ଏଣିକି ଦୈନିକ ୮ ହଜାର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର: ଅଣାୟତ୍ତ ଗଞ୍ଜାମ, ଅସମ୍ଭାଳ ଓଡ଼ିଶା। ରାଜ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ବିସ୍ଫୋରକ ରୂପ ଧାରଣ କରୁଥିବା କରୋନା ଗଡ଼ାଇଛି। ଆଉ ୪ ମୁଣ୍ଡ ଫଳରେ ଓଡ଼ିଶାରେ ୬୪ରେ ପହଞ୍ଚିଛି କରୋନା ମୃତ୍ୟୁ। ସେହିଭଳି ଗତ କିଛି ଦିନ ଧରି ଚାଲିଥିବା ୫୦୦ ପ୍ଲସ୍ ସଂକ୍ରମଣର ଟ୍ରେଣ୍ଡ୍ ବି ଭାଙ୍ଗିଛି। ଆଜି ଚିହ୍ନଟ ହୋଇନ୍ତି ରେକର୍ଡ ସଂଖ୍ୟକ ୭୫୫ ଜଣ ଆକ୍ରାନ୍ତ। ଏପଟେ ଭାଇରସର ମୁକାବିଲା ପାଇଁ ବି ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ୫ ହଜାର ପରିବର୍ତ୍ତେ ଏବେ ଦିନକୁ ୮ରୁ ୯ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ଉପରେ ଦିନୁୁ ଦିନ ଭାରି ପଡୁଛି କରୋନା କହର। ହାତରୁ ଖସିବାରେ ଲାଗିଛି ସ୍ଥିତି। ରାଜ୍ୟରେ ଏବେ ପ୍ରତି ଦିନ ମୃତ୍ୟୁର ତାଣ୍ଡବ ରଚୁଥିବା କରୋନା ଆଜି ଗୋଟିଏ ଦିନରେ ନେଇଛି ୪ ଜୀବନ। କରୋନା ପଞ୍ଝାରୁ ମୁକୁଳି ପାରିନଥିବା ଏ ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର। ଚିନ୍ତାର ବିଷୟ, ଜଣେ ୫୮ ବର୍ଷୀୟ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ବୟସ ୫୦ରୁ କମ୍। ଏମିତିକି ଜଣକ ବୟସ ମାତ୍ର ୩୨ ବର୍ଷ।

ଏପଟେ ସଂକ୍ରମଣରେ ବି ପୂର୍ବର ସବୁ ରେକର୍ଡକୁ ପଛରେ ପକାଇ ଦେଇଛି ଓଡ଼ିଶା। ଆଜି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୭୫୫ ଆକ୍ରାନ୍ତ। ତେବେ ଆଜିର ଏ ସଂଖ୍ୟା ଗଲା କିଛି ଦିନ ଧରି ଚାଲିଥିବା ୫୦୦ ପ୍ଲସ ଟ୍ରେଣ୍ଡରୁ ସିଧା ୭୦୦ ପ୍ଲସ୍‌ରେ ପହଞ୍ଚିଥିବାରୁ ତା ବି ଉଦବେଗର କାରଣ ପାଲଟିଛି। ଏଥିସହ ଦିନକରେ ୨୪୭ ଲୋକାଲ କଣ୍ଟାକ୍ଟ ସଂକ୍ରମଣ ବି ଭୟ ବଢ଼ାଇଛି। ଅଧିକ ସଙ୍ଗୀନ ହେଉଛି ଗଞ୍ଜାମର ସ୍ଥିତି। ରାଜ୍ୟରେ ଏଯାଏଁ ୫୬ ମୃତ୍ୟୁ ସଂଖ୍ୟାରୁ କେବଳ ଗଞ୍ଜାମରୁ ଗଲାଣି ୩୪ ଜଣଙ୍କ ଜୀବନ। ସେପଟେ ଆଜି ଚିହ୍ନଟ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୩୨୦ ଜଣ।

ଗଞ୍ଜାମ ପରେ ଯାଜପୁର, କଟକ, ଖୋର୍ଦ୍ଧା ଭଳି ଜିଲ୍ଲାରେ ଦିନକୁ ଦିନ ବ୍ୟାପକ ହେଉଛି ସଂକ୍ରମଣର ହାର। ଆଜି ଗୋଟିଏ ଦିନରେ ଯାଜପୁରରୁ ୮୬, ସୁନ୍ଦରଗଡ଼ରୁ ୬୨, ଖୋର୍ଦ୍ଧାରୁ ୫୯ ଏବଂ କଟକରୁ ଚିହ୍ନଟ ହୋଇଛନ୍ତି ୫୫ ଆକ୍ରାନ୍ତ। ତେବେ କଟକରେ ବିଭିନ୍ନ ମେଡିକାଲ ପରେ ସଂକ୍ରମଣର ସୁଅ ଚୌଦ୍ୱାର ଜେଲକୁ ଛୁଟିବା ସହ ଏଠାରୁ ୮ ସଂକ୍ରମିତ ଚିହ୍ନଟ ପରେ ଜେଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ଏପଟେ ଏହାକୁ ନଜରରେ ରଖି ସ୍ଥିତି ମୁକାବିଲା ପାଇଁ ଝାରପଡ଼ା ଜେଲ କର୍ତ୍ତୃପକ୍ଷ ଆପଣାଇଛନ୍ତି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ।

ଜେଲକୁ ବାହାରୁ ଆସୁଥିବା କଏଦୀଙ୍କ ପାଇଁ ୪ କ୍ୱାରେଣ୍ଟିନ୍ ସେଣ୍ଟର ବ୍ୟବସ୍ଥା ସହ ଭିତରେ କେହି ସଂକ୍ରମିତ ହେଲେ ସେମାନଙ୍କ ରହିବା ଲାଗି ପ୍ରସ୍ତୁତ ହୋଇଛି ଆଇସୋଲେସନ୍ ଗୃହ। ଏପଟେ ଗଜପତିରେ ଆଜି ୩୦ ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲାବାସୀଙ୍କୁ ଗଞ୍ଜାମ ଓ ଆନ୍ଧ୍ର ଯିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ।

ଏପଟେ ଭୟାବହ ରୂପ ଧରି ମାଡ଼ିଚାଲିଥିବା କରୋନାର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ରାଜ୍ୟକୁ ଆଉ ୧ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟରେ ପ୍ରତିଦିନ ୨ ହଜାର ଆଣ୍ଟିଜେନ୍ ଓ ୬ ହଜାର RT-PCRକୁ ମିଶାଇ ଦୈନିକ ୮ରୁ ୯ ହଜାର ପରୀକ୍ଷା ବି ଯୋଜନା ପ୍ରସ୍ତୁତ ହୋଇଛି। ସେହିଭଳି ରୋଗୀଙ୍କ ଚିକିତ୍ସା ଲାଗି କଟକ SCBକୁ ପ୍ଲାଜମା ଥେରାପିର ହବ୍ କରାଯିବାକୁ ନିଷ୍ପତ୍ତି ହୋଇଥିବା ଥିବା ନେଇ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ।

ଆଜିର ସଂଖ୍ୟାକୁ ମିଶାଇ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୭ ହଜାର ୪୦୭ ଜଣ ସୁସ୍ଥ ହୋଇଥିବା ବେଳେ ବାକି ୪ ହଜାର ୪୭୬ ଜଣ ଏବେ ବି ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।

You might also like