ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବାତ୍ୟା ‘ୟାସ୍’

ଭୁବନେଶ୍ୱର: ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାସ୍’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁସାରେ, ବାତ୍ୟା ‘ୟାସ୍’ ପାରାଦୀପରୁ ଏବେ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି।

ଗତ ୬ ଘଣ୍ଟାରେ ଧରି ବାତ୍ୟା ‘ୟାସ୍’ ୧୦ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଯଦି, ଏହି ଗତି ରୁହେ ତେବେ ଏହା ଅତି ଭୀଷଣକାୟ ରୂପ ଧରି ୨୬ ତାରିଖ ଦ୍ୱିପ୍ରହରରେ ବାଲେଶ୍ୱର ଆଖପାଖରେ ସ୍ଥଳ ଭାଗ ଛୁଇଁପାରେ। ତେବେ ସଠିକ୍ ଭାବେ କେଉଁ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ସେ ନେଇ ଆଜି ଆଇଏମଡି ସୂଚନା ଦେଇପାରେ।

ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବହିପାରେ। ଏପରିକି ସ୍ଥାନେ ସ୍ଥାନେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିପାରେ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି। ଏହି ୪ ଜିଲ୍ଲା ଗୁଡ଼ିକରେ ଆଜି ରାତିରୁ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୬୦ କିଲୋମିଟର, ଖୋର୍ଦ୍ଧା ଓ ପୁରୀରେ ୯୦ରୁ ୧୨୦ କିଲୋମିଟର ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିଲୋମିଟର ବେଗ ରହିପାରେ ବୋଲି ଅନୁମାନ କରାଯାଉଛି। ଏହାସହ ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ୪ ମିଟର ଯାଏ ଉଚ୍ଚ ଜୁଆର ମାଡ଼ି ଆସିବାର ସମ୍ଭାବନା ରହିଛି। ସେହିପରି ପ୍ରବଳ ପବନ ଯୋଗୁ ବଡ଼ ବଡ଼ ଗଛ ଉପୁଡିପାରେ। କଚ୍ଚା, ଆଜବେଷ୍ଟସ, ଛପର ଓ ପୁରୁଣା କୋଠା ଭାଙ୍ଗି ଯାଇପାରେ। ଟେଲିଫୋନ୍, ବିଜୁଳି ଖୁଣ୍ଟ ବି ଗୁରୁତର ପ୍ରଭାବିତ ହୋଇପାରେ।

ବଙ୍ଗୋପସାଗରରେ ବାତ୍ୟା ବଳ ଗୋଟାଇ ଆଗକୁ ବଢୁଥିବା ବେଳେ ସ୍ଥିତିକୁ ଦେଖି ଆଜି ପାରାଦୀପ ଓ ଧାମରା ବନ୍ଦରରେ ୪ ନମ୍ବର ବିପଦ ସଂକେତ ଜାରି ହୋଇଛି।

You might also like