କରୋନା ପାଇଁ ପୁଣି ଥରେ ବନ୍ଦ ହୋଇ ଯିବ କି ଧର୍ମାନୁଷ୍ଠାନ?

କରୋନା ପାଇଁ ମନ୍ଦିର ବନ୍ଦ

  • କରୋନାର ୨ୟ ଲହର ପରେ ପୁଣି କଟକଣା ଡର
  • ବନ୍ଦ ହୋଇଯିବ କି ଧର୍ମାନୁଷ୍ଠାନ, ପର୍ବପର୍ବାଣୀ ?
  • ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାଚେରି ହେବ କରୋନା ?
  • ପଣା ସଂକ୍ରାନ୍ତି, ରମଜାନ ପାଇଁ ନୂଆ କଟକଣା

ଭୁବନେଶ୍ୱର: ରାଜ୍ୟରେ ପୁଣି ବନ୍ଦ ହୋଇଯିବ କି ଧର୍ମାନୁଷ୍ଠାନ? ଭକ୍ତ ଓ ଭଗବାନଙ୍କ ଭିତରେ ପୁଣି ପାଚେରୀ ହୋଇ ଛିଡ଼ା ହେବ କି କରୋନାର ଦ୍ୱିତୀୟ ଲହରୀ? ସଂକ୍ରମଣ ବଢିବା ସହ ପ୍ରଶାସନର କଟକଣା ସେଇ ଆଡ଼କୁ ଇଙ୍ଗିତ କରୁନି ତ? ପଣା ସଂକ୍ରାନ୍ତିରେ ମନ୍ଦିର କଟକଣା, ଗଂଜାମ ଜିଲ୍ଲାରେ ଆସନ୍ତା ୨୧ ଯାଏଁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ବନ୍ଦ ଭଳି ନିଷ୍ପତ୍ତି ଭକ୍ତ ଓ ସେବାୟତଙ୍କ ଚିନ୍ତା ବଢାଇଛି। ସେପଟେ ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ରମଜାନ୍ ମାସରେ କଟକଣା ଭିତରେ ହିଁ ନମାଜ ପାଠ ପାଇଁ ଅନୁମତି ମିଳିଛି।

ପର୍ବାଣୀ ଉପରେ କରୋନା ମାଡ଼। କଣ ପୁଣି ବନ୍ଦ ହୋଇଯିବ କି ଧର୍ମାନୁଷ୍ଠାନ? ସଂକ୍ରମଣ ବଢୁଥିବା ବେଳେ ଧର୍ମାନୁଷ୍ଠାନରେ ଭକ୍ତଙ୍କ ପ୍ରବେଶ କଟକଣା ମନ୍ଦିର ସେବାୟତ ଓ ଭକ୍ତଙ୍କ ବଢାଇଛି ଚିନ୍ତା। ଦିନକୁ ଦିନ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ଗଂଜାମ ଜିଲ୍ଲାର ସମସ୍ତ ମନ୍ଦିରରେ ୭ଦିନ ପାଇଁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ। ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀଠାକୁରାଣୀ ଯାତ୍ରାର ଦୁଇ ପୂଜକ ପଜିଟିଭ ଟିହ୍ନଟ ପରେ ସାଧାରଣ ଦର୍ଶନ ବନ୍ଦ କରିଦିଆଯାଇଛି। ସେହିପରି ଆସନ୍ତାକାଲି ପଣା ସଂକ୍ରାନ୍ତି ଥିବାରୁ ଏହି ଅବସରରେ ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଛି। ଏହାସହ ସର୍ବସାଧାରଣରେ ପଣା ବଣ୍ଟନ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ଭୁବନେଶ୍ୱର ଓ କଟକ ମହାନଗର ନିଗମ କର୍ତ୍ତୃପକ୍ଷ।

ପୁରୀର ଶିରୁଳି ମହାବୀର ମନ୍ଦିରରେ ବି ମହାବିଷୁବ ଅବସରରେ ଭକ୍ତଙ୍କ ମନ୍ଦିର ପ୍ରବେଶ ରୋକିବାକୁ ୧୪୪ ଧାରା ଜାରି କରାଯାଇଛି। ସେପଟେ ଶ୍ରୀମନ୍ଦିରର ୭ ସେବାୟତଙ୍କୁ ମିଶାଇ ୨୩ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ପରେ ବଢିଛି ମନ୍ଦିର ପ୍ରଶାସନର ଚିନ୍ତା। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। ଏଣେ ରମଜାନ ମାସ ପାଇଁ ମଧ୍ୟ ଜାରି ହୋଇଛି କଟକଣା। ମସଜିଦରେ କ୍ଷମତାର ୫୦ ପ୍ରତିଶତ ଶ୍ରଦ୍ଧାଳୁ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରି ନମାଜ ପାଠ କରିପାରିବେ। ମାସ୍କ ବ୍ୟବହାର, ହାତ ସାନିଟାଇଜ୍ କରିବା ଓ ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ହୋଇଛି। ଏହାକୁ ବିଏମ୍ସି ପକ୍ଷରୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି କମିଶନର। ସିଏମସି ପକ୍ଷରୁ ମଧ୍ୟ ଗାଇଡ୍ଲାଇନରେ କୋଭିଡ୍ କଟକଣା ପାଳନ କରି ମସଜିଦରେ ନମାଜ ପାଠ କରିବାକୁ କୁହାଯାଇଛି। ସେପଟେ ଘଟଗାଁରେ ମାଆ ତାରିଣୀଙ୍କ ଚଇତି ପର୍ବ ଚାଲିଥିବା ବେଳେ ପଣା ସଂକ୍ରାନ୍ତିରେ ଭିଡ ଏଡ଼ାଇବାକୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରଖାଯାଇଛି।

 

You might also like