ପୋଲିସକୁ ଚକ୍‌ମା ଦେଇ କେମିତି ଚମ୍ପଟ ମାରିଲା ହାଇଦର ? ରହସ୍ୟ ଖୋଲିଲେ ସିପି

  • ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା ହାଇଦର
  • ଅସୁସ୍ଥ ହେବାରୁ ବୁର୍ଲା ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା
  • ମାର୍ଚ୍ଚ ୨୩ରେ ଚିକିତ୍ସା ପାଇଁ ସମ୍ବଲପୁରରୁ କଟକ ଏସ୍‌ସିବି ଆସିଥିଲା
  • ଏପ୍ରିଲ ୧୦ରେ ଏସ୍‌ସିବିରୁ ଫେରାର ହୋଇଯାଇଥିଲା ହାଇଦର୍
  • ପୂର୍ବରୁ ଜାନୁୟାରୀ ୧୯, ଫେବୃୟାରୀ ୨୩ରେ ଏସ୍‌ସିବି  ଆସିଥିଲା
  • ଏପ୍ରିଲ ୧୫ରେ ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

ଭୁବନେଶ୍ୱର: ପୋଲିସକୁ ଚକ୍‌ମା ଦେଇ ଏପ୍ରିଲ ୧୦ ତାରିଖରୁ ଏସ୍‌ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର। ୧୨୦ ଘଣ୍ଟାର ଅପରେସନ ପରେ ଶେଷରେ ଗତକାଲି ଧରାପଡ଼ିଥିଲା ହାଇଦର। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ଗତକାଲି ସନ୍ଧ୍ୟାରେ ଗିରଫ କରାଯାଇଛି। ତେବେ କିପରି ଡାକ୍ତରଖାନାରୁ ଫେରାର ହେଲା ହାଇଦର ? ଫେରାର ପଛରେ କାହା ହାତ ଥିଲା ? ଆଜି ପ୍ରେସ ମିଟ୍‌ରେ ଏସବୁ ତଥ୍ୟ ରଖିଛନ୍ତି କମିଶନରେଟ ପୋଲିସ।

ଆଜି ପ୍ରେସମିଟ୍‌ରେ ସୂଚନା ଦେଇ  ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ, ଏସ୍‌ସିବି ମେଡିକାଲ୍‌ରୁ ଗାଡ଼ିରେ ଫେରାର ହୋଇଥିଲା ହାଇଦର୍। କଟକରୁ ବାହାରି ଆନ୍ଧ୍ର ଦେଇ ତେଲେଙ୍ଗାନାକୁ ପଲାଇଥିଲା।  ଏସ୍‌ସିବିରୁ ଚମ୍ପଟ୍ ମାରିବାର ୩ ଘଣ୍ଟା ପରେ କମିଶନରେଟ୍ ପୋଲିସ୍‌କୁ ଖବର ଦିଆଯାଇଥିଲା। ଯାହା ହାଇଦରକୁ ଧରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ବୋଲି ସିପି କହିଛନ୍ତି।

ହାଇଦ୍ରାବାଦ୍‌ରେ ହାଇଦରର ପୁଅ ରହୁଥିବାରୁ ଏ ଦିଗରେ ସନ୍ଦେହ ବଢ଼ିଥିଲା। ଏହାପରେ ବାଦାମବାଡ଼ି, ଚାଉଳିଆଗଞ୍ଜ ଥାନା ଆଇଆଇସି ତେଲେଙ୍ଗାନାରେ ତଦନ୍ତ କରିଥିଲେ। ମଟର୍ ସାଇକେଲ୍‌ରେ ତେଲେଙ୍ଗାନାରେ ହାଇଦର ଚଳପ୍ରଚଳ କରୁଥିବା ଖବର ମିଳିଥିଲା। ସାଇବର୍ ଟିମ୍‌ର ସହାୟତରେ ସଠିକ୍ ଠିକଣା ହାଇଦରର ଜଣାପଡ଼ିଥିଲା। ହାଇଦ୍ରାବାଦ୍ ପୋଲିସ୍ ସହାୟତରେ ହାଇଦରକୁ ଟ୍ରାପ୍ କରିଥିଲେ।

ହାଇଦରକୁ କିଭଳି ଧରିଲେ ସେ ସମ୍ପର୍କରେ ସୂଚନା ଦେଇ ଟିମ୍ ଲିଡର ବାଦାମବାଡ଼ି ଥାନା IIC  କହିଛନ୍ତି. ସିପି, ଡିସିପିଙ୍କ ନିର୍ଦ୍ଦେଶରେ ୨ଟି ଟିମ୍ ତେଲେଙ୍ଗାନା ଯାଇଥିଲୁ। ତେଲେଙ୍ଗାନାରେ ଆମେ ବିଭିନ୍ନ ଜାଗା ବାଇକରେ ବୁଲିଥିଲୁ। ଏପଟୁ ଟେକ୍ନିକାଲ ଟିମ୍‌ରୁ ଯାଉଥିବା ନିର୍ଦ୍ଦେଶ ସହାୟକ ହୋଇଥିଲା। ନିଜକୁ ଲୁଚେଇବା ପାଇଁ ହାଇଦର ପ୍ରାୟ ଏକୁଟିଆ ବୁଲୁଥିଲା।  କାଲି ସଂଧ୍ୟା ବେଳେ ବାଇକରେ ଯିବାବେଳେ ତାକୁ ଧରିଥିଲୁ।

ଏବେ ପୋଲିସ୍ ହାଇଦରକୁ ରିମାଣ୍ଡରେ ଆଣି ପୂରା ଘଟଣା ଉପରୁ ପରଦା ହଟାଇବାକୁ ଚେଷ୍ଟା କରିବ ବୋଲି ସିପି କହିଛନ୍ତି।  ହାଇଦର ଗିରଫ ହେବା ପରେ ୮ ଜଣଙ୍କୁ ଉଠାଇଛି କମିଶନରେଟ୍ ପୋଲିସ୍। ହାଇଦର ଫେରାର ଘଟଣାରେ ଏମାନଙ୍କୁ ଅଟକ ରଖାଯାଇଥିବା ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରେ ୩ ଜଣ ଯୁବତୀ ବି ରହିଥିବା ଜଣାପଡ଼ିଛି । ଏହି ୮ ଜଣଙ୍କୁ ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ, ହାଇଦର ସହ ଏମାନେ ନିୟମିତ ଯୋଗସୂତ୍ରରେ ଥିଲେ। ତେବେ ଫେରାରରେ ଏମାନେ ସହଯୋଗ କରିଥିଲେ କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଉଛି।

ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟାର ହାଇଦରକୁ ତେଲେଙ୍ଗାନାରୁ ଓଡିଶା ଅଣାଯିବା ପରେ ଏବେ ଜେରା ଚାଲିଛି।  ତାକୁ କଟକ ଡିସିପି ଅଫିସରେ ପଚରାଉଚରା କରାଯାଉଛି । ପଚରାଉଚରା ବେଳେ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଆଜି ତାକୁ JMFC କୋର୍ଟରେ ହାଜର କରାଯିବ । ହାଇଦର କେମିତି ଫେରାର ହେଲା ଏହି ଷଡଯନ୍ତ୍ରର ଗୁମର ଖୋଲିବାକୁ ପୋଲିସ ଚେଷ୍ଟା କରିବ । କଟକ ଏସ୍‌ସିବିରୁ ଫେରାର ହେବାରେ କେଉଁମାନେ ତାକୁ ସାହାଯ୍ୟ କରିଥିଲେ ସେ ନେଇ ମଧ୍ୟ ପୋଲିସ ପଚରାଉଚରା କରୁଛି।

ଆଜି କଡ଼ା ସୁରକ୍ଷା ମଧ୍ୟରେ ହାଇଦରକୁ ବିମାନରେ ଭୁବନେଶ୍ୱର ଅଣାଯାଇଥିଲା । ଏହା ପରେ ସିଧାସଳଖ କଟକ ଡିସିପି ଅଫିସକୁ ନିଆଯାଇଥିଲା ।

 

You might also like