚାଞ୍ଚଲ୍ୟ: କାର୍ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାର୍ ଭିତରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି।  ରାଜଧାନୀରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଏକ କାର୍‌ ଭିତରୁ ମହିଳାଙ୍କ ମୃତଦେହକୁ କିଛି ସ୍ଥାନୀୟ ଲୋକ ଦେଖିବା ପରେ ପୁଲିସ୍‌କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସମେତ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅନ୍ୟପକ୍ଷରେ, କାର୍‌ର ମାଲିକ ସଂଗ୍ରାମ ଆଇଚ ବୋଲି ଜଣାପଡ଼ିଛି। କାର୍‌ ଭିତରୁ ମୋବାଇଲ୍‌ ଫୋନ୍‌, କିଛି କାଗଜପତ୍ର, କପଡ଼ା ଓ ଫଟୋ ଇତ୍ୟାଦି ଜବତ କରାଯାଇଛି। ତେବେ ମୃତକ ଜଣକ କିଏ, କାର୍‌ଟି କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନି।

ମୃତଦେହକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲକୁ ପଠାଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କାର୍‌ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। କାହିଁକି ନା କାର୍‌ର ପଛ ଓ ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି।

ପ୍ରକୃତରେ ଏହି ଘଟଣା ପଛର କାରଣ କ’ଣ ସେନେଇ ତଦନ୍ତ ଚାଲିଛି। ପୁଲିସ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇପାରେ ବୋଲି ମଧ୍ୟ ସନ୍ଦେହ କରୁଛି। ଦୁର୍ଘଟଣା ଘଟାଇ ମହିଳାଙ୍କୁ ହତ୍ୟା କରାଯାଇଛି ନା ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଛି ନା ହତ୍ୟା ପରେ କାର୍‌କୁ ଦୁର୍ଘଟଣାଗ୍ରସ୍ତ କରାଯାଇଛି ସେ ନେଉ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

 

You might also like